ଖୋର୍ଦ୍ଧା: ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ନେଇ ସାରା ରାଜ୍ୟରେ ତେଜିବାରେ ଲାଗିଛି ଅସନ୍ତୋଷ । ସରକାରଙ୍କ ସଂରକ୍ଷଣ ତାଲିକା ବିରୋଧରେ ବଢୁଛି ବିବାଦ । ଆଜି ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ପୋଡାଡିହ ଗ୍ରାମ ପଞ୍ଚାୟତରେ ।
ପଞ୍ଚାୟତବାସୀଙ୍କ ଅଭିଯୋଗ ନିର୍ବାଚନ ପାଇଁ ଗତ ୨୫/୧୦ ରେ ପ୍ରକାଶିତ ସଂରକ୍ଷଣ ତାଲିକାରେ ପୋଡାଡିହ ଅଣସଂରକ୍ଷିତ ମହିଳାଙ୍କ ପାଇଁ ରହିଥିଲା । କିନ୍ତୁ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପଛୁଆ ବର୍ଗଙ୍କୁ ଉଚ୍ଛେଦ କରି ସାଧାରଣ ବର୍ଗ କରିବା ପାଇଁ ନିର୍ଦ୍ଦେଶ ନାମା ଦେଇଥିଲେ । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଜିଲ୍ଲା ପ୍ରଶାସନ ଗୁରୁତ୍ବ ନଦେଇ ୨୭/୧୨ ରେ ପ୍ରକାଶିତ ସଂରକ୍ଷଣ ତାଲିକାରେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଯାହାର ପ୍ରତିବାଦରେ ଆଜି ପୋଡାଡିହ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସୂଚିତ ଜାତିର ଅନୁପାତରେ ପୋଡାଡିହ ପଞ୍ଚାୟତର ୬ ନମ୍ବର ରହିଛି ।
ସେହିପରି ଅନୁସୂଚିତ ଜନଜାତି ସଂଖ୍ୟା ବୃଦ୍ଧି କରିବା ପାଇଁ ମୃତ୍ୟୁ ବରଣ କରିସାରିଥିବା ଲୋକମାନଙ୍କୁ ଭୋଟ ତାଲିକାରେ ଯୋଡାଯାଇଛି । ତୁରନ୍ତ ହାଇକୋର୍ଟ ନିର୍ଦ୍ଦେଶକୁ ପାଳନ କରିବା ସହ ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ସଂଶୋଧନ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ