ଭୁବନେଶ୍ବର: ମଣ୍ଡି ବିଫଳତା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ । ସମଗ୍ର ରାଜ୍ୟରେ ଖରିଫ ଧାନ ସଂଗ୍ରହରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି । ଆଜି ଏଭଳି ସଂଗୀନ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କିଷାନ କଂଗ୍ରେସ ।
କିଷାନ କଂଗ୍ରେସ ଅଭିଯୋଗ କରିଛି, MSPର ଦେଢଗୁଣା ପ୍ରତିଶୃତି ଓ ବୋନସ ଘୋଷଣା ବ୍ୟବସ୍ଥା ଗଲା କୁଆଡେ ? ସବୁ ବଳକା ଧାନ କ୍ରୟ କରା ନଗଲେ ଚାଷୀ ଆନ୍ଦୋଳନକୁ ପୁଣି କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି । ଅନେକ ଜିଲ୍ଲାରେ 15 ଦିନରୁ 1 ମାସ ବିଳମ୍ବରେ ମଣ୍ଡି ଖୋଲାଯିବା ଯୋଗୁଁ ଉତ୍ପାଦିତ ଧାନର ପ୍ରାୟ 30 ପ୍ରତିଶତ ଧାନକୁ ଚାଷୀ ଅଭାବୀ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ଏପରିକି ପଦ୍ମପୁର ଉପଖଣ୍ଡ ଲଉଡିଧରା ସେବା ସମବାୟ ସମିତି ଅନ୍ତର୍ଗତକୁମିର ଧାନ ମଣ୍ଡିରେ ଧାନ ପକାଇଥିବା 25 ଜଣ ଚାଷୀଙ୍କ ଟୋକନ ଲାପ୍ସ ହୋଇଛି। ଖୋଦ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ଵ କରୁଥିବା ଜିଲ୍ଲା ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ, କବିସୂର୍ଯ୍ୟନଗର, ବେଗୁନିଆପଡା ଚାଷୀଙ୍କର ହଜାରହଜାର ବସ୍ତା ଧାନ ପଡି ରହିଛି । ସରକାରଙ୍କ ଧାନ କିଣା ନୀତିରେ ସ୍ୱଚ୍ଛତା ନାହିଁ ।
ଚଳିତ ବର୍ଷ ଧାନ ଅମଳ ମୁତାବକ ଆବଶ୍ୟକ ସଂଖ୍ୟକ ମଣ୍ଡି ଖୋଲାଯାଇ ନାହିଁ । ମିଲରମାନଙ୍କ ଅନୈତିକ କାରବାର, କଟନୀ ଛଟନୀ, ଚାଷୀ ଶୋଷଣ ପ୍ରକ୍ରିୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି । ମିଲର ଓ ସରକାରଙ୍କ ମଧୁଚନ୍ଦ୍ରିକାରେ ଧାନ ସଂଗ୍ରହ କରାଯାଉଛି । ଧାନ ଦେବାର 24 ଘଣ୍ଟା ମଧ୍ୟରେ ଚାଷୀ ପ୍ରାପ୍ୟ ପାଇବାର ବ୍ୟବସ୍ଥା ଥିଲେ ମଧ୍ୟ ଚାଷୀ ଧାନ ଦେଇ 7ରୁ 10 ଦିନ ବିତିଯାଇଥିଲେ ବି ପ୍ରାପ୍ୟ ମିଳୁନାହିଁ । ପଡୋଶୀ ଛତିଶଗଡ଼ରେ ରାଜ୍ୟ ସରକାର ଚାଷୀଙ୍କଠାରୁ କ୍ବିଣ୍ଟାଲ ପିଛା 2800 ଟଙ୍କା ଦେଇ କିଣୁଥିବା ବେଳେ ଓଡ଼ିଶାର ଚାଷୀଙ୍କୁ 1200ରୁ 1300 ଟଙ୍କାରେ ଧାନ ବିକ୍ରି କରିବାକୁ ପଡୁଛି । ମୁଖ୍ୟମନ୍ତ୍ରୀ ସୋହେଲା ଚାଷୀ ସମାବେଶରେ ଚାଷୀଙ୍କୁ ଅତିରିକ୍ତ 100 ଟଙ୍କା ସହାୟତା ଦେବାକୁ ଦେଇଥିବା ପ୍ରତିଶୃତିରେ ପ୍ରତାରଣା କରିଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର