ଭୁବନେଶ୍ବର: ପୁଣି ଏକାଠି ହେଲେ ବିଜେପି ବିରୋଧୀ ମେଳି । ଏଥର ଓଡ଼ିଶାରେ ବିଜେଡି-ବିଜେପି ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଛନ୍ତି । କଂଗ୍ରେସ ନେତୃତ୍ବରେ ପ୍ରାୟ ୧୬ ବିରୋଧୀ ରାଜନୈତିକ ଦଳ ଗତକାଲି(ବୁଧବାର) ଏକାଠି ହୋଇ ବିଜେଡି ଓ ବିଜେପି ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି । ଗଣତନ୍ତ୍ରକୁ ସୁରକ୍ଷା ଦେବାପାଇଁ ବିରୋଧୀ ମେଣ୍ଟ INDIAକୁ ଦେଶରେ କ୍ଷମତାକୁ ଆଣିବା ଜରୁରୀ ବୋଲି ମେଣ୍ଟରେ ଆଲୋଚନା ହୋଇଛି । ତେବେ ଆସନ୍ତା ଅଗଷ୍ଟ ୧୧ରେ ଭୁବନେଶ୍ବରରେ ଏହି ବିରୋଧୀ ମେଳି ବିଶାଳ ଜନ ସମାବେଶ ଆୟୋଜନ କରିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ତେବେ ମଣିପୁର ପ୍ରସଙ୍ଗରେ ବିଜେପି ଏବଂ ବିଜେଡି ସରକାର କାହିଁକି ଚୁପ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପିସିସି ସଭାପତି କହିଛନ୍ତି, "ଇଡି ଓ ସିବିଆଇ ଭୟରେ ରାଜ୍ୟ ସରକାର ମୁହଁ ଖୋଲୁନାହାନ୍ତି । ମହିଳା ସଶକ୍ତିକରଣ କଥା କହି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବାବେଳେ ସ୍ଥିତି କିନ୍ତୁ ଓଲଟା । ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ଭାରତବର୍ଷରେ ମଧ୍ୟ ବିଜେପି ସାମ୍ପ୍ରଦାୟିକ ଦଙ୍ଗା କରିବାକୁ ଚେଷ୍ଟା କରୁଛି ।" ଅଣବିଜେପି ଓ ଅଣବିଜେଡି ନେତାଙ୍କୁ ନେଇ କଂଗ୍ରେସ କରିଥିବା ବୈଠକ ପରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ରାଜ୍ୟରେ ଥିବା ୧୬ଟି ରାଜନୈତିକ ଦଳର ନେତୃବୃନ୍ଦ ଏହି ବୈଠକ ଯୋଗ ଦେଇଥିଲେ । ଆର୍ଜେଡି, ସିପିଆଇଏମ, ସମାଜବାଦୀ ପାର୍ଟି, ସମତା କ୍ରାନ୍ତି ଦଳ, ଟିଏମ୍ସି, ସିପିଏମ୍, ଆପ୍ ସମେତ ଆହୁରି କିଛି ରାଜନୈତିକ ଦଳ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି । ରାଜନୈତିକ ପରିସ୍ଥିତି, ଦରଦାମ ବୃଦ୍ଧି, ବିଜୁଳି ସଙ୍କଟ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି, କୃଷି ଏବଂ କୃଷକଙ୍କ ସମସ୍ୟା, ବେକାରୀ ସମସ୍ୟା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ସମସ୍ୟାକୁ ନେଇ ସରକାରଙ୍କୁ ଘେରିବା ନେଇ ବିରୋଧୀ ଆଲୋଚନା କରିଛନ୍ତି । ତେବେ ଆସନ୍ତା ଅଗଷ୍ଟ ୧୧ ତାରିଖ ଦିନ ୧୧ଟା ସମୟରେ ଏହି ବିରୋଧୀ ଦଳଗୁଡ଼ିକ ଆୟୋଜିତ କରିବେ ବିଶାଳ ଜନ ସମାବେଶ । ଏହି କାର୍ଯ୍ୟକ୍ରମରେ ଚାଷୀ ଆତ୍ମହତ୍ୟା, ନାରୀ ନିର୍ଯାତନା, ବେକାରୀ ସମସ୍ୟା, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ବିଦ୍ୟୁତ ସେବା କ୍ଷତ୍ରରେ ଘୋଟଲା ଭଳି ପ୍ରମୁଖ ପ୍ରସଙ୍ଗ ଗୁଡ଼ିକୁ ନେଇ ଆଲୋଚନା ହେବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...Opposition Unity: ଭୁବନେଶ୍ବରରେ ଏକାଠି ହେଲେ 9 ଟି ରାଜନୈତିକ ଦଳ
ସେପଟେ ଏନେଇ ପ୍ରତିକ୍ରିୟା ରଖିଛି ବିଜେପି । ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, "ଓଡିଶାରେ କଂଗ୍ରେସ ନିଜ ଘରର ଝଗଡା ତୁଟାଇ ପାରୁନି, ସେ ଅନ୍ୟ ଦଳ ଲୋକଙ୍କୁ କଣ ଏକାଠି କରିବ । ଆଗେ ନିଜ ଦଳକୁ ଏକାଠି କରନ୍ତୁ । ନିଜ ଗୋଡ଼ ତଳେ ତାଙ୍କର ମାଟି ନାହିଁ, ଗୋଡ଼ ତଳୁ ମାଟି ଖସି ଗଲାଣି । କଂଗ୍ରେସ ଦଳ ନିଜର ଅସ୍ତିତ୍ବ ବଜାୟ ରଖିବା ପାଇଁ ନାଟକ କରୁଛି ଏବଂ କୌଣସି ଫଳ ମିଳିବ ନାହିଁ । ଯେଉଁ ଦଳ ସବୁ ଏକାଠି ହେଉଛନ୍ତି ସେମାନେ ଦେଶକୁ ଲୁଟ କରିଛନ୍ତି ଏବଂ ତାଙ୍କର ଯିଏ ନେତୃତ୍ବ ନେଉଛି, ସେ ସବୁଠାରୁ ବଡ଼ ଲୁଟେରା । ସେ ଲୁଟେରା ମାନେ ପୁଣି ଏକାଠି ହେଉଛନ୍ତି ଆଉ ଥରେ ଲୁଟ କରିବା ପାଇଁ । ତେଣୁ ଲୋକମାନେ ଜାଣି ସାରିଲଣି ଯେ ପ୍ରଧାନମନ୍ତ୍ରୀ ଗରିବ ଲୋକମାନଙ୍କ ପାଇଁ ବରଦାନ ସାଜିଛନ୍ତି । ଗରିବ ଲୋକଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରୁଛନ୍ତି । ଭାରତ ବର୍ଷରେ ଜନସାଧାରଣ ପୁଣିଥରେ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦେବେ ।
ଇଟିଭି ଭାରତ, ଭୁବନେଶ୍ବର