ଭୁବନେଶ୍ବର: ସ୍ଵତନ୍ତ୍ର ସ୍କୁଲ ଶିକ୍ଷକଙ୍କ ଗଣଧାରଣା । ରାଜ୍ୟରେ ଥିବା 104 ସ୍ଵତନ୍ତ୍ର ସ୍କୁଲର ଶିକ୍ଷକମାନେ ନିଜର ଦାବି ନେଇ ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି । ସରକାର ପୂର୍ବରୁ ଅନେକବାର ଆଶା ଦେଖାଇଛନ୍ତି ହେଲେ ଆଶା ସବୁବେଳେ ଆଶାରେ ହିଁ ରଖୁଛନ୍ତି ବୋଲି କହିଛନ୍ତି ଧାରଣରତ ଶିକ୍ଷକ ।
ରାଜ୍ୟରେ 104 ସ୍ଵତନ୍ତ୍ର ସ୍କୁଲରେ ଥିବା ପାଖାପାଖି 6 ହଜାର ପିଲାଙ୍କ ପାଇଁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ସେହିଭଳି ଭାବରେ ଶିକ୍ଷକଙ୍କ ପ୍ରତି ମଧ୍ୟ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛି ସଂଘ । ଏହା ସହ ବହୁ ବାର ସରକାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସରକାର କେବଳ ଆଶା ଦେଖାଉଛନ୍ତି, ଆଲୋଚନା କରାଯାଉଛି ହେଲେ କୌଣସି ସୁଫଳ ମିଳିନାହିଁ ବୋଲି କହିଛି ସଂଘ । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଦାବି କୁ ନେଇ ଅଭିଯୋଗ କରିଥିଲେ ।
ସ୍ବତନ୍ତ୍ର ଶିକ୍ଷକଙ୍କ ଦାବି
1. ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀଙ୍କ ପାଇଁ ନିଯୁକ୍ତି । ଚାକିରି ସମୟ, ଛୁଟି ସମୟ, କ୍ୟାଡର ରୁଲ ଓ ପେନସନ ପାଇବା ପାଇଁ ସବୁ ବ୍ୟବସ୍ଥା ପାଇଁ ଅର୍ଥ ବିଭାଗର ଅନୁମୋଦ ପାଇଁ କାବିନେଟ ମଞ୍ଜୁରୀ ସହ ଉପସ୍ଥାପନ କରାଯାଉ ।
2. ସ୍ୱତନ୍ତ୍ର ବିଦ୍ୟାଳୟରେ ଚୁକ୍ତି ଭିତିକ ଠିକା କର୍ମଚାରୀ ମାନଙ୍କୁ ନିୟମିତ କରାଯାଉ ।
3. ସରକାର ଘୋଷଣା କରିଥିବା ଦିନଠାରୁ ଇନିସିଆଲ ଆପଏଣ୍ଟ ମାନଙ୍କ ଦରମାକୁ ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀଙ୍କ ବକେୟା ପ୍ରାପ୍ୟ ଭାବେ ତୁରନ୍ତ ପ୍ରଦାନ କରାଯାଉ ।
4. ସ୍ୱତନ୍ତ୍ର ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମସ୍ତ ରେଗୁଲାର କର୍ମଚାରୀଙ୍କ ଏମଏସିପି ଫାଇଲକୁ ଅନୁମୋଦନ କରାଯାଇ ତୁରନ୍ତ ଏମଏସିପି ପ୍ରଦାନ କରାଯାଉ ।
5. ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀ ମାନଙ୍କ ସର୍ଭିସ ରେକର୍ଡକୁ ଏଚଆରଏମଏସ ପୋର୍ଟାଲରେ ଭାଲିଡ଼ କରାଯାଉ ।
6. ନୂତନ 52 ଗୋଟି ସ୍ୱତନ୍ତ୍ର ବିଦ୍ୟାଳୟ ମଧ୍ୟରୁ 10 ଗୋଟି ବିଦ୍ୟାଳୟକୁ ଯେଉଁ ଭଳି ଭାବେ ନାମ ଅନୁସାରେ ଆପୃଭାଲ ଲେଟର ପ୍ରଦାନ କରାଯାଉ ।
7. ସ୍ୱତନ୍ତ୍ର ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ଦିଆଯାଉ ।
8. ସ୍ୱତନ୍ତ୍ର ବିଦ୍ୟାଳୟରେ ସମସ୍ତ କର୍ମଚାରୀ ସରକାରଙ୍କ ଠାରୁ 100% ଅନୁଦାନ ପାଉଥିବା ବେଳେ ବିଭାଗର ନୂତନ ଗାଇଡଲାଇନରେ 90 ପ୍ରତିଶତ ସରକାର ଦେବେ ଓ 10 ପ୍ରତିଶତ ଏନଜିଓ ଦେବା ନିୟମକୁ ଉଚ୍ଛେଦ କରାଯାଉ ।
ଯଦି ସରକାର ଏହି ସବୁ ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି ସଂଘର ସାଧାରଣ ସମ୍ପାଦକ ସୁଧୀର କୁମାର ସେଠୀ ।
ଇଟିଭି ଭାରତ, ଭୁବନେଶ୍ବର