ଭୁବନେଶ୍ବର: ପୁଣି ପ୍ରଶଂସା ସାଉଁଟିଛି ଓଡ଼ିଆ ଚଳଚ୍ଚିତ୍ର 'ଶୂନ୍ୟ ସ୍ୱରୂପ' । ଦୀର୍ଘ ୨୭ ବର୍ଷ ପରେ ପ୍ରଶଂସା ସାଉଁଟିଲା ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ ଚଳଚ୍ଚିତ୍ର 'ଶୂନ୍ୟ ସ୍ୱରୂପ' । ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି କୋଲକତାର ସତ୍ୟଜିତ ରାୟ ଫିଲ୍ମ ଇନଷ୍ଟିଚ୍ୟୁଟରେ ଚାଲିଥିବା ବେଙ୍ଗଲ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଦ୍ୱିତୀୟ ଦିନରେ ପ୍ରଦର୍ଶିତ ହୋଇଛି । ୧୯୯୭ ମସିହାରେ ଜାତୀୟ ପୁରସ୍କାର ପାଇଥିବା ଚଳଚ୍ଚିତ୍ର 'ଶୂନ୍ୟ ସ୍ୱରୂପ' ଏଠାରେ ପ୍ରଦର୍ଶିତ ହୋଇ ପୁଣିଥରେ ଭୁରିଭୁରି ପ୍ରଶଂସା ସାଉଁଟିଛି । ଆୟୋଜିତ ମହୋତ୍ସବରେ ଉପସ୍ଥିତ ଥିବା ଅନେକ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ଦର୍ଶକ ଚଳଚ୍ଚିତ୍ରକୁ ବେଶ ପ୍ରଶଂସା କରିଛନ୍ତି ।
ଚଳଚ୍ଚିତ୍ରର କାହାଣୀ ଓ ବଳିଷ୍ଠ ନିର୍ଦ୍ଦେଶନା ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଚଳଚ୍ଚିତ୍ର ପ୍ରଦର୍ଶନ ପରେ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଏସଆରଏଫଟିଆଇ ଛାତ୍ରଛାତ୍ରୀମାନଙ୍କ ସହ ଏହା ସମ୍ପର୍କରେ ଆଲୋଚନା କରିବା ସହ ନିଜ ଅନୁଭୂତି ବାଣ୍ଟିଥିଲେ । ସିନେମାଟି ତୃପ୍ତି ଭିଜୁଆଲସ ଦ୍ୱାରା ନିର୍ମାଣ ହୋଇଥିବା ବେଳେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ବରିଷ୍ଠ ଅଭିନେତା ଚୌଧୁରୀ ବିକାଶ ଦାସ । ତାଙ୍କ ସହ ଅଭିନେତ୍ରୀ ଭାବେ ଅପରାଜିତା ମହାନ୍ତି ନଜର ଆସିଥିଲେ । ଅନ୍ୟ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଓ ସୂର୍ଯ୍ୟ ନାୟକ ଅଭିନୟ କରିଥିଲେ । ଆଲୟ କୁମାର ମହାନ୍ତି ଏହାର ପ୍ରଯୋଜନା ଦେଇଥିବା ବେଳେ ସଙ୍ଗୀତ ଦେଇଥିଲେ ବିଭି କରନାଥ । ସନ୍ୟାସ ବିଷୟବସ୍ତୁକୁ ନେଇ ୧୯୯୬ ମସିହାରେ ଚଳଚ୍ଚିତ୍ର 'ଶୂନ୍ୟ ସ୍ୱରୂପ' କରାଯାଇଥିଲା ।
ହିମାଂଶୁ ଖଟୁଆ ଏହି ସିନେମାର ନିର୍ଦ୍ଦେଶନା ଦେବା ସହ ସଂଳାପ ମଧ୍ୟ ଲେଖିଥିଲେ । ସେହି ବର୍ଷ ଚଳଚ୍ଚିତ୍ରଟି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ହେବା ସହ ୪୪ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ ହୋଇଥିଲା । ରାଜ୍ୟ ଚଳଚ୍ଚିତ୍ର ଉତ୍ସବରେ ତାହା ଶ୍ରେଷ୍ଠ ସିନେମା ଏବଂ ଶ୍ରେଷ୍ଠ ନିର୍ଦ୍ଦେଶନା ଏବଂ ୫ଟି ବିଭାଗରେ ପୁରସ୍କୃତ ହୋଇଥିଲା । ତେବେ ସିନେମାଟି ମହିମା ଧର୍ମର ସନ୍ୟାସଙ୍କ ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଚୌଧୁରୀ ବିକାଶ ଦାସଙ୍କୁ ସନ୍ୟାସ ଭୂମିକାରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅପରାଜିତା ମହାନ୍ତି ବିଦ୍ୟାଳୟର ଶିକ୍ଷୟିତ୍ରୀ ଭୂମିକାରେ ନଜର ଆସିଥିଲେ । ତେବେ ମଣିଷର ଏକାକୀ ଜୀବନର କାହାଣୀ ବିଷୟରେ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି ।
ଆମେ ସମସ୍ତେ ସାମାଜିଜ ପ୍ରାଣୀ, ଏଠାରେ ଜଣେ ଜଣଙ୍କର ସାହାରା ସାଜିଥାନ୍ତି । ସେଥିପାଇଁ ଇଶ୍ବର ସମସ୍ତଙ୍କୁ ପରିବାର ଦେଇଥାନ୍ତି । କିନ୍ତୁ ଯେଉଁମାନେ ସନ୍ୟାସ ହୋଇଯାନ୍ତି ସେମାନେ ପରିବାରର ସ୍ନେହ ପ୍ରେମର ମୋହକୁ ତ୍ୟାଗ କରିଥାନ୍ତି । ସନ୍ୟାସ ମଧ୍ୟ ଏକ ପ୍ରକାର ଶାନ୍ତି ଓ ଇଶ୍ୱର ପ୍ରାପ୍ତିର ଉତ୍ସ । ତେଣୁ ସନ୍ୟାସ ଥିବା ସମୟରେ ସେ କାହାର ଆବଶ୍ୟକତା ଖୋଜିନଥାନ୍ତି । ହେଲେ ସେହି ମଣିଷ ଯେତେବେଳେ କୌଣସି କାରଣରୁ ଏକା ହୋଇଯାଏ ସେତେବେଳେ ତାକୁ ପରିବାରର ସାହାରା ଦରକାର । ହେଲେ ସେ ସମୟରେ ତା ପାଖରେ କେହିନଥାନ୍ତି ସେହି ସମୟର ଶୂନ୍ୟତା ତାକୁ ଖାଇଯାଇଥାଏ । ଯାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର