ଭୁବନେଶ୍ବର: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଶେଷ କରିଛନ୍ତି । ତିନି ଦିନିଆ ଗସ୍ତ ଅବସରରେ ସେ ଓମ୍ବାଡସି ପାଣ୍ଠି ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି । ଜୁନ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଥିଲେ । ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ଯାଇ ଓମ୍ବାଡସି ସହାୟତାରେ ଚାଲିଥିବା ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହ ଏହାର ଅଗ୍ରଗତିକୁ ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି ।
ମୟୂରଭଞ୍ଜ ଜିଲ୍ଲାରେ ୨୦୧୮ ମସିହା ପରଠାରୁ ଓମ୍ବାଡସି ପାଣ୍ଠି ସହାୟତାରେ ୭ଟି ପ୍ରମୁଖ କ୍ଷେତ୍ରରେ ୩୬ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏଗୁଡ଼ିକର ମୋଟ ବ୍ୟୟ ଅଟକଳ ହେଉଛି ୫୭୦୯.୯୨ କୋଟି ଟଙ୍କା । ତା’ ମଧ୍ୟରେ ମୁଖ୍ୟତଃ ପାନୀୟ ଜଳ ପାଇଁ ୬୧ ପ୍ରତିଶତ, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୭ ପ୍ରତିଶତ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୬ ପ୍ରତିଶତ ଅର୍ଥ ବିନିଯୋଗ କରାଯାଉଛି । ପ୍ରଥମ ଦିନରେ ଜଷ୍ଟିସ ପଟ୍ଟନାୟକ ତକତପୁର ବୈଷୟିକ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଥିଲେ । କେନ୍ଦ୍ରର ଉନ୍ନତିକରଣ କରାଯାଇ ଏହାକୁ ସେଣ୍ଟର ଅଫ ଏକ୍ସଲେନ୍ସ କରିବା ଲାଗି ଓମ୍ବାଡସି ଆର୍ଥିକ ସହାୟତା ଯୋଗାଇ ଦେଉଛି । ସେଠାରେ ସେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ରହିଥିବା ବିଭିନ୍ନ ଅତ୍ୟାଧୁନିକ ମେସିନ ବୁଲି ଦେଖିଛନ୍ତି । କେନ୍ଦ୍ରରେ ଦିଆଯାଉଥିବା ବିଭିନ୍ନ ତାଲିମ ବିଷୟରେ ସେ ପ୍ରଶିକ୍ଷକଙ୍କଠାରୁ ପଚାରି ବୁଝିଛନ୍ତି ।
ସେହିପରି ବାରିପଦା ପୌରପାଳିକାରେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ମାଧ୍ୟମରେ ଲୋକଙ୍କ ଦୁଆର ମୁହଁରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଓମ୍ବାଡସି ପାଣ୍ଠି ସହାୟତାରେ କରାଯାଇଥିବା ଏହି ପ୍ରକଳ୍ପ ଦ୍ୱାରା ଲୋକମାନେ କିପରି ଉପକୃତ ହେଉଛନ୍ତି ସେ ନେଇ ଓଭରସାଇଟ ଅଥରିଟି ୨୫ ନମ୍ବର ୱାର୍ଡକୁ ଯାଇ ନିଜେ ଅନୁଧ୍ୟାନ କରିଛନ୍ତି । ଦ୍ୱିତୀୟ ଦିନରେ ସେ ବିଭିନ୍ନ ପ୍ରକଳ୍ପ ମଧ୍ୟରେ ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର, ଜଳ ଅମଳ ପ୍ରକଳ୍ପ, ମେଗା ନର୍ସରୀ, ପାନୀୟ ଜଳ ପ୍ରକଳ୍ପ, ୫-ଟି ଅଧୀନରେ ରୂପାନ୍ତରିତ ହାଇସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚାଲିଥିବା ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି । ବିଭିନ୍ନ ପ୍ରକଳ୍ପର ହିତାଧିକାରୀଙ୍କ ସହ ଜଷ୍ଟିସ ପଟ୍ଟନାୟକ କଥା ହୋଇ କାର୍ଯ୍ୟକ୍ରମର ସୁଫଳତା ବିଷୟରେ ପଚାରି ବୁଝିଛନ୍ତି ।
ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକରେ ପାଇଲଟ କାର୍ଯ୍ୟକ୍ରମ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଶମ ଚାଷ ପ୍ରକଳ୍ପ ହାତକୁ ନିଆଯାଇଛି । ଓମ୍ବାଡସି ଓଭରସାଇଟ ଅଥରିଟି ଏହି ପ୍ରକଳ୍ପ ସ୍ଥଳ ପରିଦର୍ଶନ ବେଳେ ସ୍ଥାନୀୟ ଚାଷୀଙ୍କଠାରୁ ଆସିଥିବା ଏରି ସିଲ୍କ ପ୍ରକଳ୍ପ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ନସ୍କରି ସଂରକ୍ଷିତ ଜଙ୍ଗଲରେ ଓମ୍ବାଡସି ସହାୟତାରେ ମୃତ୍ତିକା ଓ ଜଳ ସଂରକ୍ଷଣ ପ୍ରକଳ୍ପ କରାଯାଇଛି । ଓଭରସାଇଟ ଅଥରିଟି ଏହି ପ୍ରକଳ୍ପସ୍ଥଳ ଦେଖି ସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଚାଲିଥିବା ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି । ଏହା ସହ ସେ ରୂପାନ୍ତରିତ ଅଙ୍ଗରପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।
ଜିଲ୍ଲାର ଆଦିବାସୀ ଚାଷୀଙ୍କ ଜୀବିକା ପାଇଁ ଓମ୍ବାଡସି ପାଣ୍ଠିରୁ ଛେଳି ପାଳନ ଓ ଛତୁଚାଷ ଆଦିକୁ ପ୍ରୋତ୍ସାହନ ଦିଆଯାଉଛି । ଓଭରସାଇଟ ଅଥରିଟି ଏହି ପ୍ରକଳ୍ପସ୍ଥଳ ପରିଦର୍ଶନ କରି କାର୍ଯ୍ୟକ୍ରମଗୁଡ଼ିକ ହିତାଧିକାରୀଙ୍କ ଜୀବନକୁ ନୂଆ ମୋଡ଼ ଦେବାରେ କିପରି ସହାୟକ ହେଉଛି ସେ ବିଷୟରେ ପଚାରି ବୁଝିଛନ୍ତି । ତିନିଦିନିଆ ଗସ୍ତ ବେଳେ ଓମ୍ବାଡସି ଓଭରସାଇଟ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟଙ୍କ ସହ ଓମ୍ବାଡସି ସିଇଓ ଜି ରାଜେଶ, ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ, ଜିଏମ(ଅପରେସନ) ଜୟନ୍ତ କୁମାର ଦାସ, ଜିଏମ (ଆଡମିନ) ସୁଧାକର ବୁର୍ଗି, ଟିମ ଲିଡର ଅମ୍ବୁଜ ପ୍ରସାଦ ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର