ଭୁବନେଶ୍ବର: ରତ୍ନଭଣ୍ଡାର ଖୋଲିବା ଦାବି ନେଇ ଗଜପତି ମହାରାଜଙ୍କୁ ଭେଟିବ ବିଜେପି । ଶ୍ରୀମନ୍ଦିର ପରିଚାଳନା କମିଟି ଚଳିତ ବର୍ଷ ଅଗଷ୍ଟ 4 ତାରିଖରେ ରିଜଲ୍ୟୁସନ ପାସ କରି ସରକାର ଓ ହାଇକୋର୍ଟଙ୍କୁ ଅବଗତ କରିଥିଲେ ଯେ ରତ୍ନ ଭଣ୍ଡାର ଖୋଲିବା ପାଇଁ କମିଟି ଗଠନ କରାଯିବ । ସେପ୍ଟେମ୍ବର 22ରେ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ । କିନ୍ତୁ କାହିଁକି ଏ ଯାଏଁ କମିଟି ହୋଇନି ବୋଲି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ଅଧିକ ପଢନ୍ତୁ- 'ଆର ବର୍ଷକୁ ଅପେକ୍ଷା ନକରି ଚଳିତ ଅଗଷ୍ଟରେ ଖୋଲାଯାଉ ରତ୍ନଭଣ୍ଡାର'
ସମୀର କହିଛନ୍ତି, ‘‘ଶ୍ରୀମନ୍ଦିର ପରିଚାଳନା କମିଟି ଚଳିତ ବର୍ଷ ଅଗଷ୍ଟ 4 ତାରିଖରେ ରିଜଲ୍ୟୁସନ କରି ସରକାର ଓ ହାଇକୋର୍ଟଙ୍କୁ ଅବଗତ କରିଥିଲେ ଯେ ରତ୍ନ ଭଣ୍ଡାର ଖୋଲିବା ପାଇଁ କମିଟି ଗଠନ କରାଯିବ । ସେପ୍ଟେମ୍ବର 22ରେ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ । କିନ୍ତୁ କାହିଁକି ଏଯାଏଁ କମିଟି ହୋଇନି। ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ଓ ଜିବି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ବୋଲି ବିଜେପି ଦାବି କରିଛି । 45 ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇନି କି କୌଣସି ଇନଭେଣ୍ଟରୀ କରାଯାଇନାହିଁ । ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଲୋକଙ୍କ ଦ୍ବନ୍ଦ୍ଵ ଦୂର କରାଯାଉ । ଗଜପତି ମହାରାଜ ମଧ୍ୟ ବିଭିନ୍ନ ସମୟରେ ରତ୍ନ ଭଣ୍ଡାର ଖୋଲିବାକୁ କହୁଛନ୍ତି । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜାଙ୍କୁ ବିଜେପି ଭେଟି ଅବଗତ କରିବ। ’’
ସମୀର ଆହୁରି କହିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଉପରେ ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଗଜପତି ମଧ୍ୟ ଏନେଇ ବାରମ୍ବାର କହିବା ସତ୍ତ୍ବେ ଏହା ଉପରେ ଫୋକସ ନକରି ଡ୍ରେସକୋଡ ଉପରେ ଧ୍ୟାନ ଦେଉଛନ୍ତି କିନ୍ତୁ ରତ୍ନଭଣ୍ଡାର ଖୋଲିବା ଉପରେ ଧ୍ୟାନ ଦେଉନାହାନ୍ତି ପରିଚାଳନା କମିଟି।
ସେପଟେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବାକୁ ଦାବି କରିଛି କଂଗ୍ରେସ । ପୁରୀରେ ଏଥିପାଇଁ ଦଳ ପ୍ରତିବାଦ କରିଥିଲା । ଏହା ସହିତ ରତ୍ନଭଣ୍ଡାରେ ଥିବା ରତ୍ନର ଗଣତି ଏବଂ ମରାମତି ପାଇଁ ଦାବି କରିଛି କଂଗ୍ରେସ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଅଗଷ୍ଟ ମାସରେ ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ସବୁ ଇନଭେଣ୍ଟରି କରିବା ପାଇଁ ପୁଣି ଦାବି କରିଥିଲେ ସମୀର । 45 ବର୍ଷ ଧରି ରତ୍ନଭଣ୍ଡାରର ଇନଭେଣ୍ଟରି ହୋଇନାହିଁ । ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବାର ଆଦେଶ ଦେବା ପାଇଁ କମ୍ପିଟେଣ୍ଟ ଅଥରିଟି । ହାଇକୋର୍ଟରେ ମାମଲା ହେଲା ପରେ ତରବରିଆ ଭାବେ ପରିଚାଳନା କମିଟି କହୁଛନ୍ତି ଆସନ୍ତା ବର୍ଷ ଖୋଲିବେ । 1978 ମସିହା ଇନଭେଣ୍ଟରିକୁ ନେଇ ଗ୍ୟାଜେଟ ନୋଟିଫିକେସନ ହୋଇଛି । ତାହାର ତଥ୍ୟ, ଆଇନ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବା ଏବଂ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠରେ ଦେଇଥିବା ହିସାବରୁ ସନ୍ଦେହ ସୃଷ୍ଟି ହେଉଛି । ଲୋକଙ୍କ ଭିତରେ ଅବିଶ୍ବାସର ବାତାବରଣ ହୋଇଛି। ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିରୁ ରତ୍ନଭଣ୍ଡାର ଲୁଟ ହୋଇଛି ବୋଲି ପ୍ରମାଣିତ ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର