ଭୁବନେଶ୍ବର: ଓଟିପି ସେୟାରିଂ ମାମଲା ତଦନ୍ତରେ ଦିନକୁ ଦିନ ନୂଆ ମାମଲା ସାମ୍ନାକୁ ଆସୁଛି । ପାକିସ୍ତାନ ଆର୍ମି ଯାଏଁ ଲମ୍ବିଛି ଓଟିପି ଲିଙ୍କ୍ । ଓଟିପି ସେୟାରିଂ ପଛରେ ପାକିସ୍ତାନ ଆର୍ମିର ହାତ ଥିବା ଜଣାପଡ଼ିଛି । NIA ଓ ATS ପରେ ସେଣ୍ଟ୍ରାଲ ଆଇବିକୁ ଏହି ସୁରାଗ ମିଳିଛି । ପାକ୍ ଆର୍ମି ଇଣ୍ଟେଲିଜେନ୍ସର ହାତ ଥିବା ଜଣାପଡିବା ପରେ ତତ୍ପରତା ଦେଖାଇଛି ଆଇବି । ୪ ଦିନିଆ ରିମାଣ୍ଡ ସରିବା ପରେ ଅଭିଜିତକୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ।
ଭାରତର ଓଟିପି ସେୟାରିଂ ନେଟୱାର୍କ ପଛରେ ପାକ୍ ଆର୍ମି ଲିଙ୍କ୍ ଥିବା ଜଣାପଡିଛି । 4 ଦିନିଆ ରିମାଣ୍ଡରେ ଆସିଥିବା ଅଭିଜିତ ସଞ୍ଜୟ ଜାମ୍ବୁରେଠାରୁ ଏହି ଲିଙ୍କ୍ କଥା ସାମ୍ନାକୁ ଆସିବା ପରେ ଏବେ ସ୍କାନରରେ ପାକ୍ ଆର୍ମି ଇଣ୍ଟେଲିଜେନସ ଅଫିସର ଅବଦୁଲ ହମିଦ । ଗତ ଦୁଇଦିନ ଧରି ଅଭିଜିତ ଜାମ୍ବୁରେକୁ NIA ଓ ATS ଜେରା କରିବା ପରେ ପରେ ତଥ୍ୟ ସଂଗ୍ରହ କରିଛନ୍ତି ଇଣ୍ଟେଲିଜେନ୍ସ ଏଜେନ୍ସିର ଇଣ୍ଟେଲିଜେନସ ଅଫିସର । ଏସ୍ଟିଏଫ୍ ଅଫିସର ଘଟଣାର ଯାଞ୍ଚ କରିଛନ୍ତି । ଏସ୍ଟିଏଫ୍ ଆଇଓ ଆଇଜି ଓ ଏସ୍ପିଙ୍କୁ ଭେଟି ତଥ୍ୟ ହାସଲ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ଗିରଫ ହୋଇଥବା ୬ଜଣ ଅଭିଯୁକ୍ତଙ୍କ ଲିଷ୍ଟ୍ ସହ ଏଯାବତ ଏସଟିଏଫ ହାତରେ ଲାଗିଥିବା ତଥ୍ୟର ଏକ ଡାଟା ପ୍ରସ୍ତୁତ କରିଛନ୍ତି । କୁହାଯାଉଛି ସେହି ସବୁ ଡାଟା କେନ୍ଦ୍ର ଗୃହମନ୍ତ୍ରାଳୟ ବା ପ୍ରତିରକ୍ଷା ମନ୍ତ୍ରାଳୟକୁ ପଠାଯିବ । ISI ଏଜେଣ୍ଟ ଓ PIO ଏଜେଣ୍ଟଙ୍କ ଜରିଆରେ କିପରି ପାକ୍ ଆର୍ମି ଇଣ୍ଟେଲିଜେନ୍ସ ଅଫିସର ଜାଲ ବିଛାଇ ନେଟୱାର୍କ ଜରିଆରେ କିଭଳି ରଚୁଥିଲେ ଦେଶଦ୍ରୋହୀ ଷଡ଼ଯନ୍ତ୍ର ତାହା ଜଣାପଡିବ ।
ଏହା ବି ପଢନ୍ତୁ...ପାକିସ୍ତାନୀ ଏଜେଣ୍ଟଙ୍କୁ OTP ପଠାଇବା ଘଟଣା: ମିଳିଲା କୋଟିଏ ଟଙ୍କାର କ୍ରିପ୍ଟୋ କାରବାର ଲିଙ୍କ୍
ଓଟିପି ସେୟାରି ଲିଙ୍କ୍ ଧୀରେଧୀରେ ସାମ୍ନାକୁ ଆସିବା ପରେ NIA ଓ ATS ଭଳି ତଦନ୍ତକାରୀ ସଂସ୍ଥା ଭଳି IBର ତଥ୍ୟ ସଂଗ୍ରହ ଦେଶର ସୁରକ୍ଷା ଆଡ଼କୁ ଅଧିକ ଧ୍ୟାନ ଦେଉଛି । ଟିକିଏ ଅସାବଧାନତା ଦେଶ ପାଇଁ ବିପଦ ଆଣିପାରେ । ଏସବୁକୁ ଦୃଷ୍ଟିରେ ରଖି ଏହାରି ଭିତରେ ଆଇବି ତଥ୍ୟ ଯୋଗାଡ଼ ଏହି ଘଟଣାର ଗୁରୁତ୍ବକୁ ଅଧିକ ବଢାଇଛି । ଓଡ଼ିଶାରେ ଥିବା ଆଇବିର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର ସମୟ ସମୟ ଧରି ମାମଲାର ଅଗ୍ରଗତି ନେଇ ରିପୋର୍ଟ ସଂଗ୍ରହ କରୁଛନ୍ତି । ଅଭିଜିତକୁ ଜେରା କରିବା ପରେ NIA ଓ ATSର ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଛନ୍ତି । 4ଦିନିଆ ରିମାଣ୍ଡରେ ଥିବା ଅଭିଜିତକୁ ମାରାଥନ ଜେରା ପରେ ସେ ଢେର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିଛି ।
ଏହା ବି ପଢନ୍ତୁ...ପାକିସ୍ତାନ ବେଲୁଚିସ୍ତାନକୁ ଲମ୍ବିଛି ଚେର, ରାଜ୍ୟ ବାହାରକୁ ଯିବ STF ଟିମ୍
ଏଯାବତ ଏହି ଲିଙ୍କରେ ସିଧାସଳଖ ପାକିସ୍ତାନୀ ଏଜେଣ୍ଟଙ୍କ ଲିଙ୍କ ଅବସ୍ଥାପିତ ହୋଇନଥିଲା । ହେଲେ ଓ୍ବିପ୍ରୋର କର୍ମଚାରୀ ଅଭିଜିତ ସଞ୍ଜୟ ଜାମ୍ବୁରେ ହିଜିଲି ଗିରଫ ପରେ ପାକିସ୍ତାନ ଆର୍ମି ଇଣ୍ଟେଲିଜେନ୍ସ ଅଫିସର ଅବଦୁଲ ହମିଦ ଓରଫ ଖୁରାମର ନାଁ ଏବେ ସାମ୍ନାକୁ ଆସିଛି । ତେବେ ହମିଦ ଓରଫ ଖୁରାମ ଯେକି ଦାନିଷ ଓ ଇକବାଲ ନାମକ ଦୁଇ ପାକିସ୍ତାନୀ ଏଜେଣ୍ଟ ଜରିଆରେ ଏସଟିଏଫ ଦ୍ବାରା ଗିରଫ ୬ନମ୍ବର ଅଭିଯୁକ୍ତ ଅଭିଜିତ୍ ସଞ୍ଜୟ ଜାମ୍ବୁରେକୁ ଯୋଗାଯୋଗରେ ହୋଇଥିଲା । ଏପରିକି ଓଡ଼ିଶାର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କା ସହ ଜାମ୍ବୁରେ ଜରିଆରେ ଯୋଗାଯୋଗରେ ଥିଲା ।
ଅଭିଜିତର ହନିଟ୍ରାପ ଲିଙ୍କ୍ର ଖୋଳତାଡ କରିଛି ଏନଆଇଏ । NIA ତାର ପାରିବାର, ସାଙ୍ଗ ସାଥି ଓ ସୋସିଆଲ ମିଡିଆରେ ଯୋଗାଯୋଗରେ ଥିବା ଲୋକ ଓ ତାର ବାନ୍ଧିବୀଙ୍କ ସହ ଚାଟିଂ କରୁଥିବା ତଥ୍ୟ ଯୋଗାଡ଼ କରିଛି । ତାର ୫ବର୍ଷର ପୁରୁଣା ରେକର୍ଡ ଯାଞ୍ଚ କରିଛନ୍ତି । ଏପରିକି ତାର ଟେରର ଫଣ୍ଡିଂ ସହ କିଛି କନେକ୍ସନ୍ ଥିବା ନେଇ ତଥ୍ୟ ମିଳିଛି । NIA ,ATS ,IBର ତଦନ୍ତ ସ୍କାନରକୁ ଆସିବା ପରେ ଓଟିପି ସେୟାରିଂ ଘଟଣାର ପାକ୍ ଆର୍ମି ଲିଙ୍କରେ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି ତା ଉପରେ ଫୋକସ କରିଛି ଏସଟିଏଫ ଟିମ୍ । ଏହି ଘଟଣାରେ ଆହୁରି ଗିରଫଦାରୀ ବଢିପାରେ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର