ଖୋର୍ଦ୍ଧା: ବେଆଇନ ପଥର ଖନନ ମାମଲାରେ ଶ୍ରୀମନ୍ଦିର ପ୍ରଶାସନକୁ ଝଟକା ଲାଗିଛି । ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ପଥନ ଖନନ ଅଭିଯୋଗ ନେଇ ଶ୍ରୀମନ୍ଦିର ପ୍ରଶାସନକୁ 12କୋଟି ଟଙ୍କା ଜୋରିମାନା ହୋଇଛି । ଜାତୀୟ ଗ୍ରୀନ ଟିବ୍ୟୁନାଲ୍ ଗୁରୁତର ସହିତ ଏହାକୁ ଗ୍ରହଣ କରି ଶ୍ରୀମନ୍ଦିର ପ୍ରଶାସନକୁ ଜୋରିମାନା କରିଛନ୍ତି ।
ଜିଲ୍ଲା ନିଜିଗଡ଼ ତାପଙ୍ଗରେ ବେଆଇନ ଭାବେ ପଥର ଖଣି ଉତ୍ତୋଳନ କରାଯିବା ଶ୍ରୀମନ୍ଦିର ପ୍ରଶାସନକୁ ମହଙ୍ଗା ପଡିଛି । ବେଆଇନ ପଥର ଉତ୍ତୋଳନ ଯୋଗୁଁ ପରିବେଶ ନଷ୍ଟ ହେବା ସହ ସରକାର ଲକ୍ଷାଧିକ ଟଙ୍କା ରାଜସ୍ବ ହରାଉଥିବା ଅଭିଯୋଗକୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଗୁରୁତର ସହ ନେଇଛନ୍ତି । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନକୁ 12 କୋଟି ଭରଣା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହି ଟଙ୍କା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲା ପ୍ରଶାସନ ଏହି ଅର୍ଥରେ ବେଆଇନ ଭାବେ ଉତ୍ତୋଳନ ହୋଇଥିବା ସ୍ଥାନରେ ମାଟି ପକାଇ ପୋତିବେ, ଗଛ ଲଗାଇବା ବ୍ୟବସ୍ଥା କରିବେ । ଏ ସଂକ୍ରାନ୍ତିୟ ସବିଶେଷ ରିପୋର୍ଟ 2023 ମାର୍ଚ୍ଚ 31 ସୁଦ୍ଧା ଏନଜିଟି ନିକଟରେ ସତ୍ୟପାଠ ଦାଖଲ କରିବାକୁ ଦୁଇ ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି । ପଥର ଖଣି ନିଲାମ ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ତରଫରୁ 2019ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । 26ଟିରୁ 4ଟି ପଥର ଖଣି ନିଲାମ ହୋଇଥିଲା । ଏଥିରୁ ଗୋଟିଏର ପରିବେଶ ମଞ୍ଜୁରୀ ଓ ଅନ୍ୟାନ୍ୟ ଅନୁମତି ନଥିଲା ।
ଏହା ବି ପଢନ୍ତୁ... ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
ଅନ୍ୟପଟେ ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ କହିଛନ୍ତି ପୂର୍ବରୁ ଏନେଇ NGTରେ ସତ୍ୟପାଠ ଦାଖଲ କରାଯାଇଛି । ଏବଂ ରାୟ ବିରୋଧରେ ଆମେ କୋର୍ଟକୁ ଯିବୁ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅମୃତ ମଣୋହୀ ଖଣିଜ ସମ୍ପଦ ସୁରକ୍ଷା ଦେବାରେ ଉଭୟ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ବିଭିନ୍ନ ମହଲରେ ଦାୟୀ କରାଯାଇଛି ।
ଇଟିଭି ଭାରତ, ଖୋର୍ଦ୍ଧା