ଭୁବନେଶ୍ବର: ରାଜଧାନୀରେ ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (Disease Control to be set up in Odisha) । ଏହି କେନ୍ଦ୍ର ପ୍ରତିଷ୍ଠା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଏଥିପାଇଁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଏକ ପଞ୍ଜିକୃତ-ଜମି ହସ୍ତାନ୍ତର ସଭା ଅନୁଷ୍ଠିତ ହୋଇଛି ।
ଲୋକସେବା ଭବନ ସଭାଗୃହରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ବୈଠକରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡଧରଣର ରୂପାନ୍ତରଣ ପ୍ରକ୍ରିୟା ଚାଲୁ ରହିଛି । ଏନଡିସିର ପ୍ରତିଷ୍ଠା ଏ ଦିଗରେ ଆଉ ଏକ ମାଇଲ ଖୁଣ୍ଟ ହେବ । ଆରଏମଆରସି, ଆଇଏଲଏସ, ଏମ୍ସ ଆଦି କେନ୍ଦ୍ରୀୟ ଅନୁଷ୍ଠାନ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପୂର୍ଣ୍ଣ ସହଭାଗିତାରେ କାର୍ଯ୍ୟ କରି ଆସୁଛି । ଯାହାକି ବିପର୍ଯ୍ୟୟ ସମ୍ପର୍କିତ ରୋଗ ଏବଂ ମହାମାରୀ ନିୟନ୍ତ୍ରଣରେ ବହୁ ଫଳପ୍ରଦ ହୋଇଛି । ’’
ଏନସିଡ଼ିସି ରାଜ୍ୟର ଜନ ସ୍ୱାସ୍ଥ୍ୟ ସେବା ଦେବାରେ ବେଶ୍ ସହାୟକ ହେବ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବା ମହା ନିର୍ଦ୍ଦେଶକ ପ୍ରଫେସର ଡ଼ାକ୍ତର ଅତୁଲ ଗୋଏଲ ପ୍ରାକୃତିକ ବିପର୍ଯ୍ୟୟର ବିଶ୍ୱସ୍ତରୀୟ ଦୃଷ୍ଟାନ୍ତ ମୂଳକ ପରିଚାଳନା ଏବଂ ମହାମାରୀ ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ସଫଳତାର ପ୍ରଶଂସା କରିଛନ୍ତି ।
ସେ କହିଛନ୍ତି ଯେ, ‘‘ଏନସିଡ଼ିସି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଞ୍ଚଳିକ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ରୋଗ ନିରୀକ୍ଷଣ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏହା ରାଜ୍ୟର ଦକ୍ଷତାକୁ ବହୁଗୁଣିତ କରିବ । ଏହି କେନ୍ଦ୍ରର ପ୍ରତିଷ୍ଠା ଓ ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ’’ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।
ଏନସିଡ଼ିସି ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ବିନା ପ୍ରିମିୟମରେ ଜମି ଯୋଗାଇ ଦେବେ । ତଦନୁଯାୟୀ ଭୁବନେଶ୍ୱର ଅନ୍ତର୍ଗତ ଅନ୍ଧାରୁଆ ମୌଜାରେ ୩.୧୨୫ ଏକର ଜମି ଚିହ୍ନଟ କରାଯାଇଛି । ଗତକାଲି ଏହି ଜମିର ପଞ୍ଜୀକରଣ ଏବଂ ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକ ଏବଂ ଭାରତ ସରକାରଙ୍କ ତରଫରୁ ମହାନିର୍ଦ୍ଦେଶକ ପ୍ରଫେସର ଗୋଏଲ୍ ଏହି ପଞ୍ଜୀକରଣ କବଲା ସ୍ୱାକ୍ଷର କରିଛନ୍ତି ।
ଏହି କେନ୍ଦ୍ର ରାଜ୍ୟରେ ସମନ୍ୱିତ ରୋଗ ନିରୀକ୍ଷଣ, ମହାମାରୀ ପରବର୍ତ୍ତୀ ନିରୀକ୍ଷଣ, ପବ୍ଲିକ ହେଲଥ କ୍ଷେତ୍ରରେ ସୃଷ୍ଟି ହେଉଥିବା ନୂଆ ଆହ୍ୱାନ, ବିଭିନ୍ନ ପ୍ରକାର ଭୁତାଣୁର ପୁନଃପୌନିକ ଦୃଶ୍ୟମାନତା ଆଦି କ୍ଷେତ୍ରରେ ଓଡ଼ିଶା ତଥା ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଦକ୍ଷତା ବୃଦ୍ଧି କରିବ ।
ଏନସିଡ଼ିସିର ଯୁଗ୍ମ ନିର୍ଦ୍ଦେଶକ ଡ଼ାକ୍ତର ଶିଖା ବର୍ଦ୍ଧନ, ଆଞ୍ଚଳିକ ନିର୍ଦ୍ଦେଶକ ଡ଼ାକ୍ତର ସୁଚିତ୍ରା ସାସମଲ, ଓଡ଼ିଶା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ନିରଞ୍ଜନ ମିଶ୍ର, ଖୋର୍ଦ୍ଧା ସିଡ଼ିଏମଓ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର