ଭୁବନେଶ୍ବର: ଓଡ଼ିଆ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଭାଷାରେ ଅଧିକ ଗବେଷଣା ଓ ଭାଷା, ସାହିତ୍ୟ ଶିକ୍ଷାରେ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗ ପାଇଁ ପରାମର୍ଶ ଦେଇଛନ୍ତି । ଡିସେମ୍ବର ମାସ ସୁଦ୍ଧା ଓଡ଼ିଆ ବିଶ୍ୱବିଦ୍ୟାଳୟର ନିଜସ୍ୱ କୋଠା ନିର୍ମାଣ ଶେଷ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଗୁରୁ ଦିବସର ପବିତ୍ର ଦିନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଏହାର ନୂତନ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ଉନ୍ମୋଚନ କରି ଭାଷା ଏବଂ ସାଂସ୍କୃତିକ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଦିନଟିକୁ ଏକ ଗୌରବମୟ ଦିନ ଭାବରେ ବର୍ଣ୍ଣନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରି ଯାଇଥିବା ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର ବନ ବିଦ୍ୟାଳୟ ପରି ଆମର ଜାତୀୟ ଚେତନାକୁ ଆହୁରି ମଜବୁତ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି । ଅଢେଇ ହଜାର ବର୍ଷର ଶାସ୍ତ୍ରୀୟ ଭାଷା ଓଡ଼ିଆ ଭାଷା ଉପରେ ଅଧିକ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଆ ବିଶ୍ଵବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ପାଠ୍ୟକ୍ରମ ହେଲା ଶୁଭାରମ୍ଭ, ଉଦଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନର ଯୁଗ ବୈଷୟିକ ଜ୍ଞାନ କୈଶଳର ଯୁଗ । ତେଣୁ ବର୍ତ୍ତମାନ ବୈଷୟିକ ବିକାଶର ସୁଯୋଗ ନେଇ ଭାଷା ଓ ସାହିତ୍ୟ ଶିକ୍ଷାରେ ଡିଜିଟାଲ କୌଶଳ ପ୍ରୟୋଗ କରି ଓଡ଼ିଆ ଭାଷା କିପରି ସାରା ବିଶ୍ୱ ପାଖରେ ପହଞ୍ଚି ପାରିବେ ସେ ଦିଗରେ କାମ କରିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ବିଶ୍ୱବିଦ୍ୟାଳୟ ନିର୍ମାଣ କୋଠା କାମ ଦୁଇମାସ ମଧ୍ୟରେ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଆ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଲା, ସାହିତ୍ୟ ଏବଂ ସାଂସ୍କୃତିକ ସମୃଦ୍ଧି: ଏହି ପାଠ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ବିଷୟବସ୍ତୁ ଯାହା ରାଜ୍ୟର ସାହିତ୍ୟ, ସାଂସ୍କୃତିକ ପରମ୍ପରା ଏବଂ ଭାଷାର ଉଭୟ ଶାସ୍ତ୍ରୀୟ ଏବଂ ଆଧୁନିକ ଦିଗ ଉପରେ ଧାରଣା ଦେବ। ଭାଷା ଦକ୍ଷତା: ଏହି ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କର ଭାଷା ଦକ୍ଷତା ବୃଦ୍ଧି ପାଇଁ ଡିଜାଇନ କରାଯାଇଛି । ଇତିହାସର ଜ୍ଞାନ: ଛାତ୍ରଛାତ୍ରୀ ମାନେ ଓଡ଼ିଆ ଭାଷାର ଐତିହାସିକ ମହତ୍ତ୍ୱ ଏବଂ ଭାଷାର ବିଶିଷ୍ଟ ସାହିତ୍ୟ ବିଶେଷଜ୍ଞଙ୍କ ବିଷୟରେ ପଢିବାର ସୁଯୋଗ ପାଇବେ ।
ଇଟିଭି ଭାରତ, ଭୁବନେଶ୍ବର