ଭୁବନେଶ୍ବର: ନନ୍ଦନକାନନର ହେବ ନବକଳେବର । ବଦଳିବ ପ୍ରାଣୀ ଉଦ୍ୟାନର ଚିତ୍ର । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ଵସ୍ତରୀୟ କରିବାକୁ ଚାଲିଛି ଯୋଜନା । ଖୁବଶୀଘ୍ର ଏଠାକୁ ଦୁବାଇରୁ ଚିତା ବାଘ ଓ ଧଳା ସିଂହ ଆସିବା ସହ ନାଇଟ ସଫାରୀର ମଜା ନେଇପାରିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ପାଇଁ ନାଇଟ ସଫାରୀର ବ୍ୟବସ୍ଥା ରହିବ । ନନ୍ଦନକାନନ ଚିଡ଼ିଆଖାନା ଚୁଡଙ୍ଗ ଯାଏଁ ବଢିବା ସହିତ କାଞ୍ଜିଆ ହ୍ରଦର ବିକାଶ କରାଯିବ ।
ଖୁବଶୀଘ୍ର ଦୁବାଇରୁ ଚିତା ବାଘ ଓ ଧଳା ସିଂହ ନନ୍ଦନକାନନ ଆସିବେ । ଚିତା ବାଘ ପାଇଁ ନନ୍ଦନକାନନରେ ସ୍ବତନ୍ତ୍ର ଭାବରେ ଏନକ୍ଲୋଜର ପ୍ରସ୍ତୁତ କରାଯିବ । ଏଥିସହ ଚିଡ଼ିଆଖାନାର ବିକାଶ କରାଯାଇ ତାକୁ ଚୁଡ଼ଙ୍ଗ ପର୍ଯ୍ୟନ୍ତ ବଢାଇବାର ଯୋଜନା ରହିଛି । ନନ୍ଦନକାନନ ମଧ୍ୟରେ ଥିବା କାଞ୍ଜିଆ ହ୍ରଦ ବିକାଶ ଲାଗି SRC ପାଣ୍ଠିରୁ ୧୭ କୋଟିର ମଞ୍ଜୁର ହୋଇଛି । ଚଳିତ ଆର୍ଥିକ ବର୍ଷରେ ୪୦ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ଆଗମନର ଆଶା କରାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ... ଶିମିଳିପାଳ ଟାଇଗର ରିଜର୍ଭକୁ ସୁରକ୍ଷା ଦେବ 14 ଅତ୍ୟାଧୁନିକ ଯାନ
ଗତ ୮ରୁ ୧୦ ମାସ ମଧ୍ୟରେ ନନ୍ଦନକାନନରେ ଅନେକ ରୂପାନ୍ତିକରଣ କରାଯାଇଛି । ପ୍ରାଣୀ ଅଦଳବଦଳ ପ୍ରକ୍ରିୟା ଜରିଆରେ ଉଦ୍ୟାନକୁ ବହୁ ନୂଆ ଜୀବଜନ୍ତୁ ଆସିଛନ୍ତି । ରୋପ-ୱେ ସାଙ୍ଗକୁ ବୋଟିଂର ବ୍ୟବସ୍ଥା କରାଯାଇଛି । ନନ୍ଦନକାନନର 64 ତମ ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କାସୁଆରୀ ପକ୍ଷୀ ପାଇଁ ସ୍ୱତନ୍ତ୍ର ଏନକ୍ଲୋଜର ସାଙ୍ଗକୁ ଅଷ୍ଟ୍ରିକ ଖୁଆଡ଼ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବନ୍ୟପ୍ରାଣୀ ପିସିସିଏଫ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜଙ୍ଗଲ ପରିବେଶ ବିଭାଗ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ବହୁତ ଶୀଘ୍ର ନନ୍ଦନକାନନର ନବକଳେବର ହେବ । ଦୁବାଇରୁ ଚିତା ବାଘ ଓ ଧଳା ସିଂହ ଶାବକ ଆସିବ । କାଞ୍ଜିଆ ହ୍ରଦ ଓ ଚିଡ଼ିଆଖାନାର ବିକାଶ କରାଯିବ । ଏପଟେ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି. ନାୟାର କହିଛନ୍ତି ଯେ, ନନ୍ଦନକାନନ ସମ୍ପ୍ରସାରଣ ମାଷ୍ଟର ପ୍ଲାନ ଅଧୀନରେ ପ୍ରାଣୀ ଉଦ୍ୟାନରେ ସମସ୍ତ ଜୀବଜନ୍ତୁକୁ ଥିମାଟିକ ଏକଜିବିସନ ବ୍ୟବସ୍ଥାରେ ପ୍ରଦର୍ଶନ କରାଯିବ । ସମସ୍ତ ସଫାରୀକୁ ସମ୍ପ୍ରସାରିତ ହେବାକୁ ଥିବା ଚୁଡ଼ଙ୍ଗ ଅଞ୍ଚଳକୁ ସ୍ଥାନାନ୍ତରିତ କରାଯିବ । ରାତ୍ରିଚର ଜୀବଙ୍କ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ନାଇଟ ସଫାରୀ ବ୍ୟବସ୍ଥା ହେବ । ଫଳରେ ରାତିରେ ଲୋକମାନେ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇପାରିବେ। ଦୁବାଇ ସଫାରୀ ପାର୍କ ସହ ଚାଲିଥିବା ଏଗ୍ରିମେଣ୍ଟ ଅନୁସାରେ ନନ୍ଦନକାନନକୁ ଚିତା ବାଘ ସହ ଧଳା ସିଂହ, ଆଫ୍ରିକୀୟ ସିଂହ, ମକାଓ ଆସିବ । ଚିତା ପାଇଁ ନନ୍ଦନକାନନରେ ନୂଆ ଏନକ୍ଲୋଜର ତିଆରି କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର