ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ଯାବିନେଟରେ ଅନେକ ଜନକଲ୍ୟାଣକାରୀ ନିଷ୍ପତ୍ତି ଗ୍ରହଣ କରଯାଇଛି । ସେଥିମଧ୍ୟରୁ କୃଷି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ହେଉଛି କୃଷକ ଉତ୍ପାଦକ ସଂଗଠନ ଯୋଜନାକୁ ସହାୟତା ନିମନ୍ତେ ପାଣ୍ଠି ବ୍ୟବସ୍ଥା । ସଶକ୍ତ FPO ଗଠନ ପାଇଁ ଆସନ୍ତା 5 ବର୍ଷରେ ରାଜ୍ୟ ସରକାର ଖର୍ଚ୍ଚ କରିବେ 314 କୋଟି ଟଙ୍କା । ଏହା କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଆସନ୍ତା 5 ବର୍ଷ ଅର୍ଥାତ 2023-24 ରୁ 2027-28 ମଧ୍ୟରେ ହାରାହାରି ୧୦୦୦ କୃଷକ ଉତ୍ପାଦକ ସଙ୍ଗଠନଙ୍କୁ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା କୃଷକ ଉତ୍ପାଦକ ସଙ୍ଗଠନଗୁଡିକର ପ୍ରସାର ଓ ଦୃଢୀକରଣ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ । ଏଥିପାଇଁ ଆସନ୍ତା 5 ବର୍ଷରେ 313 କୋଟି 61 ଲକ୍ଷ ଟଙ୍କା ସରକାର ଖର୍ଚ୍ଚ କରିବେ ।
ଚଳିତ ଆର୍ଥିକ ବର୍ଷ ପାଇଁ 39 କୋଟି 37 ଲକ୍ଷ 29 ହଜାର ଟଙ୍କାର ଖର୍ଚ୍ଚ ବରାଦ କରାଯାଇଛି । ଏଥିପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପାଇଲଟିଂ କରିବ । ଏହାକୁ ସଫଳ କରିବା ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ପ୍ରାୟ 830ଟି FPO କାର୍ଯ୍ୟ କରୁଛନ୍ତି । ଏଥି ମଧ୍ୟରୁ କେନ୍ଦ୍ର ସରକାରଙ୍କ ଦେଶରେ 10,000ଟି FPO ଗଠନ ଯୋଜନାରେ ପ୍ରାୟ 314ଟି FPO ଅନ୍ତର୍ଭୁକ୍ତ । ଏହା ମଧ୍ୟରୁ ପ୍ରାୟ 320ଟି FPO ନିଜ ସଂଘ ସଫଳତାର ସହିତ ପରିଚାଳିତ କରି ନିଜ ସଭ୍ଯଙ୍କ ପାଇଁ ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ଏଥିରୁ ଅଧିକାଂଶ ହେଉଛନ୍ତି ଆଦିବାସୀ ବହୁଳ ଜିଲ୍ଲାରେ ।
ମନ୍ତ୍ରୀ ଆହୁରିମଧ୍ୟ କହିଛନ୍ତି ଯେ, ଭାରତୀୟ ଅର୍ଥନୀତି ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି । ଆନ୍ତର୍ଜାତିକ ଘଟଣାବଳୀ ଓ ଜାତୀୟ ସ୍ତରର ବିଭିନ୍ନ ନିଷ୍ପତ୍ତି ଜନସାଧାରଣଙ୍କ ଦୈନନ୍ଦିନ ଜୀବନଶୈଳୀକୁ ପ୍ରଭାବିତ କରୁଛି । ଦରଦାମ ବୃଦ୍ଧି, ବେରୋଜଗାରୀରେ ବୃଦ୍ଧି ସାଧାରଣ ଜନତାକୁ ହନ୍ତସନ୍ତ କରୁଛି । ଏହା ମଧ୍ୟରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ବିଶେଷ ସ୍ଥାନ ରହିଛି । ଜାତୀୟ ସ୍ତରରେ ପ୍ରାୟ 60 ପ୍ରତିଶତ ଲୋକେ ଚାଷ ଉପରେ ନିଜର ଜୀବିକା ପାଇଁ ପ୍ରତ୍ଯେକ୍ଷ କିମ୍ବା ପରୋକ୍ଷ ଭାବେ ନିର୍ଭରଶୀଳ । ତେଣୁ ଯେତେ ପର୍ଯ୍ୟନ୍ତ ଚାଷୀଙ୍କ ଉନ୍ନତି ହୋଇନାହିଁ ସେତେ ପର୍ଯ୍ୟନ୍ତ ସମାଜର କଲ୍ୟାଣ ହେବନାହିଁ । କିନ୍ତୁ ଗତ ପ୍ରାୟ ଦଶ ବର୍ଷର ବିଭିନ୍ନ କାର୍ଯ୍ୟକଳାପକୁ ପର୍ଯ୍ୟାଲୋଚନା କଲେ କେନ୍ଦ୍ର ସରକାରଙ୍କ ଚାଷୀକୁଳଙ୍କ ପାଇଁ ଆନ୍ତରିକତା ନଥିବା ପରି ଲାଗୁଛି ।
ଏ ବର୍ଷର ବଜେଟକୁ ଅନୁଧ୍ୟାନ କଲେ, କ୍ରମାଗତ ଭାବେ କୃଷି କ୍ଷେତ୍ର ତଥା ଗ୍ରାମୀଣ ବିକାଶ କ୍ଷେତ୍ରରେ ନିରନ୍ତର ଭାବେ ଖର୍ଚ୍ଚ କାଟ କେନ୍ଦ୍ର ସରକାର କରିଛନ୍ତି । ସାର, ବିହନ, ଫସଲ ଉତ୍ପାଦନ, ଫସଲ ବୀମା, MSPରେ ଧାନ, ଗହମ, ଡାଲି, ତୈଳବୀଜ ପରି ଫସଲ ସଂଗ୍ରହ ପାଇଁ ଖର୍ଚ୍ଚ କାଟ କଲେ କୃଷି କ୍ଷେତ୍ରରେ ବିକାଶ ଓ ଚାଷୀଙ୍କ ଆୟ କିପରି ଭାବେ ବୃଦ୍ଧି ହେବ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ?
ମୁଖ୍ୟମନ୍ତ୍ରୀ ସବୁବେଳେ ରାଜ୍ୟର ଚାଷୀ ଭାଇ ଓ ଭଉଣୀମାନଙ୍କ ସହିତ ଦୃଢ ଭାବେ ଠିଆ ହୋଇଛନ୍ତି । ଗତ କିଛି ବର୍ଷର ବଜେଟରେ ଚାଷ ଓ ଆନୁଷଙ୍ଗିକ କ୍ଷେତ୍ରରେ ବଜେଟ ପ୍ରାବଧାନ କ୍ରମାଗତ ଭାବେ ବୃଦ୍ଧି ହେଉଛି । ଏ ବର୍ଷ ମଧ୍ୟ କୃଷି ବଜେଟରେ ପ୍ରାୟ 20 ପ୍ରତିଶତ ଅଧିକ ବ୍ୟୟ ବ୍ୟବସ୍ଥା କରାଯାଇଛି । କେବଳ ଅଧିକ ବଜେଟ ନୁହେଁ, ବଜେଟକୁ ଖର୍ଚ୍ଚ ମଧ୍ୟ କରିବାର ଆମ ବିଭାଗ ତତ୍ପରତା ଦେଖାଇଛି । ଗତ ଆର୍ଥିକ ବର୍ଷର ପ୍ରାବଧାନ ଥିବା ରାଜ୍ୟ ସରକାରଙ୍କ ଯୋଜନାର 99.97 ପ୍ରତିଶତ ଆମେ ଖର୍ଚ୍ଚ କରିବାକୁ ସମର୍ଥ ହୋଇଛୁ । କେନ୍ଦ୍ରୀୟ ବଜେଟର ପ୍ରାୟ 54.78 ପ୍ରତିଶତ । ତେଣୁ ପୁରା ବଜେଟରେ ଥିବା ଯୋଜନାର 93.53 ପ୍ରତିଶତ ଆମେ ଖର୍ଚ୍ଚ କରିବାକୁ ସମର୍ଥ ହୋଇଛୁ ବୋଲି କୃଷି ମନ୍ତ୍ରୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର