ଖୋର୍ଦ୍ଧା: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ଗାଁ ରାଜନୀତି । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ପଙ୍ଗାରସିଂହ ପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପୁଅକୁ ଅପହରଣ ମାମଲାରେ ଗତକାଲି ଥାନାରେ ଏତଲା ଦିଆଯାଇଥିଲା । ଆଜି (ଶୁକ୍ରବାର)ସକାଳୁ ବାଘମାରୀ ପୋଲିସ ନିଖୋଜ ପ୍ରତାପଙ୍କୁ ବେଗୁନିଆ ନିକଟରୁ ଉଦ୍ଧାର କରିଛି । ଏନେଇ ବାଘମାରୀ ଥାନା ଅଧିକାରୀ ଅର୍ଚ୍ଚନା ମଲ୍ଲିକ ସୂଚନା ଦେଇଛନ୍ତି ।
ସୂଚନାଅନୁସାରେ, ଗତକାଲି ପଙ୍ଗାରସିଂହ ପଂଚାୟତର ସରପଞ୍ଚ ପ୍ରାର୍ଥୀ ନିରୂପମା ମହାପାତ୍ରଙ୍କ ପୁଅ ପ୍ରତାପ ମହାପାତ୍ର ମାଙ୍କ ପାଇଁ ଘର ଘର ବୁଲି ନିର୍ବାଚନ ପ୍ରଚାର କରୁଥିବା ସମୟରେ ପୁଅ ପ୍ରତାପ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଏନେଇ ତାଙ୍କ ମା ବାଘମାରୀ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେଇ ଘଟଣାର ତନାଘନା କରିଥିବା ବେଳେ ଆଜି ନିଖୋଜ ପ୍ରତାପ ମହାପାତ୍ରକୁ ବେଗୁନିଆରୁ ଉଦ୍ଧାର କରିଛି । ନିର୍ବାଚନ ସମୟରେ ପ୍ରତାପଙ୍କୁ ବିରୋଧୀ ଅପହରଣ କରିଥିବା ତାଙ୍କ ମାଆ ଅଭିଯୋଗ କରିଥିବା ବେଳେ ଏନେଇ ପ୍ରତାପଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତଦନ୍ତ ପରେ ସତ୍ୟତା ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ