ଭୁବନେଶ୍ବର: ୭୪ତମ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାଷ୍ଟ୍ରୀୟ ସମାରୋହରେ ଉପସ୍ଥିତ ରହିବେ । ଏନେଇ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୩ ପାଳନର ରୂପରଖେ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପ୍ରତିଟି ଭାରତୀୟଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଏହି ମହାନ ଦିବସ । ଏହାସହ ସମସ୍ତଙ୍କ ଭାବାବେଗ ଜଡ଼ିତ ହୋଇଥିବାରୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ବ ଦେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପରେଡ୍ ଓ ପତାକା ଉତ୍ତୋଳନ ସ୍ଥାନରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ । ପ୍ରଭାତରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ସାଧାରଣତନ୍ତ୍ର ଦିବସ ସମ୍ପର୍କିତ ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧାପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯିବ ।
ସେହିପରି ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥି ଏବଂ ବିଶିଷ୍ଟ ଅତିଥିମାନଙ୍କ ଉପବେଶନ ବ୍ୟବସ୍ଥାରେ ବୈଠକରେ ବିସ୍ତୁତ ଆଲୋଚନା ହୋଇଛି । ରାଜଭବନରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ରାସ୍ତାକୁ ତ୍ରିରଙ୍ଗା ଦ୍ୱାରା ସାଜସଜ୍ଜା, ଉତ୍ସବସ୍ଥଳକୁ ଆକର୍ଷଣୀୟ ସାଜସଜ୍ଜା କରିବା ପାଇଁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ କରାଯିବ । BMC ପକ୍ଷରୁ ଉତ୍ସବ ସ୍ଥଳର ସାନିଟାଇଜେସନ୍ ଓ ପିଇବା ପାଣି ବ୍ୟବସ୍ଥା କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍ ନିୟନ୍ତ୍ରଣକୁ କମିଶନରେଟ୍ ପୋଲିସ ପକ୍ଷରୁ ପରିଚାଳନା କରାଯିବ ।
ପୂର୍ବବର୍ଷ ପରି ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇରେ ବିଭାଗ ପକ୍ଷରୁ ଉତ୍ସବ ପାଳନ କରାଯିବ । ସେହିପରି RDC ଜୋନ୍, ଜିଲ୍ଲା ଏବଂ ଉପଖଣ୍ଡସ୍ତରରେ ସ୍ୱାଧୀନତା ଦିବସ ପାଳନ କରାଯିବ । ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁର୍ବୀର୍ ସିଂହ ଓ ବିଶ୍ୱଜିତ ଦାଶ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ଉପନିର୍ଦ୍ଦେଶକ ଡକ୍ଟର ଜ୍ୟୋତିର୍ମୟୀ ସାମନ୍ତରାୟ, ଭୁବନେଶ୍ୱର ସୂଚନା ଓ ଲୋକସଂପର୍କ ଅଧିକାରୀ ପଠାଣି ରାଉତଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଇଟିଭି ଭାରତ, ଭୁବନେଶ୍ବର