ଭୁବନେଶ୍ବର: ରାଜ୍ୟର ସମସ୍ତ ମନ୍ତ୍ରୀ ଓ ସରକାରୀ ବାବୁ ଚଢ଼ିବେ ହାଇବ୍ରିଡ ଗାଡ଼ି । ଏନେଇ ପରିବହନ କମିଶନଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ । ମନ୍ତ୍ରୀ, ସଚିବ ଓ ଅନ୍ୟ ବଡ଼ ଅଧିକାରୀମାନଙ୍କୁ ହାଇବ୍ରିଡ ଗାଡ଼ି ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏନେଇ ଅର୍ଥ ବିଭାଗର ପ୍ରସ୍ତାବକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉଭୟ କ୍ୟାବିନେଟ ଓ ରାଷ୍ଟ୍ର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ସଚିବ ଆଦି ପାହ୍ୟାର ଅଧିକାରୀମାନେ ୨୫ ଲକ୍ଷ ଟଙ୍କା ମୂଲ୍ୟର ଟୋୟଟା ଇନୋଭା, ମହିନ୍ଦ୍ରା ଏକ୍ସୟୁଭି-୫୦୦ ଏବଂ ଟାଟା ହେକ୍ସା ଭଳି ହାଇବ୍ରିଡ ଗାଡ଼ି ବ୍ୟବହାର କରିବେ । ଯାହାକି ଗୋଟିଏ ଲିଟର ତେଲରେ ୯ କିଲୋମିଟର ଯାଉଥିବ । ସେହିପରି ଜିଲ୍ଲା ଜଜ, ପ୍ରମୁଖ ସଚିବ ତଥା ସଚିବ ପାହ୍ୟାର ଅଧିକାରୀମାନେ ମାରୁତି ସିଆଜ କିମ୍ବା ହୋଣ୍ଡା ସିଟି ବର୍ଗର ଗାଡ଼ି ବ୍ୟବହାର କରିପାରିବେ । ଯାହାର ସର୍ବାଧିକ ମୂଲ୍ୟ ୧୫ ଲକ୍ଷ ଏବଂ ମାଇଲେଜ ୧୨ କିଲୋମିଟର ପ୍ରତି ଲିଟର ରହିବ ।
ଏହା ମଧ୍ୟ ପଢନ୍ତୁ:OFS ସଂଘର ବାର୍ଷିକ ଅଧିବେଶନ, ନିଷ୍ଠାର ସହ କାମ କରିବାକୁ ନବୀନଙ୍କ ମନ୍ତ୍ର
ଏହା ଛଡାରେ କୌଣସି ଗାଡି କିଣାଯାଇ ପାରିବ ନାହିଁ । ସରକାର ଚାହିଁଲେ ଭଡ଼ାରେ ମଧ୍ୟ ଅନୁରୂପ ଗାଡ଼ି ଆଣି ବ୍ୟବହାର କରିପାରିବେ ବୋଲି ଏନେଇ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି । ଡିଜେଲ, ପେଟ୍ରୋଲ ଭଳି ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ି ତୁଳନାରେ ଏବଂ ପରିବେଶ ସୁରକ୍ଷା ଦୃଷ୍ଟିରୁ ଏବେ ସର୍ବଭାରତୀୟ ସ୍ତରରେ ହାଇବ୍ରିଡ ଗାଡ଼ିର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ସେହିପରି ସରକାରୀ ଅଧିକାରୀ ଇଭି ଗାଡି କିଣିବା ଲାଗି ସରକାର ପ୍ରୋତ୍ସାହନ ଦେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ-Same Sex Marriage: ଷଷ୍ଠ ଦିନରେ ଶୁଣାଣି, କେନ୍ଦ୍ର ସରକାର ରଖିଲେ ବଳିଷ୍ଠ ଯୁକ୍ତି
ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଏ ସରକାରୀ ଗାଡି । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଏହି ଗାଡି ସେମାନେ ବ୍ୟବହାର କରନ୍ତି । ଗାଡ଼ିର ତୈଳ ଖର୍ଚ୍ଚ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ସରକାର ମଧ୍ୟ ବହନ କରନ୍ତି । ମନ୍ତ୍ରୀ ଓ ଅଧିକାରୀ କେଉଁ ଗାଡି ବ୍ୟବହାର କରନ୍ତି ଓ ଏହାର ସୁବିଧା କଣ ରହିଛି ଜାଣିବା ଲାଗି ଜନସାଧାରଣଙ୍କ ମନରେ ଉତ୍ସାହ ରହିଥାଏ । ଏହାରି ଭିତରେ ସରକାରଙ୍କର ଏହି ନିଷ୍ପତ୍ତି ଉପରେ ଲୋକଙ୍କ ନଜର ରହିଛି ।
ଇଟିଭି ଭାରତ, ଭୁବନେଶ୍ବର