ଭୁବନେଶ୍ବର: ଖରା ଛୁଟି କାଟକୁ ନେଇ ବିରୋଧ କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଏନେଇ ମାନବାଧିକାର କମିଶନ ଓ ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ ତାଗିଦ୍ କରିଛି ସଂଘ । ଗ୍ରୀଷ୍ମ ଛୁଟି ପାଇବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ହକଦାର ଅଟନ୍ତି । କିନ୍ତୁ ସରକାର ତାଙ୍କର ଅଧିକାରକୁ ଛଡାଇ ନେଉଛନ୍ତି ବୋଲି କହିଛି ସଂଘ।
ରାଜ୍ୟରେ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଛୁଟି ଦେବା ନୀତି ନିୟମକୁ ପୂର୍ବରୁ ନିର୍ଧାରିତ କରିଛନ୍ତି ରାଜ୍ୟ ସରକାର। ନୀତି ନିୟମ ଅନୁସାରେ ସମସ୍ତ ବିଭାଗର କର୍ମଚାରୀ ମାନଙ୍କ ପାଇଁ ତାଙ୍କ ବିଭାଗ ଛୁଟି ନିମନ୍ତେ ବାର୍ଷିକ କ୍ୟାଲେଣ୍ଡର ମଧ୍ୟ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଚାକିରି କରୁଥିବା ସମସ୍ତ ସରକାରୀ ବିଦ୍ୟାଳୟ ମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ କ୍ଷେତ୍ରରେ ଛୁଟିକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଠିଛି ଵିରୋଧର ସ୍ୱର।
ଗଣଶିକ୍ଷା ବିଭାଗ ସେମାନଙ୍କୁ ୮୨ ଦିନ ଛୁଟି ପ୍ରଦାନ କରିଛନ୍ତି। ଖରା ଛୁଟି ୩୮ ଦିନ ଓ ପାଳନୀୟ ଦିବସ ୮ ଦିନକୁ ମିଶାଇବା ସହ ମାସର ସମସ୍ତ ରବିବାରରେ ବିଭିନ୍ନ ପରୀକ୍ଷା ପରିଚାଳନା କରୁଛନ୍ତି। ଖରା ଛୁଟିରେ ମଧ୍ୟ ଶିକ୍ଷକ ଶିକ୍ଷିୟତ୍ରୀ ରୋଷ୍ଟର ଡିଉଟି କରନ୍ତି। କିନ୍ତୁ ବର୍ତ୍ତମାନ ମେ ମାସ ୫ ତାରିଖରୁ ଖରା ଛୁଟି ହେବା ସତ୍ତ୍ୱେ କିଛି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଖରା ଛୁଟିରେ ଫିଜିକାଲ ରିମେଡିଆଲ କ୍ଲାସ କରିବାକୁ ଚିଠି କରିଛନ୍ତି।
ଆଉ କିଛି ଜିଲ୍ଲାର ଶିକ୍ଷାଧିକାରୀ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପ ଓ ଭର୍ଚୁଆଲ ମିଟିଙ୍ଗ ମାଧ୍ୟମରେ ବିନା ନିର୍ଦ୍ଦେଶରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଫିଜିକାଲ କ୍ଲାସ କରିବାକୁ ବାଧ୍ୟ କରାଯାଉଥିବା ସହ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ହେଡ଼ କ୍ୱାଟର ଛାଡି ପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି। ସେପଟେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅବକାଶ କାଳୀନ ଶିକ୍ଷା ଦେବା ଠାରୁ ଆରମ୍ଭ କରି ଆଇରନ ବଟିକା ବାଣ୍ଟିବା, ବହି ବାଣ୍ଟିବା, ବିଭିନ୍ନ ପ୍ରକାର ସର୍ଭେ, ଟ୍ରେନିଂ ଆଦି କାର୍ଯ୍ୟ ଛୁଟି ଦିନରେ କରୁଛନ୍ତି। କିନ୍ତୁ ପୁନର୍ବାର ଫିଜିକାଲ କ୍ଲାସ ପରିଚାଳନାକୁ ନେଇ ସମସ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ଗ୍ରୀଷ୍ମ ଛୁଟି ପାଇବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ହକଦାର ଅଟନ୍ତି। କିନ୍ତୁ ସରକାର ତାଙ୍କର ଅଧିକାରକୁ ଛଡାଇ ନେଉଛନ୍ତି ବୋଲି କହିଛି ସଂଘ। ଛୁଟିରେ ବିଭିନ୍ନ କାର୍ଯ୍ୟଭାର ଲଦିଦେଇ ସରକାର ମାନବ ଅଧିକାରୀ ଆଇନକୁ ଉଲଂଘନ କରୁଛନ୍ତି। ଯଦି ଜିଲ୍ଲା ଶିକ୍ଷାଧିକାରୀମାନେ ଏଥିରୁ ନିବୃତ୍ତ ନ ରୁହନ୍ତି ତେବେ ସଂଘ କୋର୍ଟ ଓ ମାନବାଧିକାର କମିଶନର ଙ୍କ ଦ୍ବାରସ୍ଥ ନେବ ବୋଲି ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର