ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟ ପରିଦର୍ଶନ କଲେ 5 ଜଣିଆ ନାକ ଟିମ୍ । ତିନି ଦିନ ଧରି ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଭିତ୍ତିଭୂମି ଯାଞ୍ଚ କରିବା ପରେ ଶୁକ୍ରବାର ନାକ ଟିମ୍ ବିଦାୟ ନେଇଛନ୍ତି । ଏଥର ବିଶ୍ବବିଦ୍ୟାଳୟକୁ ‘ଏ++’ ମାନ୍ୟତା ମିଳିବ ବୋଲି ଆଶା ରଖିଛନ୍ତି କର୍ତ୍ତୃପକ୍ଷ । ବିଶ୍ବବିଦ୍ୟାଳୟର ଉନ୍ନତି ଏବଂ ଗୁଣାତ୍ମକ ଶିକ୍ଷା ଦେବାରେ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସଫଳତା ହାସଲ କରିଥିବାରୁ ଏଥର ରାଙ୍କ ପୂର୍ବ ଅପେକ୍ଷା ଭଲ ରହିବ ବୋଲି କୁହାଯାଉଛି । ସବୁ କ୍ଷେତ୍ରରେ ସମୀକ୍ଷା କରିବା ପରେ ଶୁକ୍ରବାର ନାକ ଟିମର ପରିଦର୍ଶନ ଶେଷ ହୋଇଛି । 3 ଦିନ ମଧ୍ୟରେ ନାକ ଦଳ ବିଶ୍ବବିଦ୍ୟାଳୟର ଏକାଡେମିକ, ଆଡମିନିଷ୍ଟ୍ରେସନ, ଭିତ୍ତିଭୂମି ଯାଞ୍ଚ କରିବା ସହ ବିଭାଗଗୁଡ଼ିକରେ ପାଠପଢା କିଭଳି ହେଉଛି ତାହା ଦେଖିଥିଲେ । ଏଥିସହ କେତେ ପିଲା ଗବେଷଣା କରୁଛନ୍ତି, ନୂଆ ଗବେଷଣାଗତ ଭିତ୍ତିଭୂମି, ବିଭାଗଗୁଡ଼ିକର ଭିତ୍ତିଭୂମି ଉନ୍ନତିକରଣ ବିଷୟ ତଦାରଖ କରିଥିଲେ ।
ଏହାବ୍ୟତୀତ କୁଳପତି, କୁଳସଚିବ, ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକ, ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ 5 ଜଣିଆ ନାକ ଟିମ୍ । ବିଶ୍ବବିଦ୍ୟାଳୟ ଉନ୍ନତିକରଣ ଲାଗି କଣ ସବୁ ଖସଡ଼ା ପ୍ରସ୍ତୁତ ହୋଇଛି ଓ ଆଗାମୀ ଦିନରେ ଆଉ କଣ ସବୁ ଯୋଜନା କରାଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ନେତୃତ୍ବରେ କ୍ୟାମ୍ପସରେ ବ୍ୟାପକ ଉନ୍ନତିକରଣ କାର୍ଯ୍ୟ କରାଯାଇଛି । ସମସ୍ତ ବିଭାଗ, ଛାତ୍ରାବାସ ନବୀକରଣ, ରାସ୍ତାଘାଟ, କ୍ରୀଡ଼ା ଭିତ୍ତିଭୂମି, ଫାକଲ୍ଟି କ୍ଲବ ବିକାଶ କରାଯାଇଛି । ମୁଖ୍ୟ ଫାଟକଠାରୁ ଉନ୍ନତିକରଣର ଝଲକ ବିଶ୍ବବିଦ୍ୟାଳୟର କୋଣ ଅନୁକୋଣରେ ବାରି ହୋଇପଡୁଛି । ଏନେଇ ଏକ ସ୍ବତନ୍ତ୍ର ବୈଠକରେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ବୀକୃତି ପରିଷଦ (ନାକ)ର ଏକ ଟିମ୍ ଉତ୍କଳ ବିଶ୍ବବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ପରିଦର୍ଶନ କରିଥିଲେ । ବିଭାଗର ଗୁଣବତ୍ତା ଏବଂ ମାନକ ଜାଣିବା ପାଇଁ ଏହି 5 ଜଣିଆ ଦଳ ପରିଦର୍ଶନ କରିଥିଲେ । ଏହି ଦଳ ସାଂସ୍କୃତିକ ସଂଗ୍ରହାଳୟ ପରିଦର୍ଶନ କରିବା ସହ ବାୟୋଲୋଜିକାଲ ଲାବ୍ରୋଟୋରୀ ଏବଂ ପ୍ରତ୍ନତତ୍ତ୍ୱ ଲାବ୍ରୋଟୋରୀ ମଧ୍ୟ ପରିଦର୍ଶନ କରିଥିଲେ । ବିଭାଗରେ ଚାଲିଥିବା ବିଭିନ୍ନ ଅନୁସନ୍ଧାନ ପ୍ରୟାସ ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ସେମାନଙ୍କୁ ବିଭାଗର ମୁଖ୍ୟ ଡ. କାହ୍ନୁଚରଣ ଶତପଥୀଙ୍କ ଦ୍ୱାରା ଏକ ଉପସ୍ଥାପନା ପ୍ରଦାନ କରାଯାଇଥିଲା । ଉତ୍କଳ ବିଶ୍ବବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ନାକ ଦଳର ପରିଦର୍ଶନ ସମୟରେ ଏହାର ସଫଳତା ଏବଂ ସୁବିଧା ପ୍ରଦର୍ଶନ କରିଥିଲା । ଅନେକ ଖବର କାଗଜରେ ପ୍ରବନ୍ଧ ପ୍ରକାଶନରେ ବିଭାଗର ଅଂଶଗ୍ରହଣ ଜାଣି ନାକ ଦଳ ଖୁସି ଅନୁଭବ କରିଥିଲେ ।
ସୂଚନାଯୋଗ୍ୟ, ପ୍ରଫେସର ଆର.ଏମ.ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ନାକ ଦଳରେ ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟ ସଦସ୍ୟ ସଂଯୋଜକ ରହିଥିବା ବେଳେ ପ୍ରଫେସର ଜଗତ ଭୂଷଣ ନଡ଼ା, ପ୍ରଫେସର ସଞ୍ଜୟ କୁମାର ଓ ପ୍ରଫେସର ରେଣୁ ଭରଦ୍ୱାଜ ସଦସ୍ୟ ରହିଥିଲେ । ନାକ ଦଳକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ବାଗତ କରାଯାଇଥିଲା । ଛାତ୍ରଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀଙ୍କ ସହ ନାକ ଦଳ ଆଲୋଚନା କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର