ଭୁବନେଶ୍ବର: ରାୟଗଡା ଜିଲ୍ଲା ଅଣ୍ଡିରାକଞ୍ଜ ଅଞ୍ଚଳର ଗର୍ଭବତୀ ମହିଳା ସୁଲବତୀ ମୃତ୍ୟୁ ମାମଲାର ନ୍ୟାୟିକ ତଦନ୍ତ ଦାବି କଲା ରାଜ୍ୟ ବିଜେପି । ଜେଲରେ ଥିବା ଗର୍ଭବତୀ ମହିଳା ସୁଲବତୀଙ୍କୁ ପୋଲିସ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ପ୍ରସବ ବେଦନ ବେଳେ ଉଚିତ ଚିକିତ୍ସା ନପାଇ ମୃତ୍ୟୁ ବରଣ କରିବା ଅଭିଯୋଗ ହୋଇଛି ।
ଏନେଇ ଗତକାଲି ଭୁବନେଶ୍ବରରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପ୍ରେସମିଟ କରି କହିଛନ୍ତି, ସୁଲବତୀ ନାଏକ ଗର୍ଭବତୀ ଥିବା ବେଳେ ଥାନାରେ ପୋଲିସ ତାଙ୍କୁ ଅମାନୁଷିକ ବ୍ୟବହାର କରିଥିଲା । ଘଟଣାକୁ ନେଇ ବିଜେପି ନ୍ୟାୟିକ ତଦନ୍ତ ଦାବି କରିଛି । ଏଥିସହ ପରିବାରକୁ 30 ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଦାବି କରିଛି ବିଜେପି ।
ବିଜେପି ଦାବି କରିଛି ଏହି ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ । ନଚେତ ଆଗାମୀ ଦିନରେ ଘଟଣାକୁ ନେଇ ଜୋରଦାର ଆନ୍ଦୋଳନ କରିବ ବିଜେପି । କିଛି ଦିନ ତଳେ ଜେଲରେ ଥିବା ମହିଳା ସୁଲବତୀ ପରେ ପ୍ରସବ ବେଦନାରେ ମୃତ୍ୟୁ ବରଣ କରିବା ନେଇ ଆସିଥିଲା ରିପୋର୍ଟ। ଏନେଇ ବିଜେପି ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା । ଗତକାଲି କମିଟି ତଦନ୍ତ ରିପୋର୍ଟ ସହ ପ୍ରେସମିଟ କରିଛି ।
ଗତ 16 ତାରିଖରେ ମୁକେଶ ମହାଳିଙ୍ଗଙ୍କ ନେତୃତ୍ୱରେ ବିଜେପିର ଏକ କମିଟି ରାୟଗଡା ଯାଇ ଘଟଣାର ତଦନ୍ତ କରିଥିଲା । ଉତ୍କଳ ଆଲୁମିନିୟମ କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ଜମିହରା ମହିଳାମାନେ ଦୈନଦିନ କାମ ଯୋଗାଇଦେବା ଦାବିରେ କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରିଆସୁଥିଲେ । ପୂର୍ବରୁ ସ୍ଥାନୀୟ ତହସିଲଦାର, କମ୍ପାନୀ କର୍ତୃପକ୍ଷଙ୍କ ଉପସ୍ଥିତିରେ କାମ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ନହେବାରୁ ପୁନର୍ବାର ଅଣ୍ଡିରାକାଞ୍ଚ ଗ୍ରାମର ମହିଳାମାନେ ଶାନ୍ତିପୂର୍ଣ୍ଣ ଧାରଣାର ବସିଥିଲେ ।
ଗତ ଡିସେମ୍ବର ୨୬ ତାରିଖ ଦିନ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ପୋଲିସ ମହିଳାମାନଙ୍କୁ ଗିରଫ କରି ତା’ପରଦିନ କୋର୍ଟ ଚାଲାଣ କରିଥିଲା । ୧୩ଜଣ ମହିଳାମାନଙ୍କୁ ମଧ୍ୟରୁ ୪ଜଣ ପ୍ରସୂତୀ ଓ ୪ଜଣ ନବଜାତ ଶିଶୁଥିଲେ ମଧ୍ୟ ପୋଲିସ ସେମାନଙ୍କର ସ୍ୱାସ୍ଥ୍ୟପ୍ରତି ଭ୍ରୁକ୍ଷେପ ନକରି ଶାରୀରିକ ନିର୍ଯାତନା ଦେବା ସହ ବିଶ୍ରାମ ନଦେଇ ୨୦ ଘଣ୍ଟା ପରେ କୋର୍ଟକୁ ପଠାଇ ଦେଇଥିଲା ପୋଲିସ । ଏହି ଆନ୍ଦୋଳନକାରୀଙ୍କ ମଧ୍ୟରେ ଥିଲେ ମୃତ ସୁଲବତୀ ମଧ୍ୟ ଥିଲେ ।
ଅଣ୍ଡିରାକଞ୍ଚ ଥାନାର ଆଇଆଇସିଙ୍କ ନିର୍ଯାତନାରେ ଜଣେ 9 ମାସ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିଲା । ସୁଲବତୀ 9 ମାସର ଗର୍ଭବତୀ ଥିବା ବେଳେ ଥାନା ଆଇଆଇସି, ଡାକ୍ତର, ଜେଲର କେହି ଜାଣି ପାରିଲେ ନାହିଁ କିପରି ବୋଲି ପ୍ରଶ୍ନ ଉଠିଥିଲା । ପୁଣି ଅଧ ରାତିରେ ଜଣେ ଗର୍ଭବତୀ ମହିଳାଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ । 16 ଦିନ ଜେଲ ଭିତରେ ରହିଲେ ଗର୍ଭବତୀ ଜଣଙ୍କ । ଗତ 10 ତାରିଖ ଦିନ ପ୍ରସବ ବେଦନା ପରେ ସେହିଦିନ ଜାମିନ ମିଳିଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ଦୁର୍ଭାଗ୍ୟ ତାଙ୍କର ମୃତ୍ୟୁ ହୋଇଥିଲା।
ଇଟିଭି ଭାରତ, ଭୁବନେଶ୍ବର