ଭୁବନେଶ୍ବର: ଅଭିନେତାଙ୍କୁ ମହଙ୍ଗା ପଡିଲା ପୋଲିସକୁ ଦୁର୍ବ୍ୟବହାର । ଗିରଫ ହେଲେ ଓଡ଼ିଆ ଅଭିନେତା ବିରଞ୍ଚି ନାରାୟଣ ନାୟକଙ୍କୁ ଗିରଫ କଲା ପୋଲିସ । ନାଇଟ ବ୍ଲକିଂ ଚେକିଂ ବେଳେ ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ। ସୂଚନା ମୁତାବକ, ବଡଦିନ ସୁରକ୍ଷା ନେଇ ସହରରେ ଚାଲିଥିଲା ନାଇଟ ବ୍ଲକିଂ ଓ ଚେକିଂ। ଏନେଇ ଭରତପୁର ଥାନା ଅଞ୍ଚଳର କଳିଙ୍ଗ ଷ୍ଟୁଡିଓର ଛକରେ ପୋଲିସ ଚେକିଂ କରୁଥିଲା । ଏହି ସମୟରେ ରାତି ପ୍ରାୟ ୧ଟା ୩୦ମିନିଟ ସମୟରେ ଅଭିନେତା ବିରଞ୍ଚି ନାରାୟଣ ନିଜ କାର ଯୋଗେ ରେଣ୍ଟାଲ ଛକ ପାର୍ଶ୍ଵରୁ କଳିଙ୍ଗ ଷ୍ଟୁଡିଓ ଛକ ଆଡ଼କୁ ଆସିଥିଲେ । ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ଅଟକାଇ ଯାଞ୍ଚ କରିବାକୁ କହିଥିଲେ। ହେଲେ ଗାଡିରେ ଥାଇ ଅଭିନେତା ଜଣଙ୍କ ବ୍ୟାରିକେଡ୍ ହଟା କହି ଅନେକ ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ସେଠାରେ ମୁତୟନ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ଯାଞ୍ଚ ପାଇଁ ସହଯୋଗ କରିବାକୁ ନିବେଦନ କରିଥିଲେ ସୁଦ୍ଧା ସେ ଶୁଣିନଥିଲେ । ରାସ୍ତା ଉପରେ ଏପରି ତୁମୁଳକାଣ୍ଡ ଯୋଗୁଁ ଘଟଣା ସ୍ଥଳରେ ଟ୍ରାଫିକ ସମସ୍ଯା ଦେଖାଦେଇଥିଲା । "ମୁଁ ପୋଲିସ ଚରିତ୍ରରେ ଅଭିନୟ କରିଛି ପୋଲିସଗିରି ଦେଖାଉଛୁ" କହି ଧମକାଇଥିଲେ। ଭରତପୁର ଥାନାରେ କେସ ନମ୍ବର 579 ର ଆଇପିସିର ଧାରା 341,323, 294, 186, 353, 506 ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିନେତାଙ୍କ ଘର କାକଟପୁର ଅଞ୍ଚଳରେ ହୋଇଥିବାବେଳେ ସେ ଭୁବନେଶ୍ବରର ନୟାପଲ୍ଲୀ ଭିଆଇପି କଲୋନିରେ ରହୁଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ...ବଡଦିନ ଓ ନୂଆବର୍ଷ ପାଇଁ ଭୁବନେଶ୍ୱରେ ଆଲର୍ଟ, ବ୍ଲକିଂ ଚେକିଂ ସହ ଚର୍ଚ୍ଚରେ ରହିବ ପୋଲିସ ପ୍ରହରା
ପୋଲିସ ଭୂମିକା ଅଭିନୟ କରୁଥିଲେ । ଆଉ ପୋଲିସକୁ ଗାଳି କରି ଗିରଫ ହେଲେ ଅଭିନେତା । ଅଭିନେତା ବିରଞ୍ଚି ଅନେକ ଓଡ଼ିଆ ସିରିଏଲରେ ଅଭିନୟ କରିଛନ୍ତି। ନିକଟରେ ଏକ ଓଡ଼ିଆ ଓ୍ବେବ ସିରିଜରେ ଅଭିନୟ କରି ସେ ଚର୍ଚ୍ଚାକୁ ଆସିଥିଲେ। ପୋଲିସ ଅଭିନୟ ଭୂମିକାରେ ଅଭିନୟ କରି ୬ଜଣ ବ୍ୟକ୍ତିଙ୍କ ମୃତ୍ୟୁର ତଦନ୍ତ କରୁଥିଲେ। ତାଙ୍କର ଅଭିନୟକୁ ବେଶ ପସନ୍ଦ ମଧ୍ୟ କରିଥିଲେ ଦର୍ଶକ । ଜଣେ ଅଭିନେତା ହୋଇ ମଧ୍ୟ ପୋଲିସକୁ ଏଭଳି ଦୁର୍ବ୍ୟବହାର କରିବା ଘଟଣାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର