ଭୁବନେଶ୍ବର: ସାମ୍ପ୍ରତିକ ସ୍ଥିତିରେ ରାଜ୍ୟ ରାଜନୀତିରେ ଏବେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ସବୁଆଡେ ଚର୍ଚ୍ଚା । କେତେବେଳେ ନିଜ ସମ୍ପାଦକୀୟରେ ତ ଆଉ କେତେବେଳେ ବିଭିନ୍ନ ମଞ୍ଚରୁ ସୌମ୍ୟ 5T ସଚିବଙ୍କୁ ଟାର୍ଗେଟ କରୁଥିବାବେଳେ, ବିଜେଡି ପକ୍ଷରୁ ଏବେ ତାଙ୍କୁ ତୀବ୍ର ବିରୋଧର ସାମ୍ନା କରିବାକୁ ପଡୁଛି । ପୂର୍ବରୁ ବିଜେଡି ନେତା ଅନୁଭବ ପଟ୍ଟନାୟକ ସୌମ୍ୟଙ୍କୁ କାଉଣ୍ଟର କରୁଥିବାବେଳେ ଏବେ ଏକାଧିକ ବିଜେଡି ନେତା ଓ ବିଧାୟକ ସୌମ୍ୟଙ୍କୁ ସମାଲୋଚନା କରୁଛନ୍ତି । ସୌମ୍ୟ ମଧ୍ୟ ବିଜେଡି ନେତାଙ୍କ ସମାଲୋଚନାର ଜବାବ ରଖିଛନ୍ତି । ସେପଟେ ସୌମ୍ୟଙ୍କ ସମର୍ଥନରେ କଂଗ୍ରେସ ବାହାରିଥିବାବେଳେ ତାଙ୍କୁ ଚେକ୍ ଦେବା ପାଇଁ ବିଜେଡି ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ ।
ବିଜେଡି ବିଧାୟକମନେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ସୌମ୍ୟ ବାବୁ ଜଣେ ଜ୍ଞାନୀଗୁଣୀ ବ୍ୟକ୍ତି । ଓଡିଶା ପାଇଁ ତାଙ୍କର ଢେର ଅବଦାନ ରହିଛି । ଏହା ହେଉଛି ବିଜେଡି ଦଳର କଥା । ତାଙ୍କ ଦଳ ଭିତର କଥାରେ ମୁଁ ମନ୍ତବ୍ୟ ଦେବା ଠିକ ହେବନାହିଁ । ହେଲେ ସୌମ୍ୟ ବାବୁ ଖବରକାଗଜରେ ଯାହା ଲେଖିଥିଲେ ଯଥାର୍ଥ କଥା ଲେଖିଥିଲେ । ଯେଉଁକଥା ସମ୍ବିଧାନ ବିରୋଧୀ, ସେହି କଥା ଲେଖିଥିଲେ । ଗରିବ ଓଡ଼ିଆ ଲୋକଙ୍କ ପଇସାର 5T ସଚିବ ହେଲିକାପ୍ଟରରେ ବୁଲିବା କେତେ ଦୂର ଠିକ ? ଯେଉଁଠି ୬୦୦ କୋଟି ଟଙ୍କାରେ ଚନ୍ଦ୍ରଜାନ ଚନ୍ଦ୍ରରେ ପହଞ୍ଚିଗଲା, ସେଠାରେ 5T ସଚିବଙ୍କ ଗସ୍ତରେ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେଲାଣି । ତେବେ ବିଜେଡି ନେତାମାନେ ଯେଉଁଭଳି ଭାବରେ ସୌମ୍ୟଙ୍କୁ ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି, ତାହା ରାଜନୀତି ପାଇଁ ଶୁଭଙ୍କର ନୁହେଁ । ଯଦି ବିଜେଡିକୁ ସୌମ୍ୟ ବାବୁ ବ୍ଲାକମେଲ୍ କରୁଛନ୍ତି, ତେବେ ଦଳ କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ?" ତେବେ ସୌମ୍ୟ ବାବୁ ହୁଅନ୍ତୁ କି ଅରୁଣ ବାବୁ, ଯିଏ କଂଗ୍ରେସ ଦଳକୁ ଫେରିବାକୁ ଚାହୁଁଛନ୍ତି, ଆମେ ସମସ୍ତଙ୍କୁ ସ୍ବାଗତ କରିବୁ ବୋଲି କହିଛନ୍ତି ଶରତ । ସେପଟେ ଉଭୟ ସୌମ୍ୟ ଏବଂ ବିଜେଡିକୁ କଂଗ୍ରେସ ନେତା ଶରତ ରାଉତ ସମାଲୋଚନା କରିଛନ୍ତି । ଯେଉଁମାନେ ନିଜ ସ୍ବାର୍ଥ ପାଇଁ ଦଳ ବଦଳ କରନ୍ତି, ତାଙ୍କୁ କୌଣସି ଦଳ ଗ୍ରହଣ କରିବା ଠିକ ନୁହେଁ ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଅରୁଣ କହିଲେ ସରକାରକୁ ବ୍ଲାକମେଲ କରୁଛନ୍ତି ସୌମ୍ୟ, ଏମିତି ଜବାବ ଦେଲେ ଖଣ୍ଡପଡା ବିଧାୟକ
ସେପଟେ ବରିଷ୍ଠ ରାଜନୀତି ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି, "ବିଜେଡି ପାଇଁ ଏବେ ସତର୍କ ଘଣ୍ଟି ବାଜିଛି । ଦଳ ଭିତରେ ମୁଣ୍ଡ ଟେକିଥିବା ଅସନ୍ତୋଷ ଯଦି ପ୍ରଶମିତ ନହୁଏ, ଆଗକୁ ଏହା ଭୟଙ୍କର ରୂପ ନେବ । ଯାହା ଅନୁମାନ କରାଯାଉଛି ଏଥର ବିଜେଡି ସୌମ୍ୟଙ୍କ ଉପରେ ଆକ୍ସନ ନେବ ।" ପ୍ରକାଶଯୋଗ୍ୟ, ବିଜେଡିର ଏକାଧିକ ନେତା, ମନ୍ତ୍ରୀ ତଥା ବିଧାୟକ ସୌମ୍ୟଙ୍କୁ ଟାର୍ଗେଟ କରିବାପରେ ଆଜି ସୌମ୍ୟ ମଧ୍ୟ ପ୍ରତିଜବାବ ଦେଇଛନ୍ତି । ଦଳବଦଳ ପ୍ରସଙ୍ଗରେ କଡ଼ା ଉତ୍ତର ଦେଇଛନ୍ତି ବିଧାୟକ ସୌମ୍ୟ । ମତ ପରିବର୍ତ୍ତନ ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି କହିବା ସହ କେନ୍ଦ୍ରରେ ବିଜେପିକୁ ବିଜେଡିର ସମର୍ଥନର ଉଦାହରଣ ଦେଇଛନ୍ତି । ନବୀନ ବାବୁ ୧୫ ଦିନରେ ଥରେ ମତ ପରିବର୍ତ୍ତନ କରୁଛନ୍ତି ବୋଲି କହିଛନ୍ତି ସୌମ୍ୟ । ୨୦୧୯ରେ କହିଲେ କେନ୍ଦ୍ରକୁ ବିରୋଧ କରିବା, ହେଲେ ପରବର୍ତ୍ତୀ ପରିସ୍ଥିତିରେ କଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର