ଭୁବନେଶ୍ବର: କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ପରିବାର ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ ରୋନାଲି ବେହେରା । ଥାନାରେ ବୋହୂଙ୍କ ଅଭିଯୋଗ ପରେ ଅଡୁଆରେ ପଡିଥିବା ବିଧାୟକ ଶଶି ଭୂଷଣ ନିଜର ମୁହଁ ଖୋଲିଛନ୍ତି । ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହିବା ସହ ଏହାକୁ ନେଇ ମର୍ମାହତ, ଦୁଃଖିତ ଓ ଆଶ୍ଚର୍ଯ୍ୟ ଚକିତ ବୋଲି ସେ କହିଛନ୍ତି । ତାଙ୍କ ବାପା ଆସି ଝିଅକୁ ନେଇ ଯାଇଥିବା ବେଳେ ବୋହୂ ମୋଟ 1 ମାସ 11 ଦିନ ଘରେ ରହି 2 ବର୍ଷ ପରେ ଏଭଳି ଅଭିଯୋଗ ଆଣିବା ଦୁଃଖ ଦେଇଛି ବୋଲି ଶଶି କହିଛନ୍ତି ।
କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ କହିଛନ୍ତି, "ଓଡ଼ିଶାବାସୀ ଜାଣିଛନ୍ତି ମୁଁ କିଏ । ମୋ ଚରିତ୍ର ସମ୍ପର୍କରେ ସେମାନେ ଜାଣିଛନ୍ତି । କ୍ଷମତା, ପଦପଦବୀ ସମ୍ପର୍କରେ କେବେ ବି ଲବି କରିନାହିଁ । ଯୌତୁକ କଥା ତ ବହୁତ ବଡ଼ କଥା । ଗୋଟିଏ ବି ଜିନିଷ ଆଣିନି । ପରମ୍ପରା ପାଇଁ ଗୋଟିଏ ବେଡ୍ସିଟ୍ କେବଳ ଦେବାକୁ କହିଥିଲି । ପୁଅ-ବୋହୂଙ୍କ ବୈବାହିକ ସମସ୍ୟାର ଆପୋଷ ଆଲୋଚନା ଚାଲିଥିବା ବେଳେ ଏଭଳି ଅଭିଯୋଗ ଅତ୍ୟନ୍ତ ଦୁଃଖଦାୟକ । ଏଭଳି ଅଭିଯୋଗ ସମ୍ପର୍କ ଭିତ୍ତିହୀନ । ବିବାହର 2 ବର୍ଷ ପରେ ଅଭିଯୋଗକୁ ଗ୍ରହଣ କରିପାରୁନି । ପୁଅ ନାଁରେ ବୋହୂ କରିଥିବା ପରକୀୟ ପ୍ରୀତି ଅଭିଯୋଗକୁ ମଧ୍ୟ ଶଶି ଖଣ୍ଡନ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: ବିଜେଡି ବିଧାୟକ ଶଶୀ ଭୂଷଣ ଓ ପରିବାର ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ
ଶଶିଭୂଷଣ ବେହେରା, ପୁଅ ସତ୍ୟପ୍ରକାଶ ବେହେରା ଓ ତାଙ୍କ ପରିବାର ନାଁରେ ବୋହୂ ରୋନାଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି । ବାଙ୍କୀ ଥାନାରେ ଯୌତୁକ ନିର୍ଯାତନା ନେଇ ଅଭିଯୋଗ କରିଛନ୍ତି । ଯୌତୁକ ନିର୍ଯାତନା ସହ ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ରୋନାଲି । ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ବିଧାୟକ ଶଶି ବେହେରା ଏ କଥାରେ କୌଣସି ବାରଣ ନକରିବା ସେ ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏନେଇ ଶଶୀଭୂଷଣ ବେହେରା ଆଜି ପ୍ରତିକ୍ରିୟା ରଖିଛନ୍ତି । ଏହି ଅଭିଯୋଗ କେଉଁ ମୋଡ଼ ନେଉଛି ତାହାକୁ ହିଁ ଅପେକ୍ଷା ।
ଏହାମଧ୍ୟ ପଢନ୍ତୁ: ବାପାଙ୍କ ଅନ୍ତେ ବିଧାୟକ ବନିଛନ୍ତି ଉତ୍ତରାଧିକାରୀ, ଉପନିର୍ବାଚନ ଦେଇ ବିଧାନସଭାରେ ମିଳିଛି ଏଣ୍ଟ୍ରି
ଇଟିଭି ଭାରତ, ଭୁବନେଶ୍ବର