ଭୁବନେଶ୍ବର: ଘର ଦେବା ଆଳରେ ଟଙ୍କା ନେଇ ମହିଳା ଅଧ୍ୟାପିକାଙ୍କୁ ଠକୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଯୋଜକ । ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ କିନ୍ତୁ ଘର ଦେଉନଥିଲେ । ଶେଷରେ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପ୍ରଯୋଜକ ଅଜିତାଭ ମଲ୍ଲିକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଘର ଦେବା ଆଳରେ ପ୍ରଯୋଜକ ଅଜିତାଭ ୭୫ ଲକ୍ଷ ଠକି ନେଇଥିବା ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରି ଆଇପିସିର ଧାରା ୪୨୦,୫୦୬,୩୪ରେ କୋର୍ଟ ଚାଲାଣ କରିଛି । ଅଜିତାଭ ମଲ୍ଲିକ ଓଡ଼ିଆ ଫିଲ୍ମ ଅରୁନ୍ଧତୀର ପ୍ରଯୋଜକ ଅଟନ୍ତି ।
ଏନେଇ ପୋଲିସ କହିଛି ଯେ, ''ମହିଳାଙ୍କ ଅଭିଯୋଗ ଆଧାରରେ ଅଜିତାଭଙ୍କୁ ଗିରଫ କରାଯାଇଛି । ତଦନ୍ତ ସମୟରେ ଜଣାପଡିଥିଲା ଯେ ପ୍ରଯୋଜକ ଜଣଙ୍କ କୋଳଥିଆରେ ଏକ ଘର ଦେବା ଆଳରେ ମହିଳା ଅଧ୍ୟାପିକାଙ୍କ ଟଙ୍କା ନେଇ ପରେ ଚେକ୍ ଦେଇ ବିଭିନ୍ନ ସମୟରେ ଠକାମି କରିଚାଲିଥିଲେ । ତଦନ୍ତରେ ଅନେକ ଦିଗକୁ ଦୃଷ୍ଟିରେ ରଖି ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ଅଭିଯୋଗକାରୀ ଓ ଗିରଫ ଅଭିଯୁକ୍ତର ମାଆ ।
ଅଭିଯୋଗକାରୀ ମହିଳା ଅଧ୍ୟାପିକା ଜଣଙ୍କ କହିଛନ୍ତି ଯେ, ଉତ୍କଳ ୟୁନିଭରସିଟିରେ ପ୍ରଯୋଜକଙ୍କ ଭଉଣି ପିଏଚଡ଼ି କରୁଥିବା ସମୟରେ ତାଙ୍କ ଜରିଆରେ ତାଙ୍କ ବାପା ସହ ତଥା ରିଟାର୍ଡ ଓଏସ ଅଧିକାରୀଙ୍କ ସହ ଚିହ୍ନା ହୋଇଥିଲା । ପରେ ତାଙ୍କ ବାପା ଜରିଆରେ ପ୍ରଯୋଜକ ଅଜିତାଭ ମଲ୍ଲିକ ସହ ଚିହ୍ନା ପରିଚୟ ହୋଇଥିଲା । କୋଳଥିଆ ଏମ ଆଇଜି ହାଉସିଂ କଲୋନିରେ ଥିବା ତାଙ୍କ ଘରକୁ ବିକ୍ରି କରିବାକୁ ସେମାନେ ରାଜି ହୋଇଥିଲେ । ଏନେଇ କୋଟିଏ ଟଙ୍କାରେ ଡିଲ ହୋଇଥିଲା । ଏଥିପାଇଁ ସେ ବିଭିନ୍ନ ପର୍ଯ୍ୟାୟରେ କ୍ୟାସ, ଆରଟିଜିଏସ, ଅନଲାଇନ ଟ୍ରାନଜାକ୍ସନ ଜରିଆରେ ୮୫ଲକ୍ଷ ଟଙ୍କା ନେଇଥିଲେ । ହେଲେ ସେ ଘରର କାଗଜ ପତ୍ର ଯାଞ୍ଚ ନକରି ପାରିଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ସେ ଠକି ଚାଲିଥିଲେ ।
ଏନେଇ ତାଙ୍କ ଘରକୁ ଯାଇ ତାଙ୍କ ବାପାଙ୍କୁ ଦେଖା କରିବା ପରେ ବି ସେ ତାଙ୍କ ସୁନା ଆଣିବାକୁ କହି ୩୦୦ଗ୍ରାମର ସୁନା ମଧ୍ୟ ଦେଇଥିଲେ । ଏହାପରେ ସେ ଆଉ ଧରାଛୁଆଁ ଦେଇନଥିଲେ । ଥାନାରେ ଅଭିଯୋଗ ପରେ ପ୍ରଯୋଜକଙ୍କୁ ପୋଲିସ ଗିରଫ କରିଛି । ତାଙ୍କର ଅନେକ ଝିଅ ସହ ସମ୍ପର୍କ ରହିଛି ଏପରିକି ଚେନ୍ନାଇର ଜଣେ ଝିଅଙ୍କୁ ମଧ୍ୟ ଏପରି ଠକିଛନ୍ତି ଠକେଇ ଟଙ୍କାରେ ସେ ଫିଲ୍ମ ତିଆରି କରିଛନ୍ତି । ''
ଅନ୍ୟପଟେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ଅଜିତାଭଙ୍କ ମାଆ । ସେ କହିଛନ୍ତି,'' ସେ ମହିଳା ତାଙ୍କ ପୁଅର କ୍ଲାସ ମେଟ । ତାର ବିବାହ ପରେ ଛାଡପତ୍ର ହୋଇଥିଲା । ଏହାପରେ ମୋ ପୁଅ ସହ ବୁଲାଵୁଲି କରୁଥିଲା । ଏପରିକି ଆମ ଘରେ ଆସି ମଧ୍ୟ ରହିଛି । ଦୁହେଁଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା ଏହାରି ଭିତରେ ତାଙ୍କର କଣ ହେଲା କଣ ଆର୍ଥିକ କାରବାର ହୋଇଛି ମୁଁ ଜାଣିନାହିଁ । କିନ୍ତୁ ଯେଉଁ ଘର ବିକ୍ରି କଥା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ପୁଅ ସହ ମିଶାମିଶି, ପାର୍ଟି,ପିକନିକ, ବୁଲାବୁଲି କରି ପରେ ସେମାନଙ୍କ ମଧ୍ୟରେ କଣ ଅସୁବିଧାରୁ ଏପରି ଅଭିଯୋଗ କରି ତାଙ୍କ ପୁଅକୁ ଫସାଇ ଦିଆଯାଇଛି । ସେ ଭାରି ଚତୁର ମହିଳା ତାଙ୍କର ଅନେକ ପ୍ରମାଣ ମୋ ପାଖେ ଅଛି । ''ତେବେ ଏନେଇ ପ୍ରଯୋଜକଙ୍କ ସହ କଣ ସମ୍ପର୍କ ସେନେଇ ଅଭିଯୋଗକାରୀ ମହିଳା କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ଇଟିଭି ଭାରତ, ଭୁବନେଶ୍ବର