ଖୋର୍ଦ୍ଧା: ଶିକ୍ଷକଙ୍କ ବଦଳିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଗ୍ରାମବାସୀମାନେ ବ୍ଲକ୍ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ବୋଲଗଡ ବ୍ଲକ୍ ଅନ୍ତର୍ଗତ ମାଣିକଗଡା ପଞ୍ଚାୟତର ଦେଳେଇ ସାହିର ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ସୂଚନାନୁସାରେ, ଗତ ଦୁଇ ବର୍ଷ ଧରି ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଶିକ୍ଷକଙ୍କୁ ବାରମ୍ବାର ବଦଳି କରାଯାଉଛି । ଚଳିତ ବର୍ଷ ମଧ୍ୟ ଅଷ୍ଟମ ଶ୍ରେଣୀ ଗଣିତ ଓ ବିଜ୍ଞାନ ପଢାଉଥିବା ଶିକ୍ଷକଙ୍କୁ ବଦଳି କରାଯାଇଛି । ଉଭୟଙ୍କ ବଦଳରେ ସଠିକ୍ ଯୋଗ୍ୟତା ହାସଲ କରିନଥିବା ଶିକ୍ଷକଙ୍କୁ ଅଣାଯାଇଛି । ଯହାଦ୍ବାରା ଏହା ପିଲାଙ୍କ ପାଠପଢାରେ ଗଭୀର ପ୍ରଭାବ ପକାଇବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ତୁରନ୍ତ ଉକ୍ତ ଶିକ୍ଷକଙ୍କୁ ବଦଳି କରାଯାଇ ପୂର୍ବରୁ ଥିବା ଦୁଇ ଶିକ୍ଷକଙ୍କୁ ଅଣାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଉକ୍ତ ଦାବିକୁ ପୂରଣ କରିବାକୁ ସୋମବାର ବିଇଓଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଅନଶନରେ ବସିଥିଲେ ଗ୍ରାମବାସୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ