ଭୁବନେଶ୍ବର: ଚଳିତ ମାସ ୨୮ ତାରିଖ ଦିନ ଦିଲ୍ଲୀରେ ନୂତନ ସଂସଦ ଭବନର ଉଦ୍ଘାଟନ ହେବ । ସେହିଦିନ ବୀର ସାଭରକରଙ୍କ ଜୟନ୍ତୀ ପଡୁଥିବା ବେଳେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବା ପାଇଁ ସ୍ଥିର ହୋଇସାରିଛି । ଏହି ତମାତ ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନୁହେଁ, ବରଂ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରନ୍ତୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ୍ କରି ଦାବି କରିଛନ୍ତି । ଏପଟେ ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ସେ କହିଛନ୍ତି, "ନୂତନ ସଂସଦ ଭବନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିବା ପାଇଁ ରାହୁଲ ଗାନ୍ଧୀ ଯେଉଁ ଦାବି ରଖିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମାନ ଦାବି ରଖିବା ଉଚିତ । କାରଣ ପ୍ରତ୍ୟେକ କ୍ଷେତ୍ରରେ ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ସବୁବେଳେ ଯେଉଁ ମାଆକୁ ସମ୍ମାନ କଥା କହିଥାନ୍ତି, ଏହାଦ୍ବାରା ତାଙ୍କ ନାରାର ମୂଲ୍ୟ ରହିବ । ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରାର୍ଥିତ୍ବକୁ ମଧ୍ୟ ସେ ମଧ୍ୟ ପୂର୍ଣ୍ଣମାତ୍ରାରେ ସମର୍ଥନ କରିଥିଲେ । ଦେଶର ସଂସଦ ଭବନ ଯଦି ମହାମହିମ ରାଷ୍ଟ୍ରପତି ଉଦ୍ଘାଟନ କରନ୍ତି ତେବେ ଦଳମତ ନିର୍ବିଶେଷରେ ଏହାକୁ ସମସ୍ତେ ପସନ୍ଦ କରିବେ ଏବଂ ସମ୍ମାନ ମଧ୍ୟ ଦେବେ ।" ତେଣୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବିକୁ ନିଶ୍ଚିତ ରୂପେ ରଖିବେ ବୋଲି ପିସିସି ସଭାପତି ଆଶାବ୍ୟକ୍ତ କରିଛନ୍ତି ।
ପ୍ରକାଶ ଥାଉ କି, ଆସନ୍ତା ମେ ୨୮ ତାରିଖରେ ନୂତନ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦ୍ଘାଟନ କରିବା ନେଇ ସ୍ଥିର ହୋଇସାରିଛି । ଏନେଇ ଲୋକସଭା ବାଚସ୍ପତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରିସାରିଛନ୍ତି । ତେବେ ଏଭଳି ସ୍ଥଳେ ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ସେଦିନ ବୀର ସାଭରକରଙ୍କ ଜୟନ୍ତୀ ପଡୁଛି । ଏଥିପାଇଁ ଆରମ୍ଭ ହୋଇଛି ରାଜନୀତି । ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ନୂତନ ସଂସଦ ଭବନକୁ ରାଷ୍ଟ୍ରପତି ଉଦ୍ଘାଟନ କରନ୍ତୁ ବୋଲି ମତ ରଖିଛନ୍ତି ରାହୁଲ ଗାନ୍ଧୀ । ନୂତନ ସଂସଦ ଭବନରେ ମୋଟ ୧ ହଜାର ୨୭୨ଟି ସିଟ୍ ରହିଛି । ଲୋକ ସଭାରେ ୮୮୮ଟି ସିଟ୍ ରହିଥିବାବେଳେ ରାଜ୍ୟସଭାରେ ରହିଛି ୩୮୪ଟି ସିଟ୍ । ଏହି ନୂତନ ସଂସଦ ଭବନ ନିର୍ମାଣରେ ପ୍ରାୟ ୯ ଶହ କୋଟି ଟଙ୍କା ବ୍ୟୟ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର