ଭୁବନେଶ୍ବର: ପିପିଲି ଟୋଲ ଗେଟ କର୍ମଚାରୀଙ୍କ ଦାଦାଗିରି । କେବଳ ଦାଦାଗିରି ନୁହେଁ । ଜଣେ ପୂର୍ବତନ ସାଂସଦ ତଥା ଖବର କାଗଜର ସମ୍ପାଦକଙ୍କ ସହ ଅଭଦ୍ରାମି କରିଛନ୍ତି ଟୋଲ ଗେଟ କର୍ମଚାରୀ । ଏମିତିକି ନାଲି ଆଖି ଦେଖାଇବାକୁ ପଛାଇ ନାହାନ୍ତି ଏହି କର୍ମଚାରୀ । କାରଣ ହେଉଛି ଟୋଲ ଗେଟ କର୍ମଚାରୀଙ୍କ ବେଆଇନ କାର୍ଯ୍ୟକୁ ବିରୋଧ କରିବା । ଯଦି ଜଣେ ଜଣାଶୁଣା ରାଜନୈତିକ ବ୍ୟକ୍ତିଙ୍କୁ ଏପରି ବ୍ୟବହାର ହେଉଛି, ତେବେ ସାଧାରଣ ପର୍ଯ୍ୟଟକଙ୍କ କଥା କିଏ ପଚାରୁଛି । ୨୦୦୦ ଟଙ୍କା ନୋଟକୁ ନେଇ ସେ ପୂର୍ବତନ ସାଂସଦ ତଥାଗତ ଶତପଥିଙ୍କ ସହିତ ଅଶୋଭନୀୟ ବ୍ୟବହାର କରିଥିବା ଜଣାପଡ଼ିଛି ।
ତଥାଗତ ଶତପଥୀ । ଢେଙ୍କାନାଳର ପୂର୍ବତନ ସାଂସଦ । ରାଜ୍ୟର ଏକ ପ୍ରତିଷ୍ଠିତ ଗଣମାଧ୍ୟମର ସମ୍ପାଦକ । ତାଙ୍କର ଆଉ ଗୋଟେ ବଡ଼ ପରିଚୟ ହେଉଛି ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀଙ୍କ ପୁଅ । ଆଜି କୌଣସି କାମରେ ସେ ପିପିଲି ଟୋଲ ଗେଟ ଦେଇ ଯାଉଥିଲେ । ଟୋଲ ଫି ପୈଠ କରିବା ପାଇଁ ସେ ୨୦୦୦ ଟଙ୍କା ନୋଟ ଦେଇଥିଲେ । ତେବେ ୨୦୦୦ ଟଙ୍କା ନେବାକୁ ଟୋଲ ଗେଟ କର୍ମଚାରୀ ମନା କରିଥିଲେ । କାହିଁକି ୨୦୦୦ ଟଙ୍କା ନେବ ନାହିଁ ବୋଲି ତଥାଗତ ପ୍ରଶ୍ନ କରିବାକୁ ଏନେଇ ସ୍ପଷ୍ଟ ଉତ୍ତର ମିଳିନଥିଲା । ପରେ ଟୋଲ ଗେଟର ଆଉ ଦୁଇ ଜଣ କର୍ମଚାରୀ ଆସି ପ୍ରଶ୍ନର ଉତ୍ତର ଦେବା ବଦଳରେ ତଥାଗତଙ୍କ ସହ ଯୁକ୍ତି ଆରମ୍ଭ କରିଥିଲେ । ମ୍ୟାନେଜର ସାର କହିଛନ୍ତି ୨୦୦୦ ଟଙ୍କା ନନେବା ପାଇଁ ଦୋହରାଇଥିଲେ ।
ତଥାଗତ ଓ ଟୋଲଗେଟ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ମୋବାଇଲରେ ରେକର୍ଡ ହୋଇଛି । ଯାହାକୁ ଟ୍ବିଟ କରିଛନ୍ତି ତଥାଗତ । ଟ୍ବିଟରେ ସେ ଜାତୀୟ ରାଜପଥ ପ୍ରାଧିକରଣ ଓ ଓଡିଶା ପର୍ଯ୍ୟଟନକୁ ଟ୍ୟାଗ କରିଛନ୍ତି । ସେ ଲେଖିଛନ୍ତି, "ପିପିଲି ଟୋଲ ଗେଟରେ ୨୦୦୦ ରଖିବା ଲାଗି ମନା କରାଯାଉଛି । ପର୍ଯ୍ୟଟନ ଦୃଷ୍ଟିରୁ ଏହି ରାସ୍ତା ଗୁରୁତ୍ବପୂର୍ଣ୍ଣ । ପୁନର୍ବାର ବିମୁଦ୍ରିକରଣର ପ୍ରଭାବ ବୋଲି ମାନିବାକୁ ପଡିବ । ମହାପ୍ରଭୁ ଜଗନ୍ନାଥଙ୍କ ଧାମ, ବିଶ୍ବପ୍ରସିଦ୍ଧ କୋଣାର୍କ, ମଧୁର ହ୍ରଦ ଚିଲିକାକୁ ଯୋଗାଯୋଗ କରେ ଏହି ରାସ୍ତା । ଆଗକୁ ରଥଯାତ୍ରା ମଧ୍ୟ ରହିଛି । ସୀମା ଟପୁଛନ୍ତି ରାଜ୍ୟରେ ଥିବା ବିଭିନ୍ନ ଟୋଲଗେଟର କର୍ମଚାରୀ । କେତେବେଳେ ବେଆଇନ ଭାବେ ଟଙ୍କା ଆଦାୟ କରୁଛନ୍ତି । ତାକୁ ବିରୋଧ କଲେ ଆକ୍ରମଣ କରୁଛନ୍ତି ।"
ଏହା ବି ପଢନ୍ତୁ- ଟୋଲଗେଟ ଆଦାୟ ନେଇ ତୁମୁଳକାଣ୍ଡ, କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟଟକଙ୍କ ମଧ୍ୟରେ ସଂଘର୍ଷ
କିଛି ଦିନ ପୂର୍ବରେ ଏମାନଙ୍କ ଦାଦାଗିରି କଟକ ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଟୋଲ ଗେଟ କର୍ମଚାରୀଙ୍କ ଆକ୍ରମଣରେ ଆହତ ହୋଇଥିଲେ ରାଜ୍ୟ ବାହାରର ପର୍ଯ୍ୟଟନ । ଯାହାକୁ ନେଇ ଦେଶରେ ଅପମାନିତ ହୋଇଥିଲା ରାଜ୍ୟ । ପୁନର୍ବାର ଏଭଳି ଘଟଣା ପିପିଲି ଟୋଲ ଗେଟରେ ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ଉଦବେଗ ପ୍ରକାଶ କରିଛନ୍ତି । ଗୋଟେ ପଟେ ଟୋଲ ଗେଟ କର୍ମଚାରୀ ବେଆଇନ କାର୍ଯ୍ୟ କରୁଛନ୍ତି । ଯାହାକୁ ବିରୋଧ କଲେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଅପମାନିତ କରାଯାଉଛି । ଟୋଲ ଗେଟ କର୍ମଚାରୀଙ୍କ ପରିଚୟ ମିଳିପାରିନାହିଁ । ଏନେଇ ପିପିଲି ଟୋଲ ଗେଟର ବରିଷ୍ଠ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା । କିନ୍ତୁ ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନା ଥାଉ କି ୨୦୦୦ ଟଙ୍କିଆ ନୋଟ ଫେରାଇ ନେବା ଲାଗି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଘୋଷଣା କରିଛି । ଗତ ମେ ୧୯ରେ ଆରବିଆଇ ୨୦୦୦ ହଜାର ଟଙ୍କିଆ ନୋଟକୁ ଖୁବଶୀଘ୍ର ମାର୍କେଟରୁ ଫେରାଇନେବାକୁ ଘୋଷଣା କରିଛି । ୨୦୦୦ ଟଙ୍କିଆ ନୋଟ ଜାରି ନ କରିବା ଲାଗି ମଧ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଆରବିଆଇ । ବର୍ତ୍ତମାନ ମାର୍କେଟରେ ଥିବା ୨୦୦୦ ଟଙ୍କିଆ ନୋଟକୁ ଫେରସ୍ତ ପ୍ରକ୍ରିୟା ଜାରି ରହିଛି । ୨୩ ମେ’ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୨୦୦୦ ଟଙ୍କା ବ୍ୟାଙ୍କରେ ବଦଳାଇ ହେବ । ୩୦ ସେପ୍ଟେମ୍ବର ପରେ ମଧ୍ୟ ୨୦୦୦ ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ଜାରି ରହିବ । ଅର୍ଥାତ ଏହା ସମ୍ପୂର୍ଣ୍ଣ ଭାବେ ଅଚଳ ହେବ ନାହିଁ ବୋଲି ଆରବିଆଇ କହିଛି ।
ଇଟିଭି ଭାରତ, ଭୁବନେଶ୍ବର