ଖୋର୍ଦ୍ଧା : ସିରିଜ ଦୁର୍ଘଟଣା ଘଟାଇ ଜବତ ହେଲା ସ୍କ୍ରପିଓ । ଦୁର୍ଘଟଣାରେ ବୋଲଗଡ଼ ବ୍ଲକ ଚୁଡା ଗାଁର ଜଣେ ଯୁବକ ଗୁରୁତର ହୋଇଥିବାବେଳେ ସ୍କ୍ରପିଓକୁ ଅଟକାଇବାକୁ ଚେଷ୍ଟା କରି ବେଗୁନିଆ ଥାନାର ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ଏକ ସ୍କ୍ରପିଓ ନୟାଗଡ଼ ପଟୁ ଖୋର୍ଦ୍ଧା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବାବେଳେ ବୋଲଗଡ଼ ଚୁଡା ଛକରେ ଜିତେନ୍ଦ୍ର କୁମାର ରାଉତଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।
ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ବୋଲଗଡ଼ ଥାନାକୁ ଖବର ଦେଇଥିଲେ । ଗାଡିକୁ ଅଟକାଇବାକୁ ବେଗୁନିଆ ପୋଲିସ ପକ୍ଷରୁ ଉଦ୍ୟମ କରାଯାଇଥିବାବେଳେ ଗାଡିଟି ପୋଲିସ କର୍ମଚାରୀଙ୍କ ଆଡ଼କୁ ମାଡି ଆସିଥିଲା। ଯେଉଁଥିରେ ଦୁଇଜଣ ପୋଲିସ କର୍ମଚାରୀ ଆହତ କରିଥିଲା । ବେଗୁନିଆ ପୋଲିସର ଏକ ଟିମ ଗାଡିକୁ ପିଛା କରି ବାଘମାରିରେ ଗାଡିକୁ ଧରିବାରେ ସକ୍ଷମ ହୋଇଥଲେ । ଗାଡିକୁ ଜବତ କରିବା ସହ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଗୁନିଆ ଥାନା ପାଖରୁ ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ