ଭୁବନେଶ୍ବର: ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ସକାଳ ୮ ଟାରୁ ଆରମ୍ଭ ହୋଇଛି । ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ସକାଳ ୭ ଟାରୁ ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପହଞ୍ଚିଥିଲେ । ମୋଟ ୫ଲକ୍ଷ ୪୧ ହଜାର ୨୪୭ଜଣ ପରୀକ୍ଷାର୍ଥୀ ୩ହଜାର ୨୧୮ଟି ସେଣ୍ଟରରେ ପରୀକ୍ଷା ଦେଉଛନ୍ତି । ଯେଉଁ ସେଣ୍ଟରରେ ସମ୍ମେଟିଭ 1 ପରୀକ୍ଷା ହୋଇଥିଲା, ସେଠାରେ ହିଁ ସମ୍ମେଟିଭ 2 ପରୀକ୍ଷା ହେଉଛି । ତେବେ ପରୀକ୍ଷା ସମୟରେ ସୟଦ ମମତାଜ ଅଲି ହାଇସ୍କୁଲ ଡୁମଡୁମା କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ପ୍ରଶ୍ନପତ୍ର ମହଜୁଦ ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା । ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାକୁ ନୋଡାଲ ସେଣ୍ଟର ଭାବେ ବ୍ୟବହାର କରାଯାଇଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଏବଂ ମାଲକାନଗିରିରେ ୧୦ଟି ଥାନା ନୋଡାଲ ସେଣ୍ଟର ରହିଛି ।
ସକାଳ ୮ଟାରୁ ଆରମ୍ଭ ହେଲା ପରୀକ୍ଷା: ସମ୍ମେଟିଭ-୨ ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ଯାଏଁ ଚାଲିବ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଧାର୍ଯ୍ୟ ସମୟର ୧ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ରରେ ପହଞ୍ଚିଥିଲେ । ଆଜି ପ୍ରଥମ ଦିନରେ ପ୍ରଥମ ଭାଷା ବା ଓଡିଆ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଦ୍ବିତୀୟ ଭାଷା ଇଂରାଜୀ ୧୩ ତାରିଖରେ ରହିଥିବା ବେଳେ ୧୪ରେ ହିନ୍ଦୀ/ସଂସ୍କୃତ, ୧୬ରେ ସାଧାରଣ ବିଜ୍ଞାନ ପରୀକ୍ଷା, ୧୮ରେ ସାମାଜିକ ବିଜ୍ଞାନ ଏବଂ ଶେଷ ଦିନ ଗଣିତ ପରୀକ୍ଷା ରହିଛି । ଗଣିତରେ ଅଧିକ 15 ମିନିଟ ସମୟ ଦିଆଯାଇଛି ।
ଖରାକୁ ଦୃଷ୍ଟିରୁ ରଖି ପାଣିର ବ୍ୟବସ୍ଥା, ଏଥିସହ ଇଲେକ୍ଟ୍ରିକ କିଭଳି ଭାବରେ ପରୀକ୍ଷା ସମୟରେ ନକଟା ଯିବ ସେନେଇ ମଧ୍ୟ ବିଦ୍ୟୁତ୍ ବିଭାଗକୁ ଜଣାଇ ଦିଆଯାଇଛି । ଅନେକ କ୍ଲାସ ରୁମରେ ମଧ୍ୟ ଇନଭଟର କନେକ୍ସନ ରଖାଯାଇଛି । ୧୦ରୁ ୨୦ ତାରିଖ ପରୀକ୍ଷା ସୂଚୀ ମଧ୍ୟରେ ୧୧,୧୨,୧୫,୧୭,୧୯ ତାରିଖ ପରୀକ୍ଷା ବନ୍ଦ ରହିବ । ପ୍ରତି ବିଷୟରେ ୮୦ ମାର୍କ ବିଶିଷ୍ଟ ଏହି ପରୀକ୍ଷାରେ ୩୦ ମାର୍କ ସବଜେକ୍ଟିଭ ଏବଂ ୫୦ ମାର୍କ ଅବଜେକ୍ଟିଭ ପରୀକ୍ଷା ରହିଛି ।
କଡାକଡି ସୁରକ୍ଷା ବ୍ୟବସ୍ଥା: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ସମାପନ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେହିପରି ପରୀକ୍ଷା ହଲକୁ ଯେପରି ମୋବାଇଲ ଫୋନ ନଯାଏ ସେଥିପାଇଁ ବୋର୍ଡ ପକ୍ଷରୁ କୋଠର କଟକଣା ଜାରି କରାଯାଇଛି । ସ୍କୁଲ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ପରୀକ୍ଷାରେ କପି ନିୟନ୍ତ୍ରଣ ପାଇଁ ବୋର୍ଡ ପକ୍ଷରୁ ୩୬ଟି ସ୍ପେସାଲ ସ୍ବାର୍ଡ ଗଠନ କରାଯାଇଥିବା ବେଳେ ଜିଲ୍ଲାସ୍ତରରେ ଡିଇଓମାନଙ୍କ ଦ୍ବାରା ୭୪ଟି ପ୍ଲାଇଂ ସ୍ବାର୍ଡ ଗଠନ କରାଯାଇଛି ।
ପରୀକ୍ଷା କେନ୍ଦ୍ର ପରିଦର୍ଶନ ପରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, "ପିଲାମାନେ ୦୭ଟା ୪୫ରେ ପ୍ରଶ୍ନ ପତ୍ର ପାଇଛନ୍ତି। ପରୀକ୍ଷା ଠିକ ସମୟରେ ଆରମ୍ଭ ହୋଇଛି । ପିଲାଙ୍କ ଚେହେରାରୁ ସ୍ପଷ୍ଟ ବାରି ହୋଇପଡୁଛି ପ୍ରଶ୍ନ ଭଲ ଆସିଛି । ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଆରମ୍ଭ ହୋଇଛି । ପିଲାମାନେ ପ୍ରଶ୍ନ ପତ୍ର ପାର୍ଟନ ପୂର୍ବରୁ ଜାଣିଛନ୍ତି ତେଣୁ ଡ଼ରିବାର ଆଵଶ୍ୟକତା ନାହିଁ । ମୋର ଆଶା ପିଲାମାନେ ନିଶ୍ଚିତ ଭାବେ ଭଲ କରିବେ । ଛାତ୍ରଛାତ୍ରୀମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ କିଛି ଅସମାଜିକ ବ୍ୟକ୍ତି ଚେଷ୍ଟା କରିଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ବାବଦରେ ପୂର୍ବରୁ ସାଇବର ଥାନାରେ ମଧ୍ୟ ଆଲୋଚନା ହୋଇଛି । ମିଛ ପ୍ରଶ୍ନ ପତ୍ର ଭାଇରାଲ କେବଳ ଉଦେଶ୍ୟମୂଳକ ଭାବେ କରାଯାଉଛି । ଚଳିତ ବର୍ଷ ନିଶ୍ଚିତ ଭାବେ ପରୀକ୍ଷା ଫଳ ଭଲ ଆସିବ।"
ଇଟିଭି ଭାରତ, ଭୁବନେଶ୍ବର