ଭୁବନେଶ୍ବର: ଏବେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ଅନୁଭୂତ ହେଉଥିବା ବେଳେ ଆଗକୁ ଆସୁଛି ଏକ ଲଘୁଚାପ । ଏହି ଲଘୁଚାପଟି ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନି। ବିଭାଗର ଆକଳନ ଅନୁସାରେ ମେ ମାସ ଦ୍ଵିତୀୟ ସପ୍ତାହ ଅର୍ଥାତ ମେ ୫ ତାରିଖରୁ ୧୧ ତାରିଖ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ କ୍ଷେତ୍ର । କିନ୍ତୁ ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବ କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ଅବସ୍ଥିତି କଣ ରହିବ ତାହା ସ୍ପଷ୍ଟ ହୋଇପାରିବ । କିନ୍ତୁ ଗତ କିଛି ବର୍ଷ ହେବ ଲଗାତାର ଭାବେ ମେ ମାସରେ ଆସୁଥିବା ଲଘୁଚାପ ବାତ୍ୟାର ପରିଣତ ହେଉଥିବା ବେଳେ ବର୍ତ୍ତମାନର ପାଣିପାଗ ବିଭାଗର ଆକଳନ ଚିନ୍ତାର କାରଣ ସାଜିଛି । ଅନ୍ୟପଟେ ରାଜ୍ୟରେ କାଳବୈଶାଖୀ ବର୍ଷା ଆସନ୍ତାକାଲିଠୁ ବଢିବ । ବର୍ତ୍ତମାନ ଗୋଟିଏ ନିମ୍ନଚାପ ରେଖାଟି ଦକ୍ଷିଣ ଛତିଶଗଡ଼ରୁ ବାହାରି ଆରବ ସାଗର ପର୍ଯ୍ୟନ୍ତ ବ୍ୟାପିଛି । ଏହା ସହ ଏକ ଗୁରୁଚାପ ବଳୟ ଓଡ଼ିଶା ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ।
ଏହା ବି ପଢନ୍ତୁ- JEE Main Result Out: ଓଡ଼ିଶାର ଟପ୍ପର ହେଲେ ପ୍ରିୟଙ୍କା ସର
ଏହାର ପ୍ରଭାବରେ ପର୍ଯ୍ୟାପ୍ତ ପରିମାଣରେ ଜଳୀୟବାଷ୍ପ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଯାହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୬ ଜିଲ୍ଲାକୁ ୟେଲ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଥିସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୧ ତାରିଖରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ରହିଛି ସମ୍ଭାବନା ।
ଏଥିଲାଗି ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ରାଜ୍ୟରେ ପାଣିପାଗର ମେ ମାସର ଆକଳନକୁ ନେଇ ବଢୁଛି ବାତ୍ୟା ନେଇ ଆଶଙ୍କା । ଗୋଟିଏ ପଟେ ଆଇଏମଡି ଡିଜି ଓଡିଶା ଉପରେ ପ୍ରଭାବ ନଥିବା କହିଥିବା ବେଳେ ଗତ କିଛି ବର୍ଷ ହେବ ଲଗାତାର ଭାବେ ମେ ମାସର ଲଘୁଚାପ ବାତ୍ୟାରେ ପରିଣତ ହେଉଥିବାରୁ ବାତ୍ୟାର ସମ୍ଭାବନା ବର୍ତ୍ତମାନ ରାଜ୍ୟ ପାଇଁ ଚିନ୍ତାର କାରଣ ସାଜିଛି ।
ଇଟିଭି ଭାରତ, ଭୁବନେଶ୍ବର