ଭୁବନେଶ୍ବର: ୧୦ ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇଲେ ମିଳୁଛି 200ରୁ 300 ଟଙ୍କା ପାରିଶ୍ରମିକ। ଏହି କଥା ଆମେ କହୁନାହୁଁ, କହୁଛନ୍ତି ଟଙ୍କା ବଦଳାଇବା ପାଇଁ ଆସିଥିବା ସାଧାରଣ ଲୋକେ। ଆଜି RBI ଭୁବନେଶ୍ଵର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ନୋଟ ବଦଳ ପାଇଁ ଲମ୍ବା ଲାଇନରେ ଛିଡ଼ା ହୋଇଥିବା କିଛି ଲୋକ ଏମିତି ପ୍ରତିକ୍ରିୟା ରଖିଛନ୍ତି।
ହାତରେ ଦୁଇ ହଜାର ଟଙ୍କିଆ ନୋଟ ଧରି ଖରାରେ RBI ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଛିଡା ହୋଇଛନ୍ତି ସାଧାରଣ ଲୋକେ। ମଜୁରୀ ପାଇବା ପାଇଁ ଲୋକେ ଖରାକୁ ମଧ୍ୟ ଖାତିର କରୁନଥିବା ଦେଖିବାକୁ ମିଳିଛି। କହିରଖୁଛୁ କି, ବ୍ୟାଙ୍କରେ ୨୦୦୦ ଟଙ୍କା ବଦଳର ଅବଧି ସରିବା ପରେ ଏବେ RBI ଆଗରେ ଲୋକଙ୍କ ଭିଡକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏନେଇ ଧାଡିରେ ଛିଡା ହୋଇଥିବା କିଛି ଲୋକ କହିଛନ୍ତି, "ନୋଟ ବଦଳାଇଲେ ଆମକୁ ମଜୁରୀ ମିଳୁଛି। ଏହିଥି ପାଇଁ ଆମେ ଛୁଆପିଲାଙ୍କୁ ନେଇ ଲମ୍ବା ଧାଡିରେ ଛିଡା ହୋଇଛୁ।"
ଖବରଅନୁସାରେ, ଘଣ୍ଟା ଘଣ୍ଟା ଧରି ଖରାରେ ଧାଡିରେ ଛିଡା ହୋଇ ଅଜଣା ବଡ ବଡ ପୁଞ୍ଜିପତି ଓ ସହରର ବିଭିନ୍ନ ବ୍ୟବସାୟୀଙ୍କ ପାଇଁ ଟଙ୍କା ଫେରାଉଛନ୍ତି ସାଧାରଣ ଲୋକେ। ଖାଲି ସେତିକି ନୁହେଁ ଟଙ୍କା ଫେରାଇବା ପାଇଁ ସେମାନଙ୍କୁ ତାଙ୍କର ଆଧାର କାର୍ଡ ଦେବାକୁ ପଡୁଛି। ଯେଉଁ ଅଜଣା ବ୍ୟକ୍ତିମାନେ ଏମାନଙ୍କୁ ମୋହରା କରି ଟଙ୍କା ଫେରାଇବାକୁ ଆସୁଛନ୍ତି ସେମାନେ ଟଙ୍କା ଦେବା ଯାଏଁ ପୁଞ୍ଜିପତିଙ୍କ ଏଜେଣ୍ଟମାନେ ଏହି ସାଧାରଣ ଲୋକ ଉପରେ ନଜର ରଖିବା ସହ ଟଙ୍କା ଫେରାଇବା ଯାଏଁ ଆଧାର କାର୍ଡକୁ ସୁରକ୍ଷା କବଚ ପରି ରଖୁଛନ୍ତି। ତେବେ ଗରିବ ଦିନ ମଜୁରିଆ ପେଟ ପାଟଣା ପାଇଁ ଓ ନିଜର ପାରିଶ୍ରମିକ ନେବା ପାଇଁ ଏଭଳି ଟଙ୍କା ବଦଳ ପାଇଁ ଧାଡିରେ ଛିଡା ହେଉଥିବା ବେଳେ କିଏ ଟଙ୍କା ଦେଉଛି ତାହା ଆମେ ଜାଣିନଥିବା କଥା କହିଛନ୍ତି ସାଧାରଣ ଲୋକେ।
ଏହା ମଧ୍ୟ ପଢନ୍ତୁ: 2000 ଟଙ୍କିଆ ବଦଳର ଆଜି ଶେଷ ଦିନ; ଡେଡଲାଇନ ସରିଲା ପରେ ବି ଏମିତି କରିହେବ ଏକ୍ସଚେଞ୍ଜ
ଆମର ମଜୁରୀ ଦରକାର ଆଉ ତାଙ୍କର ବଦଳ ନୋଟ, ତେଣୁ ଆମେ ଟଙ୍କା ପାଇଁ ଏଭଳି କରୁଛୁ ବୋଲି କହିଛନ୍ତି ଲୋକେ। ଗୋଟିଏ ନୁହେଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଲୋକେ ଆସି ଆମକୁ ଏଭଳି କାର୍ଯ୍ୟ କରିବାକୁ ମଜୁରୀ ଦେଉଛନ୍ତି ବୋଲି କହିଛନ୍ତି ନୋଟ ବଦଳାଇ ପାଇଁ ଆସିବାକୁ ଲୋକେ। ତେବେ ଖାଲି ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକମାନେ ୨୦୦୦ ଟଙ୍କା ନୋଟ ବଦଳାଇବା ପାଇଁ ଭିଡ ଜମାଇଛନ୍ତି । ତେବେ ଆଜି ସକାଳୁ ସକାଳୁ ଆଇବିଆଇ ଠାରୁ ରବୀନ୍ଦ୍ର ମଣ୍ଡପ ଯାଏଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।
ଅନ୍ୟପଟେ ଆଞ୍ଚଳିକ ନିର୍ଦେଶକ ସାରଦା ପ୍ରସନ୍ନ ମହାନ୍ତି କହିଛନ୍ତି, "୨ ହଜାର ଟଙ୍କିଆ ବଦଳ ଓ ଜମା ପାଇଁ ବ୍ୟବସ୍ଥା ଅଛି । ପ୍ରତିଦିନ ଏବେ ଏଠାକୁ ପାଖାପାଖି ୨ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ଆସୁଛି । ସେଥିରୁ ପ୍ରାୟ ୯୫ ଭାଗ ବଦଳ ହେଉଛି ଓ ମାତ୍ର ୫ ପ୍ରତିଶତ ଜମା ହେଉଛି ।" ତେବେ ସାଧାରଣ ଲୋକେ ଏତେ ଟଙ୍କା ଆଣୁଛନ୍ତି କେଉଁଠୁ ? ବଡ ଲୋକଙ୍କ କଳା ଟଙ୍କାକୁ ଧଳା କରାଯାଉନି ତ? ଏହା ପଛରେ ବଡ ରାକେଟ କାମ କରୁନି ତ? 2ହଜାର ଟଙ୍କିଆ ନୋଟ ବଦଳାଇବାକୁ ନେଇ ଆଇବିଆଇ ଆଗରେ ଭିଡ ପରେ ସମସ୍ତଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି।
ଇଟିଭି ଭାରତ, ଭୁବନେଶ୍ବର