ଭୁବନେଶ୍ବର: ରାଜ୍ୟରେ ମହାମାରୀ କୋରୋନା ଭୟର ବାତାବରଣ ସୃଷ୍ଟି କରିଥିଲା । ଫଳରେ ମହାମାରୀ ପରେ ରାଜ୍ୟରେ ବୃଦ୍ଧି ପାଉଛି ମାନସିକ ସ୍ୱାସ୍ଥ୍ୟ ସମସ୍ୟା (mental health problems rise after Covid )। ତେଣୁ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ମୋଟ 60 ଜଣ ମାନସିକ ଡ଼ାକ୍ତରଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଟେଲି-ମାନସ ( Tele-MANAS) ହେଲ୍ପ ଲାଇନ ନମ୍ବର 14416କୁ କାର୍ଯ୍ୟକ୍ଷମ କରାଯାଇଛି (helpline number for mental health problems) । ଏହି ନମ୍ବରରେ କଲ କଲେ ବିଭିନ୍ନ ମାନସିକ ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦିଆଯିବ ।
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସଚିବ ଶାଳିନୀ ପଣ୍ଡିତ ବିଭିନ୍ନ ବିଭାଗର ସଚିବ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ‘ଟେଲି-ମାନସ’ ହେଲ୍ପ ଲାଇନ ନମ୍ବର ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଥିବା ଟେଲି-ମାନସ ସେଲରେ ମାନସିକ ସ୍ୱାସ୍ଥ୍ୟର ଚିକିତ୍ସା ସଂକ୍ରାନ୍ତ, ପ୍ରାରମ୍ଭିକ ଚିକିତ୍ସା, କାଉସିଲିଂ ଆଦି ଉପଲବ୍ଧ ହେବ । ବିଶେଷକରି ମାନସିକ ଦୁଶ୍ଚିନ୍ତା, ଚାପଗ୍ରସ୍ତ, ଅନ୍ୟାନ୍ୟ ସମସ୍ୟା ଓ ଆତ୍ମହତ୍ୟାପ୍ରବଣ ସହ ବିଭିନ୍ନ ମାନସିକ ରୋଗର ଶିକାର ହୋଇଥିବା ବ୍ୟକ୍ତିମାନେ ପରାମର୍ଶ ନେଇପାରିବେ ।
ସରକାରୀ କର୍ମଚାରୀ, ଛାତ୍ରଛାତ୍ରୀ, ବୟସ୍କ, ଜେଲରେ ଥିବା ବନ୍ଦୀମାନଙ୍କ ମଧ୍ୟରେ ଏହି ଟେଲି-ମାନସ ହେଲ୍ପ ଲାଇନ 14416 ସଂକ୍ରାନ୍ତରେ ଅଧିକ ପ୍ରଚାରପ୍ରସାର କରାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ହେଲ୍ପ ଲାଇନ ଓ ଟେଲି-ମାନସ ସେଲ ଏବେ ସକାଳ 8ଟାରୁ ରାତି 8ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହା ସହ ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମନସ୍ତତ୍ୱବିତ ଡାକ୍ତରମାନଙ୍କୁ ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଅସ୍ଥାୟୀ ଭାବେ ମାସକୁ ୪ଥର କାର୍ଯ୍ୟରେ ଯିବେ । ୩୦ଟି ଜିଲ୍ଲାରେ ଥିବା ଜେଲ ଅନ୍ତେବାସୀଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଛାତ୍ରଛାତ୍ରୀ, ଯୁବଗୋଷ୍ଠୀଙ୍କୁ ମଧ୍ୟ ଏ ବିଷୟରେ ସଚେତନ କରାଯିବ ।
୨୦୨୦ ମାର୍ଚ୍ଚ ୧୬ ତାରିଖରେ ରାଜ୍ୟରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଏହାପରେ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଧିରେ ଧିରେ ଦୃତ ଗତିରେ ବୃଦ୍ଧି ପାଇଲା ସଂକ୍ରମଣ । ଫଳରେ ଲକଡାଉନ ଠାରୁ ଆରମ୍ଭ କରି ସଟଡାଉନ ଲାଗୁ କରାଯାଇଥିଲା । ଅନେକ ସମସ୍ୟା ଦେଇ ଗତି କରିଥିଲେ ରାଜ୍ୟବାସୀ । କୌଣସି ଲୋକ ଯେମିତି ବିପଦର ସମ୍ମୁଖୀନ ନହୁଅନ୍ତି ସେନେଇ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରିଥିଲେ ରାଜ୍ୟ ସରକାର ।
ଇଟିଭି ଭାରତ, ଭୁବନେଶ୍ବର