ଭୁବନେଶ୍ବର: ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଇଲେ ବିଦାୟୀ ବିଜେପି ସଭାପତି ସମୀର ମହାନ୍ତି । ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ସମୀର ଶୁଭେଚ୍ଛା ଜଣାଇବା ସହ ତାଙ୍କ କାର୍ଯ୍ୟକାଳକୁ ସମର୍ଥନ ସହଯୋଗ କରିଥିବାରୁ ଦଳୀୟ ନେତା କର୍ମୀ ଓ ଶୁଭେଛୁଙ୍କ କୃତଜ୍ଞତା ଜଣାଇଛନ୍ତି ।
ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ବିଦାୟୀ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ‘‘ବିଜେପି ହେଉଛି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ। ଏହା ଏକମାତ୍ର ଦଳ ଯେଉଁଠି ଆଭ୍ୟନ୍ତରୀଣ ଗଣତନ୍ତ୍ର ଅଛି ସମ୍ବିଧାନ ଅଛି। ସମ୍ବିଧାନ ଅନୁସାରେ ବିଜେପି ସଭାପତି ତିନିବର୍ଷ ପାଇଁ ଦାୟିତ୍ଵ ନେଇଥାନ୍ତି। ମୋ ପକ୍ଷରେ ବି ସେମିତି ହୋଇଛି। ନୂତନ ଭାବେ ଚୟନ ହୋଇଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଉଛି ।"
ଏହାସହ ଓଡିଶା ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଲେ ସମୀର । ସମୀର କହିଛନ୍ତି ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ବୋଲି ଆଶା ଅଛି । 2020 ଜାନୁଆରୀ 17 ରୁ ମାର୍ଚ୍ଚ 23 2023 ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ଥିଲେ ସମୀର ମହାନ୍ତି ।
ଏହାବି ପଢନ୍ତୁ- Bjp New President: ଲଢେଇର ନେତୃତ୍ବ ନେବେ ମନମୋହନ, ଶକ୍ତି ଯୋଗାଇବେ ବରିଷ୍ଠ ନେତା
ସୂଚନାଯୋଗ୍ୟ ଯେ, ଆଜି ବରିଷ୍ଠ ବିଜେପି ନେତା ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂତନ ସଭାପତି । ଏହି ଗୁରୁଦାୟିତ୍ବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସମୀର ମହାନ୍ତିଙ୍କ ବଦଳରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି । ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ମନମୋହନଙ୍କ ନେତୃତ୍ୱରେ ଦଳ ନିର୍ବାଚନୀ ମଇଦାନକୁ ଓହ୍ଲାଇବ । 2024 ସାଧାରଣ ନିର୍ବାଚନ ପୂର୍ବରୁ ଏହା ଏକ ବଡ଼ ପରିବର୍ତ୍ତନ। ଏହା ପୂର୍ବରୁ ମନମୋହନ ମଧ୍ୟ ରାଜ୍ୟ ବିଜେପିର ସଭାପତି ଦାୟିତ୍ୱ ତୁଲାଇ ସାରିଛନ୍ତି । ସେହିଭଳି ଦେଖିବାକୁ ଗଲେ ନିକଟରେ ହୋଇଥିବା ଧାମନଗର ଉପନିର୍ବାଚନରେ ଦଳର ବିଜୟଲାଭ ପଛରେ ମନମୋହନ ସାମଲଙ୍କର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ମନମୋହନ ସାମଲଙ୍କ ନିଯୁକ୍ତି ପରେ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ମନମୋହନ ସାମଲ ଜଣେ ଅଭିଜ୍ଞ ନେତା । ଧାମନଗର ଉପନିର୍ବାଚନରେ ଜିତିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତାଙ୍କ ନେତୃତ୍ଵରେ ବିଜେପି ସଫଳତାର ଶୀର୍ଷରେ ପହଞ୍ଚିବ। ଦଳର ସମସ୍ତ ନେତା କର୍ମୀ ମଧ୍ୟ ମନମୋହନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର