ଭୁବନେଶ୍ବର: ଜଳ ସମ୍ପଦ ବିଭାଗ ତରଫରୁ ଫେବୃଆରୀ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ । ଏଥିପାଇଁ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଜଳ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ଏହାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତଗୁଡିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସହଭାଗୀ ଜଳସେଚନ ମାଧ୍ୟମରେ ତୃଣମୂଳସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି ଆଦି ପରିପ୍ରେକ୍ଷୀରେ ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି ।
ଚଳିତ ବର୍ଷ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖରେ ସମସ୍ତ ଡିଭିଜନ ସ୍ତରରେ, ଫେବୃଆରୀ ୮ ରେ ସମସ୍ତ ଜିଲ୍ଲା ଏବଂ ଫେବୃଆରୀ ୧୫ରେ ରାଜ୍ୟସ୍ତରରେ ଏହିପରି ୩ଟି ସ୍ତରରେ ପାଳନ କରାଯିବ । ପାଣି ପଞ୍ଚାୟତର ଭୂମିକା ସମ୍ପର୍କରେ ବାର୍ତ୍ତା ନେଇ ସଚେତନତା ରଥ ପରିକ୍ରମା କରିବ । ଏହି ରଥ ପରିକ୍ରମା କାର୍ଯ୍ୟକୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ବିଧାୟକ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ପତାକା ଦେଖାଇ ଶୁଭାରମ୍ଭ କରିବେ । କୋଭିଡ ପରିପ୍ରେକ୍ଷୀରେ ଗତ ୨ ବର୍ଷ ଧରି ଏହି ପକ୍ଷ ପାଳନ କରାଯାଇ ପାରିନଥିଲା । ବିଭିନ୍ନ ଡିଭିଜନସ୍ତରରେ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ଚିତ୍ର ଓ କୁଇଜ ଆଦି ପ୍ରତିଯୋଗିତା ଆରମ୍ଭ ହୋଇଛି । ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ନ ସ୍ତରରେ ପ୍ରଦର୍ଶନୀ ଓ ପାଣି ପଞ୍ଚାୟତ ସମାବେଶମାନ ଆୟୋଜନ କରାଯିବ । ଏହା ସହିତ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ମାଧ୍ୟମରେ ଜଳର ଉପଯୁକ୍ତ ବିନିଯୋଗ ନେଇ ସାମାଜିକ-ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ସଂପର୍କରେ ସଚେତନତା ଓ ପାଣି ପଞ୍ଚାୟତ ରଥ ପରିକ୍ରମା କରିବ ।
ଏହି ପରିପ୍ରେକ୍ଷୀରେ ବ୍ୟାନର ପ୍ରସ୍ତୁତି, ପାଣି ପଞ୍ଚାୟତ ପକ୍ଷ ପାଳନ ଲୋଗୋ, ସ୍ଲୋଗାନ, ସଙ୍ଗୀତ, ଶପଥ ପାଠ ଆଦି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ବିଭିନ୍ନ ଜିଲ୍ଲା ପାଇଁ ଜଳ ପ୍ରଭାରୀ ଭାବେ ନିୟୋଜିତ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଏହି ସବୁ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଦାୟିତ୍ବ ଦିଆଯାଇଛି । ଜଳ ସମ୍ପଦ ବିଭାଗ ବର୍ଷବର୍ଷ ଧରି ରାଜ୍ୟରେ ଜଳ ସମ୍ପଦ ନିରନ୍ତର ବିକାଶ ଓ ଜଳ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରି ଆସୁଛି । ରାଜ୍ୟରେ ୫-ଟି ଉପକ୍ରମ ଆଧାରରେ କାର୍ଯ୍ୟ ପରିଚାଳନା, ଜଳ ସମ୍ପଦ ବିଭାଗରେ ନୂଆ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି କରିଛି ।
ତନ୍ମଧ୍ୟରେ ବିଭାଗରେ ଅନଲାଇନ ବ୍ୟବସ୍ଥାରେ ଅଭିଯୋଗର ସମାଧାନ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ, ବନ୍ୟା ସମ୍ପର୍କରେ ସମୟଭିତ୍ତିକ ପ୍ରାକ୍ ସ୍ଥିତିର ସଠିକ ଆକଳନ, ଶିଳ୍ପ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ଅନ୍ଲାଇନ୍ ବ୍ୟବସ୍ଥାରେ ଜଳ ଆବଣ୍ଟନ, ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗରେ ବିଭାଗୀୟ ବିଭିନ୍ନ କାର୍ଯ୍ୟର ତଦାରଖ ବ୍ୟବସ୍ଥାକୁ ଦକ୍ଷତାର ସହିତ ନିର୍ବାହ କରିବା, ଭୂତଳ ଜଳର ମାତ୍ରା ଜାଣିବା, ଜଳ ସଂରକ୍ଷଣ, ଜଳ ସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଅଧିକ ଜ୍ଞାନ ସଂପନ୍ନ ଅନୁଷ୍ଠାନ ବା ବ୍ୟକ୍ତି ବିଶେଷଙ୍କ ସହଭାଗିତାକୁ ଜଳସମ୍ପଦ ବିଭାଗ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ।
ବିଭିନ୍ନ ଅଞ୍ଚଳରେ ପାଣି କିପରି ଶେଷ ମୁଣ୍ଡରେ ଥିବା ଜମିକୁ ପହଞ୍ଚି ପାରିବ, ସେଥିପ୍ରତି ଗୁରୁତ୍ବ ଦିଆଯାଇ ଅନେକଗୁଡିକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ପାଣି ପଞ୍ଚାୟତ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇ ଜଳ ବ୍ୟବହାର କରୁଥିବା କୃଷକଙ୍କ କ୍ଷେତ୍ରରେ ପତି ବା ପତ୍ନୀଙ୍କୁ ପାଣି ପଞ୍ଚାୟତ ସଦସ୍ୟା ଭାବେ ନିଆଯାଇଛି । ମେଗା ଲିଫ୍ଟ ପ୍ରକଳ୍ପଗୁଡିକ ଅଧିନରେ ପାଣି ପଞ୍ଚାୟତ ଗଠନ କରାଯାଇଛି ।
ପାଣି ପଞ୍ଚାୟତଗୁଡିକର କାର୍ଯ୍ୟାବଳୀ ସମ୍ପର୍କରେ ଜାଣିବା ପାଇଁ ସୂଚନା ଓ ପ୍ରଯୁକ୍ତି ଉପକ୍ରମ ଆଧାରରେ ଇ-କାଡ୍ (ଇ-ସିଏଡି) ଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ନିକଟରେ ୧୪୦୦୦ରୁ ଅଧିକ ପାଣି ପଞ୍ଚାୟତ ପୁନର୍ଗଠନ କରାଯାଇଥିବା ବେଳେ ଭୂତଳ ପାଇପ ଯୋଗେ ଜଳଯୋଗାଣ, ପାଣି ପଞ୍ଚାୟତ ଗୁଡିକର ଉନ୍ନତିକରଣ ପାଣି ପଞ୍ଚାୟତ କର୍ମୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର