ଭୁବନେଶ୍ବର: ରମାଦେବୀରେ ରାଗିଂ ଅଭିଯୋଗ । ଏହି ଅଭିଯୋଗ ଆଣିଲେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ । ଗଣଶିକ୍ଷା ବିଭାଗକୁ ଲିଖିତ ଅଭିଯୋଗରେ ଜଣାଇଛନ୍ତି । ଅଭିଯୋଗ ପାଇବା ପରେ ପୁରା ଘଟଣାର ତଦନ୍ତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ । ସେପଟେ ଏହି ଅଭିଯୋଗ ଭିତ୍ତିହୀନ ବୋଲି ପ୍ରତିକ୍ରିୟାରେ କହିଛନ୍ତି କଲେଜ ଅଧ୍ୟକ୍ଷା ସରୋଜ ଲକ୍ଷ୍ମୀ ସିଂ ।
ରମାଦେବୀ ଜୁନିୟର କଲେଜର ହଷ୍ଟେଲରେ ଥିବା ୧ ନମ୍ବର ରୁମରେ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଜାତିଆଣ ମନ୍ତବ୍ୟ, ରୁମରେ ଅଶ୍ଳୀଳ ଭିଡିଓ ଦେଖିବା, ରାତିରେ ଛୋଟ ଡ୍ରେସ ପିନ୍ଧିବାକୁ ବାଧ୍ୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରୀ ଜଣକ । ଏପରିକି ରୁମରେ ମୁଣ୍ଡ ନ କୁଣ୍ଡାଇବା, ପୋଷାକ ଓ ଜୋତା ଅଲଗା ରଖିବାକୁ ଅନ୍ତେବାସୀ କହୁଥିବା ଅଭିଯୋଗରେ ଦର୍ଶାଇଛନ୍ତି ଏହି କଲେଜ ଛାତ୍ରୀ ।
ଏହା ବି ପଢନ୍ତୁ- ପଲିଟେକ୍ନିକ୍ କଲେଜରେ ରାଗିଂ ! ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ 2 ଛାତ୍ରୀ
ସୂଚନା ଅନୁଯାୟୀ, ରମାଦେବୀ ଜୁନିୟର କଲେଜର ପ୍ରଥମ ବର୍ଷର କଳା ଛାତ୍ରୀ ସ୍ବୟସଂପର୍ଣ୍ଣା ମଲ୍ଲିକ । ତେବେ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, ରମାଦେବୀ କଲେଜର ଯୁକ୍ତ ଦୁଇ ହଷ୍ଟେଲରେ ଏକ ନମ୍ବର ରୁମରେ ରହୁଥିଲେ । ଏହି ରୁମରେ ଥିବା ସହପାଠିନୀ ମାନସିକ ଭାବରେ ନିର୍ଯାତନା ଦେଇଆସୁଛନ୍ତି । ଏହିଥିରେ ଲେଖା ରହିଛି ଯେ, " ମୁଁ ଓଡ଼ିଆ ମାଧ୍ୟମିକ ସ୍କୁଲରେ ପାଠ ପଢି କଲେଜ ଆସିଥିବାରୁ ମୋତେ ଥଟ୍ଟା ପରିହାସ କରୁଛନ୍ତି। ପାଠ ପଢିବାରେ ଅନେକ ବାଧା ସୃଷ୍ଟି କରୁଛନ୍ତି । ମୁଁ ଏସସି ବର୍ଗର ଛାତ୍ରୀ ହୋଇଥିବାରୁ ମୋତେ ଜାତିଆଣ ଆକ୍ଷେପ କରାଯାଉଛି।"
ଏପରିକି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ଏହାସହ କୋଚିଂକୁ ନଯିବାକୁ ମଧ୍ୟ ବାରଣ କରୁଥିବା ବେଳେ କବାଟ ବନ୍ଦ କରୁଥିଲେ ସହପାଠିନୀ ବୋଲି ଅଭିଯୋଗ ଆଣିଛନ୍ତି ସ୍ବୟସଂପର୍ଣ୍ଣା । ତେବେ ସମସ୍ତ ଘଟଣାକୁ ନେଇ କଲେଜର ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସଠିକ ଭାବରେ ନ୍ୟାୟ ମିଳିନଥିବା ଛାତ୍ରୀ ଜଣକ କହିଛନ୍ତି । ଏପଟେ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଛନ୍ତି କଲେଜ ଅଧ୍ୟକ୍ଷା ସରୋଜ ଲକ୍ଷ୍ମୀ ସିଂ ।
ଇଟିଭି ଭାରତ, ଭୁବନେଶ୍ବର