ଭୁବନେଶ୍ବର: ପୂର୍ବତଟ ରେଳପଥର ନୂଆ ମହାପ୍ରବନ୍ଧକ ଭାବେ ମନୋଜ ଶର୍ମାଙ୍କୁ ନିଯୁକ୍ତି । 1985 ବ୍ୟାଚର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ)ର ଅଧିକାରୀ ମନୋଜ ଶର୍ମା ମହାପ୍ରବନ୍ଧକ ଭାବରେ ପୂର୍ବତଟ ରେଳପଥରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ମୁମ୍ବାଇରେ କେନ୍ଦ୍ରୀୟ ରେଳବାଇ (CR)ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । ସେ ପଶ୍ଚିମ ରେଳବାଇରେ ଡିଭିଜନାଲ ରେଲୱେ ମ୍ୟାନେଜର(ଡିଆରଏମ) ରତଲାମ, ଉତ୍ତର ରେଳବାଇରେ ମୁଖ୍ୟ ଇଞ୍ଜିନିୟର, ଭାରତର ଜାତୀୟ ରାଜପଥ ପ୍ରାଧିକରଣ (N.H.A.I.) ଦିଲ୍ଲୀରେ ମୁଖ୍ୟ ଜେନେରାଲ ମ୍ୟାନେଜର ଏବଂ ଲକ୍ଷ୍ନୌରେ ଅନୁସନ୍ଧାନ ଡିଜାଇନ୍ ଏବଂ ମାନକ ସଂଗଠନରେ ଯୁଗ୍ମ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ସୂଚନା ଅନୁଯାୟୀ, ମନୋଜ ଶର୍ମା ରୁରକି ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ଏହାପରେ ଆଇଆଇଟି ଦିଲ୍ଲୀରୁ ଏମ ଟେକ ଅଧ୍ୟୟନ କରିଥିଲେ । ପ୍ରୋଜେକ୍ଟ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାରେ ତାଙ୍କର ବହୁଳ ଅଭିଜ୍ଞତା ରହିଛି । ସେ ବିଭିନ୍ନ ମନ୍ତ୍ରଣାଳୟରେ, ଯେପରିକି ଆରଡିଏସଓ, ଏନଏଚଏଆଇ ସରକାରୀ କ୍ଷେତ୍ରରେ ବିଭିନ୍ନ କ୍ଷମତାରେ କାର୍ଯ୍ୟ କରିଛନ୍ତି । ମନୋଜ ଶର୍ମା ତାଙ୍କ ଦାୟିତ୍ବକୁ ସୂଚନାରୂପେ ତୁଲାଇଥାନ୍ତି । ଭାରତୀୟ ରେଳବାଇର କାର୍ଯ୍ୟ କାରିତା ଉପରେ ତାଙ୍କର କାର୍ଯ୍ୟ ଦକ୍ଷତା ରହିଛି । ସକ୍ରିୟ ଆଭିମୁଖ୍ୟ ଏବଂ ସମସ୍ୟା ସମାଧାନ କୌଶଳ ରହିଛି । ସେ ସର୍ବଦା ଅତିରିକ୍ତ ଦାୟିତ୍ବ ବହନ କରିବାରେ ତତ୍ପର ରହିଥାନ୍ତି । ପ୍ରତ୍ୟେକ କାର୍ଯ୍ୟକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଶତପ୍ରତିଶତ ଚେଷ୍ଟା କରିଥାନ୍ତି ମନୋଜ ଶର୍ମା। ଏହା ପୂର୍ବରୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଥିଲେ ରୂପ ନାରାୟଣ ସୁନକର । ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ତଦାରଖ ଏବଂ ପ୍ରାଥମିକତା ତାଙ୍କ ଅଧୀନରେ ରହିଥିଲା ।
ଏହା ମଧ୍ୟ ପଢନ୍ତୁ-ପାଖେଇ ଆସୁଛି କୋଣାର୍କ ପ୍ରସିଦ୍ଧ ମାଘ ମେଳା, ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ
ଗତ ୨୦୨୨ ଫେବୃଆରୀରେ ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ ଭାବେ 1986 ବ୍ୟାଚ୍ର ଇଣ୍ଡିଆନ୍ ରେଲୱେ ସର୍ଭିସ୍ ଅଫ୍ ସିଗନାଲ୍ ଇଞ୍ଜିନିୟର ଅଧିକାରୀ ଶରଦ କୁମାର ଶ୍ରୀବାସ୍ତବ ଦାୟିତ୍ବ ଗ୍ରହଣ କରିଥିଲେ । ଶ୍ରୀବାସ୍ତବ କୋଲକାତାର ମେଟ୍ରୋ ରେଲୱେରେ ପ୍ରିନ୍ସିପାଲ୍ ଚିଫ୍ ସିଗ୍ନାଲ୍ ଆଣ୍ଡ ଟେଲିକମ୍ ଇଞ୍ଜିନିୟର ଭାବେ ପୂର୍ବରୁ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଦକ୍ଷିଣ ପୂର୍ବ ରେଳପଥ ଆନ୍ଧ୍ର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର