ଭୁବନେଶ୍ବର: ନଭେମ୍ବର ଯାଇ ଡିସେମ୍ବର ହେଲା । ହେଲେ ରାଜ୍ୟରେ ଅନୁଭବ ହେଲାନି ଶୀତର ପ୍ରକୋପ । ଘୋଡ଼େଇ ହେବାକୁ ଦରକାର ପଡୁନି କମ୍ବଳ । ଶୀତବସ୍ତ୍ର ମଧ୍ୟ ବାକ୍ସରୁ ବାହାରିଲା ନାହିଁ । ରାତିରେ ହାଲୁକା ଶୀତ ପଡୁଥିଲେ ମଧ୍ୟ ବିନା ପଙ୍ଖାରେ ଶୋଇହେଉ ନାହିଁ। ଶୀତ ହେଉ ନ ଥିବାରୁ ରାଜ୍ୟରେ ଏକପ୍ରକାର ଅସ୍ବାଭାବିକ ପରିବେଶ ସୃଷ୍ଟି ହୋଇଛି । ଲାଗୁଛି ରାଜ୍ୟରୁ ଯେମିତି ଗାଏବ ହୋଇଛି ଶୀତ। ସେପଟେ ରାଜ୍ୟରେ ସ୍ବାଭାବିକ ଶୀତ ଅନୁଭବ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଯେ ଆଗାମୀ ୨ ରୁ ୩ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବ ପାରଦ । ବାତ୍ୟାର ପ୍ରଭାବ ପରେ ରାଜ୍ୟରେ କମିଛି କୋହଲା ପାଗ । ଏହାସହ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବିତ ହେଉଥିବାରୁ ତଳମୁହାଁ ହେବ ପାରଦ । ଆଉ ଅନୁଭୂତ ହେବ ସ୍ଵାଭାବିକ ଶୀତ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ରାୟଗଡା ସର୍ବାଧିକ ୬.୦୦ ମିମି ବର୍ଷା ରେକର୍ଡ ହୋଇଛି ।
ଏହା ବି ପଢନ୍ତୁ- ରାଜ୍ୟକୁ ପୁଣି ଫେରିବ ଶୀତ, 3 ରୁ 5 ଡିଗ୍ରୀ କମିବ ତାପମାତ୍ରା
ସେ ଆହୁରି କହିଛନ୍ତି, " ଗତ ୨୪ ଘଣ୍ଟାରେ ରାଜ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା ରାୟଗଡ଼ାରେ ୬ ମିଲିମିଟର ରେକର୍ଡ କରାଯାଇଛି । ଯଦି ରାତି ତାପମାତ୍ରା ଦେଖିବା ତେବେ ଅନୁଗୋଳରେ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ୧୧.୨ ଡିଗ୍ରୀ ସେଲସିୟର ରେକର୍ଡ କରାଯାଇଛି । ବଲାଙ୍ଗୀର ଓ ଢେଙ୍କାନାଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ କୋହଲା ପାଗ ହଟିଯାଇଛି । ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ । ଏଣୁ ଆଗାମୀ ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାଜ୍ୟରେ ବାଦଲ ଆଚ୍ଛାଦିତ କମିବା ସହ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେଉଥିବାରୁ ରାଜ୍ୟରେ ରାତି ତାପମାତ୍ରା ଖସିବ ଓ ଶୀତ ଅନୁଭୂତ ହେବ ।"
ଇଟିଭି ଭାରତ, ଭୁବନେଶ୍ବର