ଖୋର୍ଦ୍ଧା : ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ । ଶିକ୍ଷାକୁ ସାର୍ବଜନୀନ କରାଇବା ନିମନ୍ତେ ସରକାର ସର୍ବଶିକ୍ଷା ଅଭିଯାନ ଯୋଜନା କାର୍ଯ୍ୟକାରୀ କରି ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରାଇବା ନିମନ୍ତେ ମାଗଣାରେ ପାଠ୍ୟ ପୁସ୍ତକ, ପୋଷାକ, ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଛନ୍ତି । ବିଦ୍ୟାଳୟକୁ ସର୍ବାଙ୍ଗସୁନ୍ଦର କରିବା ପାଇଁ ଗୃହ ନିର୍ମାଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି । କିନ୍ତୁ ଏପରିସ୍ଥଳେ ବୋଲଗଡ ବ୍ଲକ ଧଳାପଥର ଗ୍ରାମପଞ୍ଚାୟତ ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଶିକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।
କଟକ ଓ ଖୋର୍ଦ୍ଧା ଜିଲ୍ଲାର ସୀମାନ୍ତବର୍ତ୍ତୀ ଧଳାପଥରଠାରେ ୧୯୮୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟ। ଉଭୟ ଜିଲ୍ଲାର ସୀମାନ୍ତ ଗ୍ରାମବାସୀ ମିଳିମିଶି ଏହି ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏବେ ବିଦ୍ୟାଳୟରେ ମାତ୍ର 2 ଜଣ ଶିକ୍ଷୟିତ୍ରୀ ନବମ ଓ ଦଶମ ଶ୍ରେଣୀରେ ୨୨୫ ଜଣ ଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି । ଜଣେ ବିଜ୍ଞାନ ଶିକ୍ଷକ ଅସୁସ୍ଥତା ଯୋଗୁ ବିଦ୍ୟାଳୟକୁ ଆସୁନଥିବା ବେଳେ ପ୍ରଧାନଶିକ୍ଷୟତ୍ରୀ ସହ ଜଣେ ଶିକ୍ଷୟିତ୍ରୀ ଦ୍ବାରା ଏତେ ସଂଖ୍ୟକ ପିଲାଙ୍କୁ ପାଠପଢାଇବା ସମସ୍ୟା ସୃଷ୍ଟି ହେଉଛି । ନବମ ଓ ଦଶମ ଦୁଇଟି ଶ୍ରେଣୀରେ ଛାତ୍ରୀଙ୍କୁ ନେଇ 4ଟି ସେକ୍ସନ କରାଯାଇଛି କିନ୍ତୁ ଶିକ୍ଷକ ନଥିବାରୁ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରୀମାନେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି । ୨ ଜଣ ଶିକ୍ଷୟତ୍ରୀ କିପରି ୪ ଟି ସେକ୍ସନର ପିଲାଙ୍କୁ ପାଠ ପଢାଉଥିବେ ତାହା ସ୍ପଷ୍ଟ ଅନୁମେୟ ।
ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ନେଇ ଅଭିଭାବକ ସେମାନଙ୍କ ପିଲାଙ୍କୁ ଛାଡିବା ପାଇଁ ଅମଙ୍ଗ ହେଉଛନ୍ତି । ଏଣୁ ବିଦ୍ୟାଳୟଟି ନିଜର ସତ୍ତା ହରାଇବାକୁ ଯାଉଥିବା କମିଟି ସଦସ୍ୟ କହିଛନ୍ତି । ଅଧିକ ଶିକ୍ଷକ ଯୋଗାଇଦେବା ନିମନ୍ତେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ବିଭିନ୍ନ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।
ଏହି ସ୍କୁଲରେ କେବଳ ଶିକ୍ଷକ ଅଭାବ ନୁହେଁ ବରଂ ପାନୀୟ ଜଳର ଘୋର ଅଭାବ । ସ୍କୁଲରେ ଦୁଇଟି ନଳକୂପ ଥିବା ବେଳେ ସେଥିରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନୁହେଁ । ବାଧ୍ୟ ହୋଇ ଛାତ୍ରୀମାନେ ପାଣି ପାଇଁ ଦୀର୍ଘଦିନ ହେବ ଆବ୍ୟବହୃତ କୂଅରୁ ପାଣି ଆଣି ପିଅନ୍ତି । ଆମେ ଏ ସଂପର୍କରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀଙ୍କୁ ପଚାରିବାରୁ ଆଗାମୀ ଦିନରେ ଦୁଇଜଣ ଶିକ୍ଷକ ଖୁବଶୀଘ୍ର ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ