ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଏବେ ଚାଷୀ ସମସ୍ୟା ଓ ଫସଲ ବୀମାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ରାଜ୍ୟରେ ବିରୋଧୀ ବିଜେପି ଶାସକ ଦଳକୁ ଦୋଷ ଦେଉଥିବା ବେଳେ ଶାସକ ଦଳ କେନ୍ଦ୍ର ଶାସନାଧୀନ ବିଜେପି ଉପରେ ଦୋଷ ଲଦିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏକ ପ୍ରେସ୍ମିଟ୍ କରି ରାଜ୍ୟ ସରକାରାଙ୍କ ଉପରେ ବର୍ଷିଛନ୍ତି । ଚାଷୀ ମାରଣ ନୀତିରେ ଏ ସରକାର ମାହିର୍ ବୋଲି ସେ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀ କରି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଏହି ସରକାର ସମୟରେ ସବୁଠୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି । ରାଜ୍ୟର 70 ଭାଗ ଜମି ଜଳସେଚିତ ହୋଇ ପାରିନି । ମରୁଡି ସହାୟତା ବି ଠିକ୍ ସମୟରେ ମିଳୁନି । ଉପନିର୍ବାଚନରେ ସରକାର ବିରୋଧୀ ହାୱାକୁ ଦେଖି ମୁଖ୍ୟମନ୍ତ୍ରୀ ଭୟଭୀତ । ଗତବର୍ଷ ହୋଇଥିବା ମରୁଡିର ସହାୟତା ପାଇଁ ଯେତେବେଳେ ଚାଷୀ ଆନ୍ଦୋଳନ କରୁଥିଲେ ସେବେ ସରକାର କିମ୍ବା ତାଙ୍କ ଦଳର ନେତା ମନ୍ତ୍ରୀଙ୍କ ଦୃଷ୍ଟି ବି ପଡି ନଥିଲା । ଆଉ ଏବେ ନିର୍ବାଚନ ଭୟରେ ପ୍ରହେଳିକା ସୃଷ୍ଟି କରାଯାଉଛି ।"
୨୦୨୧ ରେ ମସିହାରେ ପଦ୍ମପୁର ମରୁଡ଼ିର ଶିକାର ହୋଇଥିଲା । ତୁରନ୍ତ ତାହାର ଆସେସମେଣ୍ଟ୍ ପାଇଁ SRC ଚିଠି ଲେଖିଲେ । 2021ରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଚୁପ୍ ବସିଥିଲେ । ଆଉ ଧାନ କିଣାକୁ ବି ମିଲର ମାନେ ନିୟନ୍ତ୍ରଣ କଲେ । ଚାଷୀ ମେରୁଦଣ୍ଡ ଭାଙ୍ଗିଗଲା । ଦେଢ଼ ବର୍ଷ ହେଲା ନବୀନ ବାବୁ ତାଙ୍କ ମନ୍ତ୍ରୀମାନେ ଥିଲେ କେଉଁଠି ? ଡିସେମ୍ବର 2021 ରୁ ରିପୋର୍ଟ ଦେଇଛନ୍ତି, ଜିଲ୍ଲାପାଳ ମାତ୍ର ଗତ ଅଗଷ୍ଟ ରେ ଅର୍ଥାତ 8 ମାସ ପରେ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଲେ ଯେ ସରକାର କୌଣସି ନିଷ୍ପତ୍ତି ନେଇ ନଥିବା କଥା କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।
ଯଦି ଉପନିର୍ବାଚନ ନଥାନ୍ତା ତେବେ ସରକାର କୌଣସି ସହାୟତା ଦେଇ ନଥାନ୍ତେ । ଆଜି ବି ମୂଲ୍ୟାୟନ ଠିକ ଭାବେ ହୋଇନି । ଯଦି ସରକାର ବାସ୍ତବରେ ଚାହୁଁଛନ୍ତି ମରୁଡି ସହାୟତା ଦେବା ପାଇଁ ତେବେ କେଉଁ ମାନଙ୍କୁ ଦିଆଯିବ ତାହାର ଦସ୍ତାବିଜ୍କୁ ସାର୍ବଜନୀନ କରନ୍ତୁ । ଗଙ୍ଗାଧର ମେହେର ଜଳ ପ୍ରକଳ୍ପରେ ସେ ଅଞ୍ଚଳରେ ଜଳ ସେଚନ ହୋଇନି ।
1990 ମସିହାରେ ଯେବେ କମିଶନ ବସିଥିଲା ସେବେ ତାଙ୍କର ପ୍ରସ୍ତାବ ଥିଲା ପଦ୍ମପୁରକୁ ଜିଲ୍ଲା କରାଯାଉ । 2011 ମସିହାରୁ ସେ ଅଞ୍ଚଳର ବୁଦ୍ଧିଜୀବୀ ଆନ୍ଦୋଳନକୁ ଓହ୍ଲାଇଲେ । ତାଙ୍କ ସହିତ ତତ୍କାଳୀନ ବିଧାୟକ ପ୍ରଦୀପ ପୁରୋହିତ ବିଧାନସଭାରେ ଏ ଦାବି ଉଠାଇବା ବେଳେ ମନ୍ତ୍ରୀ କହିଥିଲେ ସେମିତି କୌଣସି ପ୍ରସ୍ତାବ ନାହିଁ । ପ୍ରଦୀପ ପୁରୋହିତ ନିଜେ ଗୋଟେ ଚିଠି ଲେଖିଲେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ । ମାତ୍ର ତାର କୌଣସି ଉତ୍ତର ମିଲିଲା ନାହିଁ । ଆଉ ଏବେ ଉପନିର୍ବାଚନକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଛି ବୋଲି କଟାକ୍ଷ କରିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।
ସୋହେଲାରେ ମୁଖ୍ୟମନ୍ତ୍ରୀ 100 ଟଙ୍କାର ବୋନସ୍ ଦେବାକୁ ଘୋଷଣା କରିଥିଲେ ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ କଲେ ପୃଥ୍ୱୀରାଜ ହରିଚନ୍ଦନ । ପଦ୍ମପୁର କୁ ପୁଣି ଆଜି ଥରେ ପ୍ରତାରିତ କରିବା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କହିଲା ବିଜେପି । ପ୍ରତାରିତ କରିବା ବଦଳରେ 22 ବର୍ଷ ପରେ ମୁଖ୍ୟମନ୍ତ୍ରୀ ସତ୍ୟ କହିବା ପାଇଁ ସାହସ ଜୁଟାନ୍ତୁ ବୋଲି କହିଛି ବିଜେପି ।