ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଛନ୍ତି ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ରାଜ୍ୟରେ ପ୍ରସ୍ତୁତ ହେଉଥିବା ଭିଟାମିନ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ (ଫର୍ଟିଫାଏଡ ରାଇସ) ପ୍ରସ୍ତୁତି, ସଂରକ୍ଷଣ ଓ ବ୍ୟବହାର ସଂପର୍କରେ ରାଜ୍ୟର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବାକୁ ଆସିଛି ଏହି ଦଳ । ନାଇଜେରିଆ ସରକାରଙ୍କ ସ୍ବାସ୍ଥ୍ୟ, ଖାଦ୍ୟ ନିରାପତ୍ତା, ଖାଦ୍ୟ ନିୟାମକ ସଂସ୍ଥା ମନ୍ତ୍ରାଳୟ ତଥା ବିଭାଗ ଏବଂ ଘରୋଇ କ୍ଷେତ୍ରର ସରକାରୀ ଅଧିକାରୀମାନଙ୍କ ସହିତ ଆସିଛନ୍ତି ୧୩ ଜଣିଆ ଟିମ । ମିଳିତ ଜାତିସଂଘ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (WFP) ସହାୟତାରେ ଆସିଛି ଏହି ଟିମ । ଅଭିଜ୍ଞତା ଏବଂ ଶିକ୍ଷା ବାଣ୍ଟିବା ପାଇଁ ଆମେ ଆଗ୍ରହୀ ବୋଲି କହିଛନ୍ତି ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ।
![Nigerian delegates in Odisha](https://etvbharatimages.akamaized.net/etvbharat/prod-images/26-09-2023/od-bbsr-07-nigeria-team-in-odisha-7209787_26092023205456_2609f_1695741896_323.jpg)
ନାଇଜେରିଆ ସରକାର ଖାଦ୍ୟକୁ ଅଣୁ ପୁଷ୍ଟିସାରଯୁକ୍ତ କରିବା ପାଇଁ ଏକ ଜାତୀୟ ରଣନୀତି ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି ରଣନୀତି ଅନୁଯାୟୀ ସରକାର ଜାତୀୟ ଫର୍ଟିଫିକେସନ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଦେଶର ଅନ୍ୟତମ ପ୍ରଧାନ ଖାଦ୍ୟ ଚାଉଳକୁ ଭିଟାମିନ ଯୁକ୍ତ ପୁଷ୍ଟି ବର୍ଦ୍ଧକ (ଫର୍ଟିଫିକେସନ) କରିବାକୁ ଅନୁମତି ଦେଇଛନ୍ତି । ଭାରତର ଚାଉଳ ଫର୍ଟିଫିକେସନ ପ୍ରକ୍ରିୟା କାର୍ଯ୍ୟକାରିତା ଅଭିଜ୍ଞତା ନାଇଜେରିଆ ପାଇଁ ଏକ ମୂଲ୍ୟବାନ ଉଦାହରଣ ହୋଇଛି । ବିଶେଷକରି ଦେଶରେ ଫର୍ଟିଫାଇଡ ଚାଉଳ ପ୍ରସ୍ତୁତି ପାଇଁ ଦେଶରେ ଉତ୍ତମ ପରିବେଶ ସୃଷ୍ଟି ହୋଇଛି । ଭାରତର ଆଭିମୁଖ୍ୟରେ ଦୃଢ଼ ସରକାରୀ ନେତୃତ୍ୱ ଅନ୍ତର୍ଭୁକ୍ତ ଯାହା ଲକ୍ଷ୍ୟ ଧାର୍ଯ୍ୟ ଅନୁସାରେ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ପରି ସାର୍ବଜନୀନ ବିତରଣ ବ୍ୟବସ୍ଥାକୁ ସମର୍ଥନ କରୁଛି ।
![Nigerian delegates in Odisha](https://etvbharatimages.akamaized.net/etvbharat/prod-images/26-09-2023/od-bbsr-07-nigeria-team-in-odisha-7209787_26092023205456_2609f_1695741896_938.jpg)
ଏହା ବି ପଢନ୍ତୁ- ରାଇସ ମିଲର କନକ୍ଲେଭ, ଧାନର ରପ୍ତାନି ବଜାରର ଚାହିଦା ପୂରଣ ପାଇଁ ଲକ୍ଷ୍ୟ
ଓଡିଶା ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମୟ ସୀମାର ଏକ ବର୍ଷ ପୂର୍ବରୁ ଓଡ଼ିଶା ସମସ୍ତ ଖାଦ୍ୟଭିତ୍ତିକ ଯୋଜନାରେ ରାଜ୍ୟବ୍ୟାପୀ ଫର୍ଟିଫାଇଡ ଚାଉଳର ସମ୍ପୂର୍ଣ୍ଣ ପ୍ରଚଳନ କରିଛି । ୨୦୧୨ ମସିହାରେ ଗଜପତି ଜିଲ୍ଲାରେ ଓଡ଼ିଶା ଦେଶରେ ପ୍ରଥମ କରି ଭିଟାମିନ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ ପ୍ରସ୍ତୁତି (ଫର୍ଟିଫିକେସନ) ଲାଗି ପଦକ୍ଷେପ ନେଇ ଅଗ୍ରଣୀ ଭୂମିକା ନିର୍ବାହ କରିଛି । ବିଶେଷକରି କୁପୋଷଣର ମୁକାବିଲା ଓ ଖାଦ୍ୟ ନିରାପତ୍ତା ସୃଷ୍ଟି ଦିଗରେ ରାଜ୍ୟ ସରକାର ନିଜର ଅଭିଜ୍ଞତା ଓ ଶିକ୍ଷା ବାଣ୍ଟିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଉନ୍ନୟନ କମିଶନର କହିଛନ୍ତି ।
ନାଇଜେରିଆରେ ଚାଉଳ ଫର୍ଟିଫିକେସନକୁ ପ୍ରୋତ୍ସାହନ ନିମନ୍ତେ ‘ଦକ୍ଷିଣ-ଦକ୍ଷିଣ’ ଶିକ୍ଷଣ ପରିପ୍ରେକ୍ଷୀରେ ଭାରତ ଆସି ଆମେ ବେଶ ଉତ୍ସାହିତ । ଏ କ୍ଷେତ୍ରରେ ଭାରତର କାର୍ଯ୍ୟକାରିତା ଯାତ୍ରାର ସଫଳତା, ଆହ୍ୱାନ ଏବଂ ଶିକ୍ଷାରୁ ଶିଖିବା ଏହି ଗସ୍ତର ଉଦ୍ଦେଶ୍ୟ । ଏହା ବ୍ୟତୀତ ନାଇଜେରିଆ ପରିପ୍ରେକ୍ଷୀରେ ଏହି ଶିକ୍ଷାଗୁଡ଼ିକୁ କିପରି ଆଦୃତ ଏବଂ କାର୍ଯ୍ୟକାରୀ କରାଯାଇପାରିବ ତାହା ଚିହ୍ନଟ କରିବା ଏହି ଗସ୍ତର ଲକ୍ଷ୍ୟ ବୋଲି ଭାରତରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା କଣ୍ଟ୍ରି ଡାଇରେକ୍ଟର ଏଲିଜାବେଥ ଫାଉରେ କହିଛନ୍ତି । ଏହି ପ୍ରତିନିଧି ଦଳ ଚାଉଳ ଫର୍ଟିଫିକେସନ ସ୍ଥାନ ପରିଦର୍ଶନ କରିବେ ।
ଏହା ବି ପଢନ୍ତୁ- ରେଡି ଟୁ ଇଟ୍ ରାଇସ୍: ଫାଷ୍ଟଫୁଡ୍ ମ୍ୟାଗି-ଚାଓମିନ୍ ଭଳି ଫଟାଫଟ୍ ହେବ ଭାତ, ରହିଛି ଭରପୁର ଔଷଧୀୟ ଗୁଣ
ଏଥିପାଇଁ ବ୍ୟବହୃତ ଯନ୍ତ୍ରପାତି, ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ନିରାପତ୍ତା ମାନକ ପ୍ରକ୍ରିୟା ସଂପର୍କରେ ବୁଝିବେ । ସଦସ୍ୟମାନେ ନିୟାମକ ଦିଗ ଏବଂ ଅନୁପାଳନ ପଦକ୍ଷେପ ଉପରେ ଆଲୋଚନା କରିବା ପାଇଁ ଭାରତୀୟ ଖାଦ୍ୟ ନିୟନ୍ତ୍ରଣ ଅଧିକାରୀଙ୍କ ସହ ବୈଠକ କରିବେ । ସେମାନେ ଚାଉଳ ଫର୍ଟିଫିକେସନ କାର୍ଯ୍ୟକ୍ରମର ପ୍ରସ୍ତୁତି ପ୍ରଣାଳୀ ଏବଂ କାର୍ଯ୍ୟକାରୀ କରାଯାଉଥିବା ନୀତି ନିର୍ଧାରକମାନଙ୍କ ସହ ମଧ୍ୟ ଆଲୋଚନା କରିବେ ।
ଇଟିଭି ଭାରତ, ଭୁବନେଶ୍ବର