ଭୁବନେଶ୍ବର: ଅଖିଳ ଭାରତୀୟ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ତଥା ୱାୟନାଡ଼ ସାଂସଦ ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦ ହୋଇଛି । ଏହାକୁ ବିରୋଧ କରି ରାଜ୍ୟ ତଥା ଦେଶର ଅନେକ ସ୍ଥାନରେ ବିକ୍ଷୋଭ କରାଯାଉଛି । ଗୌତମ ଆଦାନୀ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କ ପ୍ରତିବାଦରେ ଗତକାଲି(ଶନିବାର) ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନରେ ରେଳରୋକ କରାଯାଇଥିଲା । ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା କଂଗ୍ରେସ ।
ଯୁବ କଂଗ୍ରେସ କର୍ମୀ ମାଷ୍ଟର କ୍ୟାଣ୍ଟିନ ରେଳ ଷ୍ଟେସନରେ ପ୍ରତିବାଦ କରିଥିଲେ । ଦେଶରେ ନରେନ୍ଦ୍ର ମୋଦିଙ୍କ ଅଧିନରେ ଚାଲିଥିବା ଫାସିବାଦ ଶାସନର ବିରୋଧରେ ସ୍ଲୋଗାନ ଦେବା ସହ କିଛି ଘଣ୍ଟା ପାଇଁ ରେଳ ଚଳାଚଳ ବନ୍ଦ କରିଥିଲେ । ଏହାକୁ ନେଇ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ସହ ବହୁ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା ରେଲ ବିଭାଗ ପୋଲିସ । ସ୍ମୃତି ଲେଙ୍କା ସହ ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି ନିରଞ୍ଜନ ନାୟକ, କୃଷ୍ଣଚନ୍ଦ୍ର ମହାନ୍ତି ଓ ବିଭୁପ୍ରସାଦ ଜେନାଙ୍କୁ କୋର୍ଟ ଚାଲାଣ କରିଥିଲେ । ପରେ ବିଳମ୍ବିତ ରାତିରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରୁ ସ୍ମୃତିଙ୍କ ସହ ଅନ୍ୟ ତିନି ଯୁବ କଂଗ୍ରେସ ପଦାଧିକାରୀ ଜାମିନରେ ମୁକୁଳିଥିଲେ ।
ଜାମିନରେ ମୁକୁଳିବା ପରେ ସ୍ମୃତି ଲେଙ୍କା କହିଛନ୍ତି, "ଦେଶରେ ଏବେ ଅରାଜକତା ସୃଷ୍ଟି ହୋଇଛି । ଲୋକଙ୍କ ଜୀବନ ଜୀବିକା ଏବେ ପ୍ରଭାବିତ ହୋଇଛି । ଯେଉଁଥିପାଇଁ ରାହୁଲ ଗାନ୍ଧୀ ସ୍ୱର ଉତ୍ତୋଳନ କରିବା ସହ ଭାରତୀୟ ଗଣତନ୍ତ୍ରର ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି । ଯାହାକୁ ଦେଖି ମୋଦି ସରକାର ଏବେଠାରୁ ଅସ୍ତବ୍ୟସ୍ତ ହେଲେଣି । ଏହାସହ ଜାଣିଶୁଣି ସ୍ୱର ଉଠାଉଥିବା ରାହୁଲ ଗାନ୍ଧୀଙ୍କ ଉପରେ ଏଭଳି ଅନ୍ୟାୟ ବାରମ୍ବାର କରିଚାଲିଛି । ଯାହା ବାସ୍ତବରେ ଗଣତନ୍ତ୍ର ଶାସନ ବିରୋଧି । ରାହୁଲ ଗାନ୍ଧୀଙ୍କୁ ନାୟ ନମିଳିବା ପର୍ଯ୍ୟନ୍ତ ଜନ ଆନ୍ଦୋଳନ ଜାରି ରହିବ ।"
ପ୍ରକାଶଥାଉକି, ଫୌଜଦାରୀ ମାନହାନୀ ମାମଲାରେ ସୁରଟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ଚାଲିଯାଇଛି । ଏପରିକି ଲୋକସଭା ୱେବସାଇଟରୁ ତାଙ୍କ ନାମ ହଟାଇ ଦିଆଯାଇଛି । ଏହାବ୍ୟତୀତ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ଦିଆଯାଇଛି । ଯାହାଦ୍ୱାରା ସେ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ି ପାରିବେ ନାହିଁ । ଏହାକୁ ବିରୋଧ କରି ଦେଶ ସାରା ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ସୃଷ୍ଟି ହୋଇଛି । ଭାରତୀୟ ଗଣତନ୍ତ୍ରରେ ବିରୋଧିଙ୍କ ସ୍ୱର ଚାପି ଦେବା ପାଇଁ ନରେନ୍ଦ୍ର ମୋଦି ସରକାର ଫାସିବାଦ ଶାସନର ନମୁନା ଦେଖାଉଛନ୍ତି ବୋଲି ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତିି ।
ଇଟିଭି ଭାରତ, ଭୁବନେଶ୍ବର