ଭୁବନେଶ୍ବର: ବିରଳ ରୋଗରେ ପୀଡ଼ିତ ଲୋକମାଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏଣିକି ସବୁ ବିରଳ ରୋଗ ପାଇଁ ବ୍ୟକ୍ତିଗତ ଚିକିତ୍ସା ଉଦ୍ଦେଶ୍ୟରେ ଆମଦାନୀ କରାଯାଉଥିବା ଔଷଧ ଓ ଖାଦ୍ୟ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯିବ । ଏ ସଂକ୍ରାନ୍ତରେ ଏକ ସାଧାରଣ ଶୁଳ୍କ ଛାଡ଼ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଜାତୀୟ ବିରଳ ରୋଗ ନୀତି ୨୦୨୧ ଅଧୀନରେ ତାଲିକାଭୁକ୍ତ ହୋଇଥିବା ସବୁ ବିରଳ ରୋଗ ପାଇଁ ଆମଦାନୀ କରାଯାଉଥିବା ଔଷଧ ଓ ଖାଦ୍ୟ ଉପରେ ସୀମା ଶୁଳ୍କ ରିହାତି ଦେବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି । ଏହି ଶୁଳ୍କ ଛାଡ଼ ସୁବିଧା ପାଇବା ଲାଗି ବ୍ୟକ୍ତିଗତ ଆମଦାନୀକାରୀଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ କିମ୍ବା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ/ସିଭିଲ ସର୍ଜନଙ୍କଠାରୁ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ସାଧାରଣତଃ ଔଷଧ/ଔଷଧୀୟ ସାମଗ୍ରୀ ଉପରେ ୧୦% ମୂଳ ସୀମାଶୁଳ୍କ ଲାଗୁ ହୋଇଥାଏ । ଅନ୍ୟ କେତେକ ଜୀବନ ରକ୍ଷାକାରୀ ଔଷଧ ଉପରେ ୫% ରିହାତି ଦରରେ ସୀମା ଶୁଳ୍କ ଲାଗୁ ହୋଇଥାଏ । କିମ୍ବା ସମ୍ପୂର୍ଣ୍ଣ ଶୁଳ୍କ ଛାଡ଼ କରାଯାଇଥାଏ ।
ପୂର୍ବରୁ ସ୍ପାଇନାଲ ମସ୍କୁଲାର ଅଟ୍ରୋଫୀ କିମ୍ବା ଡ୍ୟୁସେନ ମସ୍କୁଲାର ଡିଷ୍ଟ୍ରଫୀ ଭଳି ରୋଗର ଚିକିତ୍ସା ପାଇଁ ରହିଥିବା ନିର୍ଦ୍ଦିଷ୍ଟ ଔଷଧ ଉପରେ ଶୁଳ୍କ ଛାଡ଼ ରିହାତି ପ୍ରଦାନ କରାଯାଉଥିଲା । ତେବେ ଅନ୍ୟ କେତେକ ବିରଳ ରୋଗ ପାଇଁ ବ୍ୟବହୃତ ଔଷଧ ଆମଦାନୀ ଉପରୁ ସୀମାଶୁଳ୍କ ଛାଡ଼ ପାଇଁ ସରକାରଙ୍କୁ ବିଭିନ୍ନ ସମୟରେ ପ୍ରସ୍ତାବ ମିଳୁଥିଲା । ଏସବୁ ବିରଳ ରୋଗ ପାଇଁ ବ୍ୟବହୃତ ଔଷଧ ଓ ଖାଦ୍ୟ ସାମଗ୍ରୀ ବ୍ୟୟବହୁଳ ହୋଇଥାଏ । ସେଗୁଡ଼ିକୁ ଆମଦାନୀ କରିବାକୁ ପଡ଼ିଥାଏ । ୧୦ କିଲୋଗ୍ରାମ ଓଜନର ଏକ ଶିଶୁ ବିରଳ ରୋଗରେ ପୀଡ଼ିତ ଥିଲେ, ତା’ର ବାର୍ଷିକ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।
ସାରା ଜୀବନ ଏପରି ଚିକିତ୍ସା ଜାରି ରଖିବାର ଆବଶ୍ୟକତା ଥିବାରୁ ବୟସ ଏବଂ ଓଜନ ବଢ଼ିବା ସହିତ ଔଷଧର ମାତ୍ରା ଓ ଖର୍ଚ୍ଚ ବଢ଼ି ଚାଲିଥାଏ । ଏବେ ସରକାର ସୀମାଶୁଳ୍କ ଛାଡ଼ କରିଥିବାରୁ ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ । ଏହାଦ୍ୱାରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଉପକୃତ ହୋଇପାରିବେ । ସରକାର ବିଭିନ୍ନ କର୍କଟ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ପେମ୍ବ୍ରୋଲିଜୁମାବ (କେଟ୍ରୁଡା) ଉପରୁ ମୂଳ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର