ଖୋର୍ଦ୍ଧା: ଭାଗ ଦଖଲରେ ରହିଥିବା ଜମିରୁ ଉଚ୍ଛେଦ ପ୍ରତିବାଦରେ ୧୫ଟି ଭୂମିହୀନ ପରିବାର ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଖୋର୍ଦ୍ଧା ବ୍ଲକ କମ୍ପୁର ପଞ୍ଚାୟତ ଚମ୍ପାଝର ଏବଂ ପାଣିଛତ୍ର ଗ୍ରାମର ୧୫ଟି ପରିବାର ଦୀର୍ଘ ୩୬ ବର୍ଷ ଧରି ଚମ୍ପାଝର ମୌଜାର ୩୦ ଏକର ଜମିରେ ଭାଗ ଦଖଲ କରି ପରିବାର ଚଲାଇ ଆସୁଥିଲେ । ଏହି ଜମିକୁ ସରକାର ଶିଳ୍ପ ସଂସ୍ଥା ହାତକୁ ଟେକି ଦେଇଛନ୍ତି । ଏହାକୁ ଗ୍ରାମବାସୀ ତୀବ୍ର ବିରୋଧ କରୁଛନ୍ତି ।
ଶୁକ୍ରବାର ଏହି ଜମିରୁ ଉଚ୍ଛେଦ ଚାଲିଥିବା ବେଳେ ସେଠାରେ ରହୁଥିବା ପରିବାର ଏହାର ପ୍ରତିବାଦ କରିଥିଲେ । ଉଚ୍ଛେଦ କାର୍ଯ୍ୟକୁ ବନ୍ଦ କରିଥିଲେ । ଖବରପାଇ ସ୍ଥାନୀୟ ତହସିଲଦାର ପଦ୍ମଚରଣ ସାହୁ ସେଠାରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଭାଗ ଦଖଲ ଜମିରୁ ଉଚ୍ଛେଦକୁ ନେଇ ସଂପୃକ୍ତ ପରିବାର ଏବଂ ତହସିଲଦାର ମୁହାଁମୁହିଁ ହୋଇଥିଲେ । ଏହାର ପ୍ରତିବାଦରେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି ।
ଜିଲ୍ଲା କାର୍ଯ୍ୟାଳୟରେ କୌଣସି ଅଧିକାରୀଙ୍କୁ ନପାଇ ନ୍ୟାୟ ଦାବିରେ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ଅପରାହ୍ଣରେ ଜଣେ ପରେ ଜଣେ ଅଧିକାରୀ କାର୍ଯ୍ୟାଳୟରୁ କାର୍ଯ୍ୟସାରି ଫେରୁଥିବା ସତ୍ତ୍ୱେ କେହି ବି ସେମାନଙ୍କ ସମସ୍ୟାକୁ ଗୁରୁତ୍ବ ଦେଇନଥିଲେ । ଅନ୍ୟପଟେ ନ୍ୟାୟ ନ ମିଳିଲେ, ଧାରଣାରୁ ଉଠିବେ ନାହିଁ ବୋଲି ଜିଦରେ ଅଟଳ ରହିଛନ୍ତି ଆନ୍ଦୋଳନକାରୀ । ତହସିଲଦାର ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଗଣମାଧ୍ୟମ ଆଗରେ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ