ଭୁବନେଶ୍ବର: ଆର୍ଥିକ ବର୍ଷ 2023-24ର ବଜେଟ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ସରକାରୀ ସ୍କୁଲରେ ଡ୍ରପ୍ ଆଉଟ ସଂଖ୍ୟା କମିବା ନେଇ ସରକାରୀ ସ୍ତରରେ ଅଭିନବ ପଦକ୍ଷେପ ଗ୍ରହଣ କରିବ ବିଭାଗ । ଘରକୁ ଘର ଯାଇ ପିଲାମାନଙ୍କୁ କାଉନସେଲିଂ କରାଯିବ । ଏଥିସହ ଛାତ୍ରଛାତ୍ରୀ ସରକାରୀ ସ୍କୁଲ୍ରେ ପଢିବା ନେଇ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବ ବିଭାଗ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୩-୨୪ର ଆର୍ଥିକ ବଜେଟ୍ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗର ସଚିବ ଅଶ୍ୱଥି ଏସ ।
ଚଳିତ ବର୍ଷ ଶିକ୍ଷା ପାଇଁ ବଜେଟ 5 ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ବଜେଟ ପାଇଁ ମୋଟ ୨୨,୫୨୬.୮୦ କୋଟି ବ୍ୟୟ ଅଟକଳ ହୋଇଛି । ତେବେ ଶିକ୍ଷା ସଚିବ ଅଶ୍ବଥି ଏସ ଓ ଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ । ବଜେଟରେ ରାଜ୍ୟ ସ୍କୁଲ ଗୁଡିକର ଭିତ୍ତିଭୂମି ପାଇଁ ୨୭୭୮.୨୫ କୋଟି ଟଙ୍କାର ପ୍ରବଧାନ କରାଯାଇଛି । ପ୍ରାଥମିକ ସ୍କୁଲ ଭିତ୍ତିଭୂମି ନିମନ୍ତେ ୧୭୦୦.୦୦ ଲକ୍ଷ, ସୈନିକ ସ୍କୁଲ ନିମନ୍ତେ ୮୫୦.୦୦ ଲକ୍ଷ ଏବଂ 5T ସ୍କୁଲ୍ ଓ ମୋ ସ୍କୁଲ୍ ଅଭିଯାନ ପରି ଅଭିନବ ଯୋଜନା ହୋଇଛି ।
ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୮୪୧୯.୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଭୁବନେଶ୍ୱରସ୍ଥିତ ଅନ୍ଧାରୁଆଠାରେ ଏକ ଆଇକନିକ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ନିଯୁକ୍ତି କ୍ଷେତ୍ରରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ PGT ପଦବୀ ପାଇଁ ୭୦୨ ପୋଷ୍ଟିଂ କରାଯିବ । ଏଥିରେ ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଉ ଇଣ୍ଡିଆ ଲିଟେରାରୀ ପୋଗ୍ରାମ (New India Literary Program)ରେ ୭୧୫.୬୨ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ସ୍କିମ୍ରେ ଗଣିତ କ୍ଷେତ୍ରରେ ମେଧାବୀ ବୃତ୍ତି ୯୫୨. ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟ ଅଟକଳ କରିଛନ୍ତି । ସେଭିଭଳି ମାଗଣା ସାଇକେଲ ବଣ୍ଟନ ପାଇଁ ବ୍ୟବହାର ପୂର୍ବରୁ ଯେଉଁ ଟଙ୍କା ୨୬୦୦ ଥିଲା ତାହାକୁ ବୃଦ୍ଧି କରାଯାଇ ୩୫୦୦କୁ କରାଯାଇଛି ।
ପ୍ରକାଶ ଥାଉକି, ଚଳିତ ବର୍ଷ ବଜେଟ ଉପସ୍ଥାପନାରେ ଶିକ୍ଷା ବିଭାଗ ପାଇଁ 3 ହଜାର 173 କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ଏଥିରେ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଭିତ୍ତିଭୂମି ବିକାଶ ପାଇଁ 163 କୋଟି ଟଙ୍କା, ମୋ କଲେଜ ଅଭିଯାନ ପାଇଁ 170 କୋଟି ଏବଂ ବିଜୁ ସଶକ୍ତୀକରଣ ଯୋଜନାରେ ଲାପଟପ୍ ବଣ୍ଟନ ପାଇଁ 50 କୋଟି ଟଙ୍କା ଅନ୍ତର୍ଭୁକ୍ତ ହୋଇଛି । ଏଥିସହ ମୋ ସ୍କୁଲ ଅଭିଯାନ ପାଇଁ 805 କୋଟି ବ୍ୟୟ ବରାଦ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର