ଭୁବନେଶ୍ବର: ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରାୟପୁରରେ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଜୁଲାଇ ୧୪ ଓ ୧୫ ତାରିଖରେ ରାୟପୁରରେ ଓଡ଼ିଶା ନିବେଶକ ସମ୍ମିଳନୀ ସଫଳତାର ସହ ଆୟୋଜନ କରାଯାଇଛି । ବିଜୁ ଏକ୍ସପ୍ରେସ ୱେରେ 'ବିଜୁ ଅର୍ଥନୈତିକ କରିଡର'ର ବିପୁଳ ସମ୍ଭାବନା ଏବଂ ଏହି କ୍ଷେତ୍ରରେ ଓଡ଼ିଶା ଦ୍ବାରା ପ୍ରଦାନ କରାଯାଉଥିବା ଅନୁକୂଳ ବ୍ୟବସାୟିକ ବାତାବରଣକୁ ପ୍ରଦର୍ଶିତ କରାଯାଇଛି । ରାଜ୍ୟରେ ସୁଯୋଗ ଖୋଜିବା ପାଇଁ ନିବେଶକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ରୋଡ ସୋ' କରାଯାଇଛି ।
କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ସରକାରଙ୍କ ଇଡ୍କୋ ଓ ଇପିକଲ୍ର ଅଧ୍ୟକ୍ଷ ହେମନ୍ତ ଶର୍ମା, ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ପ୍ରମୁଖ ଯୋଗଦେଇଛନ୍ତି । ଏହି ରୋଡ ସୋ'ରେ ଛତିଶଗଡ଼ର ବିଭିନ୍ନ ଶିଳ୍ପକୁ ପ୍ରତିନିଧିତ୍ବ କରୁଥିବା ୨୦୦ରୁ ଅଧିକ ପ୍ରତିନିଧି ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ଶିଳ୍ପ ମନ୍ତ୍ରୀ ରାୟପୁର ରୋଡ ସୋ'ର ଶୁଭାରମ୍ଭ କରି ସମସ୍ତଙ୍କୁ ସ୍ବାଗତ କରିଛନ୍ତି । ଧାତବ ଓ ଧାତବ ଶିଳ୍ପ ସହ ଜଡିତ ବିଭିନ୍ନ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ଥିବା ଓଡିଶାର ଔଦ୍ୟୋଗିକ ପରିଦୃଶ୍ୟ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରି ଏ ଦିଗରେ ଓଡ଼ିଶା ସରକାରଙ୍କ ରହିଥିବା ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ଓଡ଼ିଶାର ଉଲ୍ଲେଖନୀୟ ପ୍ରଗତି ଓ ବିକାଶ ସହ ରାଜ୍ୟ ଘରୋଇ ଉତ୍ପାଦରେ ଚମତ୍କାର ଅଭିବୃଦ୍ଧି ହାର ଏବଂ ଏହାର ଦ୍ରୁତ ଶିଳ୍ପାୟନ ଉପରେ ସେ ଆଲୋକପାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଆଜି ଉତ୍ପାଦନ କ୍ଷେତ୍ରରେ 'ଶିଳ୍ପ ବୀପ୍ଳବ ପରବର୍ତ୍ତୀ'ର ଦ୍ବାରରେ ପହଞ୍ଚିଛି ବୋଲି ମନ୍ତ୍ରୀ କହିଛନ୍ତି ।
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡିଶାକୁ ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଏହାର ମାନ୍ୟତା ସଂପର୍କରେ ଗୁରୁତ୍ବାରୋପ କରିଛନ୍ତି । ବିପୁଳ ପ୍ରାକୃତିକ ସମ୍ପଦ ଏବଂ ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡିକ ପାଇଁ ପ୍ରମୁଖ ସ୍ଥାନରେ ଅବସ୍ଥିତି ଯୋଗୁଁ ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ କ୍ରମାଗତ ଅଭିବୃଦ୍ଧି ଘଟୁଛି । ରାଜ୍ୟର ଦକ୍ଷ ଓ ଉତ୍ପାଦନଶୀଳ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଏବଂ ଫଳାଫଳଭିତ୍ତିକ ଶାସନ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ନିବେଶକମାନଙ୍କ ପାଇଁ ଓଡ଼ିଶାରେ ଶିଳ୍ପ ୟୁନିଟ ପ୍ରତିଷ୍ଠା ପାଇଁ ଏକ ଅନନ୍ୟ ପରିବେଶ ସୃଷ୍ଟି କରାଯାଉଥିବା ସେ କହିଛନ୍ତି । ଓଡ଼ିଶାକୁ ନିଜର ପରବର୍ତ୍ତୀ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବେ ଆବିଷ୍କାର କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଶିଳ୍ପପତି, ବିଭିନ୍ନ ସଂଘ ଓ ସେମାନଙ୍କ ସଦସ୍ୟମାନଙ୍କୁ ସେ ସ୍ବାଗତ କରିଛନ୍ତି ।
ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ସରକାରଙ୍କ ଇଡକୋ ଓ ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା ଓଡ଼ିଶାର ସୁଦୃଢ଼ ଶିଳ୍ପ ଇକୋସିଷ୍ଟମ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଛନ୍ତି । ଦୁଇ ଦଶନ୍ଧିର ସ୍ଥିର ଶାସନ, ଇଜ ଅଫ ଡୁଇଙ୍ଗ ବିଜନେସ ସୂଚକାଙ୍କରେ ଉଚ୍ଚ ମାନ୍ୟତା, ପ୍ରତିଯୋଗିତାମୂଳକ ପରିଚାଳନା ଖର୍ଚ୍ଚ, ପ୍ରଭାବଶାଳୀ ନିବେଶ ସୁବିଧା, ଆକର୍ଷଣୀୟ ପ୍ରୋତ୍ସାହନ ଏବଂ କୁଶଳୀ କର୍ମଚାରୀଙ୍କ ଉପରେ ଆଧାରିତ ରାଜ୍ୟର ଅନୁକୂଳ ବ୍ୟବସାୟିକ ବାତାବରଣ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ବାରା ବିକଶିତ ଶିଳ୍ପ ପାର୍କ ଏବଂ ବିଭିନ୍ନ କ୍ଷେତ୍ରରେ ନିବେଶକଙ୍କୁ ଅସାଧାରଣ ସୁବିଧା ପ୍ରଦାନ କରିବା ଉପରେ ସେ ଆଲୋକପାତ କରିଛନ୍ତି । ଭାରତର ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳରେ ବଢୁଥିବା ବଜାର ଉପରେ ସେ ଆଲୋକପାତ କରିଛନ୍ତି, ଯାହା ଓଡ଼ିଶାରେ ନିଜର ଉପସ୍ଥିତି ଆବଶ୍ୟକ କରୁଥିବା ବ୍ୟବସାୟୀମାନଙ୍କ ପାଇଁ ଲାଭଦାୟକ ସୁଯୋଗ ପ୍ରଦାନ କରୁଛି । ଓଡ଼ିଶାର ଶିଳ୍ପ ପ୍ରସ୍ତୁତି ସମ୍ପର୍କରେ ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ବରେ ଓଡ଼ିଶା ପୂର୍ବ ଭାରତର ଶିଳ୍ପକେନ୍ଦ୍ର ଏବଂ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସୀୟ ବଜାରର ପ୍ରବେଶ ଦ୍ବାର ଭାବରେ ଉଭା ହେଉଛି ।"
ଏହା ମଧ୍ୟ ପଢ଼ନ୍ତୁ...ଓଡିଶାରେ ଜାପାନର ପୁଞ୍ଜିନିବେଶ, ବିରୋଧୀ କହିଲେ କିଛି ନୁହେଁ କେବଳ ନିର୍ବାଚନୀ ଭେଳିକି
ସମ୍ମିଳନୀରେ ବେଦାନ୍ତ, ଜେଏସପିଏଲ ଭଳି ଅଗ୍ରଣୀ କମ୍ପାନୀର ପ୍ରତିନିଧିମାନେ ଓଡ଼ିଶାରେ ପୁଞ୍ଜିନିବେଶ ଓ କାର୍ଯ୍ୟ କରିବାର ସକାରାତ୍ମକ ଅନୁଭୂତି ବାଣ୍ଟିଛନ୍ତି । ସେମାନେ ରାଜ୍ୟର ଶିଳ୍ପ ଭିତ୍ତିଭୂମି, ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ଓଡ଼ିଶା ସରକାରଙ୍କ ଠାରୁ ମିଳିଥିବା ଅତୁଟ ସହଯୋଗକୁ ପ୍ରଶଂସା କରିଛନ୍ତି । ସେମାନେ ନିଜର ଉତ୍ସାହ ପ୍ରକାଶ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ଏବଂ ସ୍ଥାନୀୟ ଜନସମୁଦାୟମାନଙ୍କ ସହିତ ସ୍ଥାୟୀ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଅଧିବେଶନ ଶେଷରେ ଇଡ୍କୋ ଏବଂ ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ରାୟପୁର ରୋଡ ସୋ'ରେ ଅଂଶଗ୍ରହଣ କରିଥିବାରୁ ସମସ୍ତ ନିବେଶକଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶାକୁ ନିଜର ପସନ୍ଦର ନିବେଶସ୍ଥଳ ଭାବେ ବିଚାର କରିବାକୁ ସେ ନିବେଶକଙ୍କୁ ଅନୁରୋଧ କରିଛନ୍ତି । ରୋଡ ସୋ' ବ୍ୟତୀତ ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ବିଭିନ୍ନ କ୍ଷେତ୍ରର ୫୦ରୁ ଅଧିକ ଶିଳ୍ପପତିଙ୍କ ସହ ଫଳପ୍ରଦ ଆଲୋଚନା କରି ସେମାନଙ୍କ ନିବେଶ ଯୋଜନା ସଂପର୍କରେ ବୁଝିଛନ୍ତି । ମୁଖ୍ୟ ଶାସନ ସଚିବ ଓଡିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ବ୍ୟବସାୟ ଅନୁକୂଳ ସଂସ୍କାର ଉପରେ ଆଲୋଚନା କରିବା ସହ ଶିଳ୍ପପତିମାନଙ୍କୁ ସେମାନଙ୍କ ବ୍ୟବସାୟ ପାଇଁ ଓଡ଼ିଶାରେ ସମ୍ଭାବ୍ୟ ସୁଯୋଗ ଖୋଜିବାକୁ ଉତ୍ସାହିତ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର