ଖୋର୍ଦ୍ଧା: ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମରେ ବକେୟା ଟଙ୍କାକୁ କେନ୍ଦ୍ର କରି ଶୁକ୍ରବାର ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ରମେଶ ଜଗଦ୍ଦେବ । ଘଟଣାରୁ ଜଣାଯାଇଛି, ରମେଶ ଜଣେ ଟ୍ରାକ୍ଟର ଚାଳକ । ସେ କିଛିଦିନ ତଳେ ସେହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଟ୍ରାକ୍ଟରରେ କୌଣସି ମାଲ ପରିବହନ ବାବଦକୁ ବକେୟା ଟଙ୍କା ମାଗିବାକୁ ଯାଇଥିଲେ ।
ତେବେ ସଂପୃକ୍ତ ବ୍ୟକ୍ତି ମାନେ ରମେଶଙ୍କୁ ଟଙ୍କା ଦେବା ପରିବର୍ତ୍ତେ ଗାଳିଗୁଲଜ କରିବା ସହିତ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ରମେଶ ସେଠାରୁ ଖସିଯିବାକୁ ଉଦ୍ୟମ କରିବା ବେଳେ ତାଙ୍କୁ ଗୋଡାଇ ଗୋଡାଇ ଶରୀରର ବିଭିନ୍ନ ଅଙ୍ଗକୁ ହାଣି ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ