ଭୁବନେଶ୍ବର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଉ ଏକ ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱରରୁ ଉଜ୍ଜୟନି ଓ ଓଁକାରେଶ୍ୱରକୁ ଏକ ସ୍ୱତନ୍ତ୍ର ଟ୍ରେନ ଶୁକ୍ରବାରଠାରୁ ଯାତ୍ରା ଆରମ୍ଭ ହୋଇଛି । ଏଥିରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକ ଏବଂ ୩୦ ଜଣ ଅଧିକାରୀ ଟ୍ରେନରେ ଯାତ୍ରା କରିଛନ୍ତି । ଏହି ଟ୍ରେନଟି ଉଜ୍ଜୟନି ଓ ଓଁକାରେଶ୍ୱରର ବିଭିନ୍ନ ତୀର୍ଥସ୍ଥାନକୁ ଭ୍ରମଣ କରିବ ।
ଏହା ମଧ୍ୟ ପଢନ୍ତୁ- ତୀର୍ଥରେ ଗଲେ ବରିଷ୍ଠ ନାଗରିକ, କେନ୍ଦ୍ରାପଡ଼ାରୁ ଯୋଡ଼ି ହେଲେ ୧୧୩ ଜଣ
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଷଷ୍ଠ ବର୍ଷ ପୁରିଛି । ୨୦୧୬-୧୭ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଆଇଆରସିଟିସି ସହଯୋଗରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪ଟି ଟ୍ରିପରେ ୨୩, ୬୬୯ ଜଣ ବରିଷ୍ଠ ନାଗରିକ ବିଭିନ୍ନ ତୀର୍ଥସ୍ଥାନକୁ ଯାତ୍ରା କରିଛନ୍ତି । ଚଳିତ ବର୍ଷ ଏହିଭଳି ୧୦ଟି ଟ୍ରିପର ଯୋଜନା କରାଯାଇଛି । ବରିଷ୍ଠ ନାଗରିକମାନେ ବିଭିନ୍ନ ତୀର୍ଥସ୍ଥାନକୁ ଯାଇ ସେମାନଙ୍କ ପରିବାର, ବନ୍ଧୁ ଏବଂ ରାଜ୍ୟବାସୀଙ୍କ ପାଇଁ ଶୁଭ ମନାସିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ପ୍ରକାଶ କରିଛନ୍ତି । ବରିଷ୍ଠ ନାଗରିକମାନଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ- କଳାହାଣ୍ଡିରେ ତୀର୍ଥଯାତ୍ରାରେ ବାହାରିଲେ ବରିଷ୍ଠ ନାଗରିକ, ବାହାରିଲା ୬ଟି ବସ
ଏହି ଯାତ୍ରାରେ ବରିଷ୍ଠ ନାଗରିକମାନଙ୍କୁ ସ୍ୱାସ୍ଥ୍ୟସେବା ସହ ଗସ୍ତ ଖର୍ଚ୍ଚ, ରହଣି ଓ ଖାଦ୍ୟପେୟର ବ୍ୟବସ୍ଥା ରାଜ୍ୟ ସରକାର ବହନ କରୁଛନ୍ତି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ଵର ବିଧାୟକ ସ୍ୱରୂପ ଦାସ, ଓଟିଡିସି ଅଧ୍ୟକ୍ଷ ଡ. ଲେନିନ ମହାନ୍ତି, ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ତୀର୍ଥଯାତ୍ରା ଯୋଜନା ଉପଦେଷ୍ଟା ଦୁର୍ଗାପ୍ରସାଦ ସାମନ୍ତରାୟ, ଅତିରିକ୍ତ ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢନ୍ତୁ-ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା, ରାଜସ୍ଥାନ ବୁଲିଯିବେ ପୁରୀରୁ ୧୫୯ ଜଣ ବରିଷ୍ଠ ନାଗରିକ
ଗତ ବର୍ଷ ଡିସେମ୍ବର ମାସରେ କଳାହାଣ୍ଡିରେ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ ହୋଇଥିଲା । ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର । ୨୪୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରିଥିଲେ । ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ବ୍ଲକରୁ ବରିଷ୍ଠ ନାଗରିକମାନଙ୍କୁ ଆଣି ପ୍ରଥମେ ଭବାନୀପାଟଣାଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର