ଭୁବନେଶ୍ବର: ଓଡିଶାର ପାରମ୍ପରିକ ଖାଦ୍ୟକୁ ସାରା ବିଶ୍ୱର ବିଭିନ୍ନ କୋଣରେ ପହଞ୍ଚାଇବାକୁ ପ୍ୟାକେଜିଂ ଉପରେ ଏକ ଜାତୀୟ କର୍ମଶାଳା ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଛି । କେନ୍ଦ୍ର MSME ମନ୍ତ୍ରଣାଳୟ ଓ ଓଡଶା ସରକାରଙ୍କର MSME ବିଭାଗ ସହାୟତାରେ ଫୋରମ ଫର୍ ଏଣ୍ଟରପ୍ରାଇଜ୍ ଡେଭଲପମେଣ୍ଟ, ଭୁବନେଶ୍ୱର ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ଏଥିରେ ଭାରତ ସରକାରଙ୍କର MSME ମନ୍ତ୍ରଣାଳୟର ସଚିବ ବିଦ୍ୟୁତ ବିହାରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗୀଙ୍କୁ ପଞ୍ଜିକରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଭାରତ ସରକାର 2020 ମସିହାରେ MSME କ୍ଷେତ୍ର ପାଇଁ ଉଦ୍ୟମ ପଞ୍ଜିକରଣ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଏହି କ୍ଷେତ୍ରକୁ ବ୍ୟବସ୍ଥିତ କରିବା ସହିତ ସମସ୍ତ ଯୋଜନାର ଲାଭ ଯୋଗାଇ ଦିଆଯାଇପାରିବ । ଏ ପର୍ଯ୍ୟନ୍ତ ପ୍ରାୟ 1 କୋଟି 37 ଲକ୍ଷ ଉଦ୍ୟମ ପଞ୍ଜିକରଣ ହୋଇସାରିଛି । ଭାରତ ସରକାର MSME କ୍ଷେତ୍ରର ବିକାଶ ପାଇଁ ଋଣ ସୁବିଧା, ବଜାର ସଂଯୋଗୀକରଣ, ପ୍ରଯୁକ୍ତିଗତ ସହାୟତା ଆଦି ଉପରେ ଗୁରୁତ୍ୱ ଦେଇଛନ୍ତି ବୋଲି କହିଥିଲେ । ସଚିବ ଆହୁରି କହିଥିଲେ ଯେ, ଓଡ଼ିଆ ଖାଦ୍ୟର ସଠିକ ପ୍ୟାକେଜିଂ ହୋଇପାରିଲେ ଏହା ବୈଶ୍ବିକ ସ୍ତରରେ ଆଦୃତ ହୋଇପାରିବ । ଏହାଛଡା ସଠିକ ପ୍ୟାକେଜିଂ ଗ୍ରାହକଙ୍କୁ ଆକର୍ଷିତ କରିବା ସହ ଉତ୍ପାଦକୁ ବେଶୀ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିପାରିବ ।
ରାଜ୍ୟ ସରକାରଙ୍କର MSME ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ । ଆମର ପାରମ୍ପରିକ ଖାଦ୍ୟର ସୁନ୍ଦର ପ୍ୟାକେଜିଂ ଓ ସଠିକ ମାର୍କେଟିଂ ହୋଇପାରିଲେ ସେଗୁଡିକ ଆହୁରି ଲୋକପ୍ରିୟ ହୋଇପାରିବ ବୋଲି ସେ କହିଥିଲେ ।
ଓଡ଼ିଶା ଖଦି ଏବଂ ଗ୍ରାମଦ୍ୟୋଗ କମିଶନର ନିର୍ଦ୍ଦେଶକ ସମୀର କୁମାର ମହାନ୍ତି ଏବଂ ଓରମାସର ସିଇଓ ଗୁହା ପୁନମ ତାପସ କୁମାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଫୋରମ ଫର୍ ଏଣ୍ଟରପ୍ରାଇଜ୍ ଡେଭଲପମେଣ୍ଟ୍, ଭୁବନେଶ୍ୱରର ଅଧ୍ୟକ୍ଷ ପଞ୍ଚାନନ ଦାଶ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । MSME ବିକାଶ ଏବଂ ସୁବିଧା କାର୍ଯ୍ୟାଳୟ, କଟକର ମୁଖ୍ୟ ପି.କେ ଗୁପ୍ତା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
ଏଥିରେ ଭାରତୀୟ ପ୍ୟାକେଜିଂ ଇନଷ୍ଟିଚ୍ୟୁଟ୍ କୋଲକାତା, ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲୋଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହାଇଦ୍ରାବାଦର ବିଶେଷଜ୍ଞ ଓ ଭାରତର ବିଭିନ୍ନ ଜାଗାରୁ ମେସିନ ଯୋଗାଣକାରୀମାନେ ଭାଗ ନେଇଥିଲେ । ଏହି କର୍ମଶାଳାରେ ଖାଦ୍ୟ ପ୍ୟାକେଜିଂ, ପ୍ରକ୍ରିୟାକରଣ, ଲାଇସେନ୍ସିଂ ଏବଂ ମାର୍କେଟିଂ ଆଦି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା ।