ଖୋର୍ଦ୍ଧା: ଆଜି(ସୋମବାର)ଠାରୁ ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି ଅଭିନବ ପ୍ରୟାସ । ଏଠାରେ ଆରମ୍ଭ ହୋଇଛି 'ସମ୍ପୃକ୍ତି' କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁଙ୍କ ସହ ବିଦ୍ୟାଳୟକୁ ଯାଇଛନ୍ତି ମାଆ । ସ୍କୁଲର କ୍ଲାସରୁମ ଶିକ୍ଷାକୁ ନେଇ ପିଲାଙ୍କ ଆଗ୍ରହ ବଢାଇବା ପାଇଁ ମାଆମାନେ ପ୍ରମୁଖ ଭୂମିକା ନେବେ । କ୍ଲାସରୁମରେ ନିଜ ଶିଶୁ ନିକଟରେ ମାଆମାନେ ବସିବେ । ଏହାକୁ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି ।
ଏହି କାର୍ଯ୍ୟକ୍ରମର ନାମ ରଖାଯାଇଛି ସମ୍ପୃକ୍ତି କାର୍ଯ୍ୟକ୍ରମ, ମାଆ ସହ ଶିଶୁ- ମାଆ ସହ ଶିକ୍ଷା । ଛୋଟ ପିଲାମାନେ ଦୁଇ ବର୍ଷ ଧରି ସ୍କୁଲ ଆସିନଥିଲେ। ତେଣୁ ସେମାନଙ୍କୁ ସ୍କୁଲର କ୍ଳାସ ରୁମ ଶିକ୍ଷା ମନୋଭାବକୁ ଦୃଢୀଭୂତ କରିବା ଲାଗି ମାଆଙ୍କ ସହ ଶିଶୁ ମାନେ ପଢିବେ। ବିଭିନ ପ୍ରକାରର ଚିତ୍ର, ଗଣିତ ଓ ଆନାନ୍ୟ ଜିନିଷ ପ୍ରସ୍ତୁତ କରିବେ। ଯାହା ସ୍କୁଲରେ ପିଲାଙ୍କର ପଢିବା ପାଇଁ ମନ ଲାଗିବ। ତେଣୁ ଆଶା କରାଯାଉଛି ଏହି କାର୍ଯ୍ୟକ୍ରମ 'ସମ୍ପୃକ୍ତି' ସଫଳ ହେବ।
ଦୁଇ ବର୍ଷ ମଧ୍ୟରେ ଯେହେତୁ ପିଲାଙ୍କର ଶିକ୍ଷା ରେ କ୍ଷୟକ୍ଷତି ଘଟିଛି। ଏହାକୁ ସୁଧାରିବାକୁ ବିଭାଗ ପାଇଁ ବଡ଼ ଚାଲେଞ୍ଜ। ଏହାକୁ କିଭଳି ସୁଧାର ଆସିବା ସେନେଇ କାର୍ଯ୍ୟ କରାଯିବ ବୋଲି ଓସେପା ନିର୍ଦ୍ଦେଶକ ଅନୁପମ ସାହା କହିଛନ୍ତି । ଅନ୍ୟପଟେ ଆଜି(ସୋମବାର) ଠାରୁ ପ୍ରାଥମିକ ସ୍କୁଲ ଖୋଲିଛି । ଦୀର୍ଘ ଦୁଇ ବର୍ଷ ପରେ ପ୍ରାଥମିକ ସ୍କୁଲ ଖୋଲିଥିବାରୁ ଉତ୍ସାହିତ ଛାତ୍ରଛାତ୍ରୀ । ସ୍କୁଲ ଖୋଲିବା ନେଇ ପୂର୍ବରୁ ବିସ୍ତୃତ ଭାବରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗାଇଡ଼ ଲାଇନ ଦିଆଯାଇଥିଲା ।
ଏହି ଗାଇଡଲାଇନ ଗୁଡ଼ିକ ସମସ୍ତ ସ୍କୁଲରେ ପାଳନ କରାଯିବ । ସ୍କୁଲର ସମସ୍ତ କାର୍ଯ୍ୟ ଠିକ ଭାବରେ ପରିଚାଳିତ ହେଉଛି କି ନାହିଁ ତାହା ସ୍କୁଲର ପ୍ରଧାନ ଶିକ୍ଷକ ତଦାରଖ କରିବେ। ସମସ୍ତ ଜିନିଷ କୋଭିଡ ଗାଇଡ଼ ଲାଇନ ଅନୁସାରେ କାର୍ଯ୍ୟକାରୀ କରାଯିବ ବୋଲି ରହିଛି ନିର୍ଦ୍ଦେଶ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ