ଭୁବନେଶ୍ବର: ଆସନ୍ତା ସୋମବାର ପୂର୍ବାହ୍ନ 10.30 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ । ଆଜି ଅପରାହ୍ନ 4 ଟା ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ପ୍ରସସଙ୍ଗରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ । ଫଳରେ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହ ସ୍ବାଭାବିକ ପାଇଁ ଉଦ୍ୟମ କରିଥିଲେ ।
ଗୃହ ସ୍ବାଭାବିକ ହୋଇନଥିଲେ ସୁଦ୍ଧା ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ ଜରିଆରେ ଆଗତ ହେଲା ବୋଲି ବାଚସ୍ପତି ଘୋଷଣା କରିଥିଲେ । ଚଳିତ ଆର୍ଥିକ ବର୍ଷ 2023-24 ପାଇଁ ଉଭୟ ବିଭାଗର ମୋଟ 26 ହଜାର 311 କୋଟି 95 ଲକ୍ଷ 48 ହଜାର ଟଙ୍କାର ଖର୍ଚ୍ଚ ଦାବି ଆଗତ ହୋଇଛି । ଏହା ପରେ ପ୍ରସ୍ତାବ ଗିଲୋଟିନକୁ ଯାଇଥିଲା ।
ସେପଟେ ଆଜି ପୂର୍ବାହ୍ନରେ ବିଧାନସଭା ସ୍ବାଭାବିକ ଥିଲା । ପ୍ରଶ୍ନକାଳରେ ଶିଳ୍ପ ଓ ସାମାଜିକ ସୁରକ୍ଷା ବିଭାଗ ସମ୍ପର୍କିତ ପ୍ରଶ୍ନତ୍ତୋର ହୋଇଥିଲା । ବିଧାୟକ ମାନେ ଉଭୟ ବିଭାଗର ଅନେକ ସମସ୍ୟା ପ୍ରସ୍ତାବ ଗୃହରେ ଉଠାଇଥିଲେ । ବଲାଙ୍ଗୀର ବିଧାୟକ ବଲାଙ୍ଗୀର ଜିଲ୍ଲାରେ ଶିଳ୍ପ ସ୍ଥାପନା ପାଇଁ ବିଧାୟକ ନରସିଂହ ମିଶ୍ର ଦାବି କରିଥିଲେ । ଏହାସହ ଗୃହରେ ନିଜ ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା ପାଇଁ 3ଟି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ସେହିପରି ବିଧବା ଭିନ୍ନକ୍ଷମଙ୍କ ଭତ୍ତା ଓ ବ୍ୟାଙ୍କ ସମସ୍ୟା ନେଇ ଅନେକ ବିଧାୟକ ଉଦବେଗ ପ୍ରକାଶ କରିଥିଲେ ।
ଏହାବି ପଢନ୍ତୁ- Odisha Assembly: ବଲାଙ୍ଗୀରରେ ଏକ ଟେକ୍ସଟାଇଲ କାରଖାନା ସ୍ଥାପନ କରିବେ କି ?
ଅନ୍ୟପଟେ ଶୂନ୍ୟକାଳରେ ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ମୋ ସରକାର ଓ 5ଟି କୁ ଟାର୍ଗେଟ କରିଥିଲେ । ରାଜ୍ୟରେ ଅପପୁଷ୍ଟିଜନିତ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା କହିଥିଲେ ନଗଡାଠୁ କଳିଙ୍ଗନଗରର ଚିତ୍ର ଆହୁରି କଦର୍ଯ୍ୟ । କେବଳ ନଗଡା କି କଳିଙ୍ଗ ନଗର ନୁହେଁ ଓଡ଼ିଶାରେ ୧୯ ପ୍ରତିଶତ ଛୁଆ କମ ଓଜନର ଜନ୍ମ ହେଉଛନ୍ତି। ରାଜ୍ୟରେ ୩୧ ପ୍ରତିଶତ ଛୁଆ ପୁଷ୍ଟିହୀନତା ଓ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି। ସେହିଭଳି ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି। ଏଇଟା କଣ ମୋ ସରକାର, ଏଇଟା କଣ ୫ଟି କି ବୋଲି ପ୍ରଶ୍ନ କରିଥିଲେ । ଏତତ ବ୍ୟତୀତ ସ୍କୁଲ ରୂପାନ୍ତରୀକରଣ ପ୍ରସଙ୍ଗରେ ଏକ ମୁଲତବୀ ନୋଟିସ ମଧ୍ୟ ବିଜେପି ପକ୍ଷରୁ ଆସିଥିଲା । ଯାହାର ଜବାବ ବିଭାଗୀୟ ମନ୍ତ୍ରୀ ସମୀର ଦାସ ଗୃହରେ ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର