ଭୁବନେଶ୍ବର: ଆଗକୁ ନିର୍ବାଚନ ଆସୁଥିବାରୁ ନିର୍ବାଚନର ସଚେତନତାକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ଭୋଟ ଦେବା କୋଉଠି । ବିଶେଷ ଭାବେ ରାଜନୀତି ଓ ମତଦାତାଙ୍କ ସମସ୍ୟାକୁ ନେଇ ଆସୁଛି ଚଳଚ୍ଚିତ୍ର 'ଭୋଟ ଦେବା କୋଉଠି ?' । ଏହି କାହାଣୀଟି ଲୋକମାନଙ୍କର ସିନେମା । ଅନେକ ଗବେଷଣା ଓ ଲୋକଙ୍କ ମତକୁ ୬ ମାସ ଧରି ନିଆଯାଇ ଏହି ସିନେମାଟି ପ୍ରସ୍ତୁତ ହେବାକୁ ଯାଉଛି । ଆଜି ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି ଫିଲ୍ମର ନିର୍ମାତା । ତେବେ ଫିଲ୍ମଟିକୁ ୨୦୨୪ ନିର୍ବାଚନ ପୂର୍ବରୁ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ନିର୍ମାତା ।
ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଚଳଚ୍ଚିତ୍ରର ଟାଇଟଲ ଉନ୍ମୋଚନ ହୋଇଯାଇଛି । ପ୍ରଯୋଜକ ଯୁଗଳ ଦେବତା, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ଶ୍ରୀଧର ମାର୍ଥା ଓ ରମେଶ ବାରିକ ପ୍ରମୁଖ ଯୋଗ ଦେଇ ଏହାର ଟାଇଟଲ ଉନ୍ମୋଚନ କରିଥିଲେ । 'ଭୋଟ ଦେବା କୋଉଠି ?' ଟାଇଟଲରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଅମୂଲ୍ୟ ଦାସ ଓ ଧନଞ୍ଜୟ ଦ୍ବିବେଦୀ । କିଙ୍ଗସ୍ କ୍ରିଏସନ୍ ଓ ଜୋକର ପ୍ଲସ ବ୍ୟାନରରେ ନିର୍ମିତ ଏହି ସିନେମାରେ ନିର୍ଦ୍ଦେଶନା ଦିଲ୍ଲୀପ ପଣ୍ଡା । କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ହର ବାରିକ ଥିବାବେଳେ ସଂଗୀତ ଦେଇଛନ୍ତି ଅଭିଜିତ ମଜୁମଦାର । ଏବଂ ଅଭିନେତା ରାଜବୀରଙ୍କୁ ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ ।
ତେବେ ଆପଣଙ୍କ ଗୋଟିଏ ବହୁମୂଲ୍ୟ ଭୋଟ ଦେଶ ନିର୍ମାଣରେ ସହାୟକ ହୋଇଥାଏ । ତେଣୁ ଉପଯୁକ୍ତ ପ୍ରାର୍ଥୀକୁ ଭୋଟ ଦେଇ ନିର୍ବାଚିତ କରିବା ହେଉଛି ପ୍ରତ୍ୟେକ ଭୋଟଦାତାଙ୍କ ପାଇଁ ବଡ଼ ଆହ୍ୱାନ । ଏଭଳି କିଛି ବାର୍ତ୍ତା ନେଇ ଚଳଚ୍ଚିତ୍ରଟି ୨୦୨୪ ନିର୍ବାଚନ ପୂର୍ବରୁ ମୁକ୍ତିଲାଭ କରିବାର ଲକ୍ଷ୍ୟ ରଖିଛି ପ୍ରଯୋଜନା ସଂସ୍ଥା । ଏହି କ୍ରମରେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଓଡିଶା ରାଜନୀତିକୁ ତର୍ଜମା କରି ପ୍ରଯୋଜକ କହିଛନ୍ତି ବିଜେପି, କଂଗ୍ରେସ ନା ବିଜେଡି ? ପଦ୍ମ, ହାତ ନା ଶଙ୍ଖ ? ଭୋଟ ଦେବା କୋଉଠି ?
ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ ସମୀକ୍ଷାର ସ୍ପେଶାଲ ସ୍କ୍ରିନିଂ, ଆସନ୍ତାବର୍ଷ ପରଦାକୁ ଆସିବ ଫିଲ୍ମ
ଉପଯୁକ୍ତ ପ୍ରାର୍ଥୀକୁ ଭୋଟ ଦେଇ ନିର୍ବାଚିତ କରିବା ପ୍ରତ୍ୟେକ ଭୋଟଦାତାଙ୍କର ଏକ ଗୁରୁ ଦାୟିତ୍ୱ ହୋଇଥିବା ବେଳେ ସଚେତନତାର ଏମିତି କିଛି ବାର୍ତ୍ତା ସହ ମତଦାତାଙ୍କ ସମସ୍ୟା ଓ ସମାଧାନର କାହାଣୀ ନେଇ ଆସିବ ଚଳଚ୍ଚିତ୍ର 'ଭୋଟ ଦେବା କୋଉଠି ?' ଏହା ନିଶ୍ଚୟ ନୂଆ ଦିଗ ଦେଖାଇବ ଭୋଟରଙ୍କୁ ବୋଲି ଆଶା ରଖିଛନ୍ତି ନିର୍ମାତା । କାରଣ ଆମ ରାଜ୍ୟ ର ବିକାଶ ବା ଉତ୍ତମ ରାଷ୍ଟ୍ର ଗଠନ ଆମ ହାତରେ ଥାଏ । ପ୍ରତି ୫ ବର୍ଷରେ ଆମେ କାହାକୁ ଗାଦିରେ ବସାଇବୁ ଆଉ ଯାହାକୁ ଚୟନ କରିଛୁ ସେ ଠିକ ନ ଭୁଲ ତାହା ଆମର ନିଷ୍ପତ୍ତି ଉପରେ ନିର୍ଭର କରିଥାଏ ।
ଇଟିଭି ଭାରତ, ଭୁବନେଶ୍ବର